ଯୋଡ଼ିହେଲେ କମ୍‌, ବାଦ୍‌ ପଡ଼ିଲେ ବେଶି: ଏକାମ୍ରରେ କଟିଲେ ୧୬ ହଜାର, ଜଟଣୀରେ ବଢ଼ିଛନ୍ତି ୧୦ହଜାର

ଭୁବନେଶ୍ୱର: ଚଳିତ ବର୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ବିଚିତ୍ର କଥା ଦେଖିବାକୁ ମିଳିଛି। ନୂଆ ଭୋଟର ଯେତିକି ବଢ଼ିଛନ୍ତି, ମୃତ୍ୟୁ ବା ନିର୍ବାଚନମଣ୍ଡଳୀ ବଦଳିବା କାରଣରୁ ତା’ ଠାରୁ ଅଧିକ ବାଦ୍‌ ପଡ଼ିଛନ୍ତି। ନକଲି ଭୋଟର ବା ଅନେକଙ୍କର ଏକାଧିକ ସ୍ଥାନରେ ଭୋଟର୍‌ ତାଲିକାରେ ନାମ ଥିବା ଯୋଗୁଁ ମଧ୍ୟ ବାଦ୍‌ ଦିଆଯାଇଛି। ମଧ୍ୟ, ଏକାମ୍ର, ଉତ୍ତର, ଜୟଦେବରେ ନୂଆ ତାଲିକାରେ ଭୋଟରଙ୍କ ସଂଖ୍ୟା କମିଥିବା ବେଳେ ଜଟଣୀରେ ଭୋଟରଙ୍କ ସଂଖ୍ୟା ବଢ଼ିଛି। ଟିକେଟ ପାଇଥିବା ନେତାମାନେ ଏବେ ନୂଆ ଭୋଟରଙ୍କ ସହ ବସ୍ତି ଭୋଟରକୁ ଟାର୍ଗେଟ୍‌ କରି ପ୍ରଚାର ଆରମ୍ଭ କରିଛନ୍ତି।

ଗତ ନିର୍ବାଚନ ତୁଳନାରେ ଭୁବନେଶ୍ବର ମଧ୍ୟ ନିର୍ବ‌ାଚନମଣ୍ଡଳୀରେ ଯେତିକି ଭୋଟର ଥିଲେ, ସେ ତାଲିକାରୁ ୨୧ ହଜାର ଭୋଟରଙ୍କ ନାମ ବାଦ୍‌ ଦିଆଯାଇଛି। ସେହିଭଳି ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରେ ୧୫,୯୯୭ ଭୋଟରଙ୍କୁ ବାଦ୍‌ ଦିଆଯାଇଥିବା ବେଳେ ୨୨୮୦ ନୂଆ ଭୋଟରଙ୍କ ନାମ ତାଲିକାରେ ଯୋଡ଼ି ହୋଇଛି। ୨୦୧୯ ନିର୍ବାଚନରେ ୨ଲକ୍ଷ ୮୦ ହଜାର ୯୦୪ ଭୋଟର ଥିଲେ। ଏବେ ଏହି ସଂଖ୍ୟା ୨ଲକ୍ଷ ୬୭ ହଜାର ୧୮୭ରେ ପହଞ୍ଚିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସାମିଲ ହୋଇଥିବା ନୂଆ ଭୋଟର କାହା ପଟକୁ ଢଳିବେ, ସେ ଚିନ୍ତା ଏବେ ପ୍ରାର୍ଥୀମାନଙ୍କୁ ଘାରିଲାଣି। ତା’ଠାରୁ ଅଧିକ ଚିନ୍ତା ବଢ଼ାଇଛି ବାଦ୍‌ ପଡ଼ିଥିବା ଭୋଟର୍‌ଙ୍କ ସଂଖ୍ୟା। ସେମାନେ କାହା ସମର୍ଥକ ଥିଲେ, ଏବଂ ଏବେ କାହା ଭୋଟ ବ୍ୟାଙ୍କରୁ ଏମାନେ କଟିଲେ, ତାକୁ ନେଇ ହିସାବନିକାଶ ଆରମ୍ଭ ହୋଇଛି। ୨୦୧୯ରେ ଏହି ଆସନରେ ବିଜେଡି-ବିଜେପି ମଧ୍ୟରେ ପାଖାପାଖି ୩୦ ହଜାର ଭୋଟ ବ୍ୟବଧାନ ଥିଲା। ଏଥର କିନ୍ତୁ ଅସନ୍ତୁଷ୍ଟ ବିଜେଡି ନେତା ଲିଟୁ ମହାସୁପକାର ଏଠାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବା ପାଇଁ ପାଗ ଭିଡ଼ୁଥିବା ପରିପ୍ରେକ୍ଷୀରେଏହି ପ୍ରସଙ୍ଗଟି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।

ସେହିଭଳି ଜୟଦେବ ନିର୍ବାଚନମଣ୍ଡଳୀରେ ୫୫୭୦ ଭୋଟର ବାଦ୍‌ ପଡ଼ିଛନ୍ତି ଓ ୧୫୦୫ ନୂଆ ଭୋଟର ଯୋଡ଼ି ହୋଇଛନ୍ତି। ଗତ ନିର୍ବାଚନରେ ଏଠାରେ ମୋଟ୍‌ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୮୬ ହଜାର ୪୪୪ ଭୋଟର ଥିଲା। ଏବେ ୧ଲକ୍ଷ ୮୨ ହଜାର ୩୭୯ ଭୋଟର ରହିଛନ୍ତି। ଅର୍ଥାତ୍‌ ମୋଟ୍‌ ସଂଖ୍ୟାରୁ ୪୦୬୫ ଭୋଟର କମିଛନ୍ତି। ଚଳିତ ନିର୍ବାଚନରେ ବିଜେଡି ବିଧାୟକ ନିଜେ ବିଜେପି ଟିକେଟ୍‌ରେ ଲଢ଼ୁଛନ୍ତି। ସ୍ବାଭାବିକ ଭାବେ ଏତେ ସଂଖ୍ୟକ ଭୋଟର୍‌ କମିବା ତାଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ବିଜେଡି ଏଠାରେ ବଡ଼ ଭୋଟ ବ୍ୟବଧାନରେ ଜିତିବା ଲାଗି କସରତ କରୁଥିବା କାରଣରୁ ବାଦ୍ ପଡ଼ିଥିବା ଭୋଟର କେଉଁ ଦଳ ସହିତ ସଂପୃକ୍ତ ଥିଲେ, ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି। ତେବେ ଜଟଣୀ ନିର୍ବାଚନମଣ୍ଡଳୀରେ କିନ୍ତୁ ଭୋଟର ବଢ଼ିଛନ୍ତି। ଏଠାରୁ ୨୩୦୦ ଭୋଟର୍‌ଙ୍କ ନାମ ବାଦ୍ ପଡ଼ିଛି ଓ ୧୦ହଜାର ୨୫୪ ଜଣ ନାମ ତାଲିକାରେ ଯୋଡ଼ି ହୋଇଛି। ଅର୍ଥାତ୍‌ ମୋଟ୍‌ ଉପରେ ୭୯୫୪ ଭୋଟର ବଢ଼ିଛନ୍ତି। ଗତ ନିର୍ବା‌ଚନରେ ଏଠାରେ ୨ଲକ୍ଷ ୩୭ହଜାର ୮୫୮ ଭୋଟର ଥିବା ବେଳେ ଏବେ ଏହି ସଂଖ୍ୟା ୨ଲକ୍ଷ ୪୫ ହଜାର ୮୧୨କୁ ଛୁଇଁଛି।ଉଲ୍ଲେଖଥାଉକି, ଭୁବନେଶ୍ବର ଲୋକସଭା ଆସନ ସଂଲଗ୍ନ ଏସବୁ ବିଧାନସଭାର ପ୍ରତିଟି ଭୋଟ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ଅତି ଅଳ୍ପ ଭୋଟ ବ୍ୟବଧାନରେ ଗତଥର ଅପରାଜିତା ଷଡ଼ଙ୍ଗୀ ଏହି ଆସନ ଛଡ଼ାଇନେଇଥିଲେ। ଏଣୁ ଏଥର ପ୍ରତି ଭୋଟ୍‌ ଉଭୟ ଦଳ ପାଇଁ ମହତ୍ବ ରଖୁଛି।

ସମ୍ବନ୍ଧିତ ଖବର