ହଜିନି ପରମ୍ପରା: ଏବେ ବି ମହିଳାଙ୍କ ପ୍ରିୟ ପଥର ତିଆରି ଘରକରଣା

କୁହାଯାଏ, ସେକାଳ ପଖାଳ ଆଉନାହିଁ। ଅର୍ଥାତ୍‌ ପୁରୁଣା କଥା ଏବେ ବେଶ୍‌ ଅପ୍ରାସଙ୍ଗିକ। କିନ୍ତୁ ପଥର ଘୋରଣାର ବିରି ଓ ଚାଉଳ ବଟା ହେଉ ବା ପଥର ଶିଳ ବଟା ବେସର ଯିଏ ଏସବୁ ଖାଇଛି, ସେ ଆଜିକାଲିକା ଇଲେକ୍ଟ୍ରିକ୍‌ ଗ୍ରାଇଣ୍ଡର୍‌ରେ ‌ସେପରି ସୁଆଦ ଆଉ ପାଇବନି। ବିବାହ ସମୟରେ ଜାଇ ରଗଡ଼ା ରୀତି ହେଉ ବା ଝିଅ ଭାରରେ ଘୋରଣା, ପେଷଣା, ଶିଳ, ଶିଳପୁଆ ଓ ଖଲ ଆଦି ଯିବା ପରମ୍ପରା; ସେ ବୁଧେଇ ଓଷା, ଷଠୀଓଷା, ମାଣବସା ଗୁରୁବାର ହେଉ ବା ଶାମ୍ବ ଦଶମୀ, ଶିଳ ପୁଆ ବିନା ଏହି ସବୁ ପର୍ବ ଯେମିତି ଅସମ୍ପୂର୍ଣ୍ଣ। କେବଳ ସ୍ବାଦ ବା ପରମ୍ପରା ପାଇଁ ନୁହେଁ, ଦୈନନ୍ଦିନ ଜୀବନରେ ବିଭିନ୍ନ ଘର କାମରେ ଏ ସବୁର ବ୍ୟବହାର ମହିଳାଙ୍କୁ ସୁସ୍ଥ ଓ ଫୂର୍ତ୍ତି ରଖିବାରେ ସାହାଯ୍ୟ କରୁଥିଲା। ଏବେ ମହିଳାମାନେ ଜିମ୍ ଯାଇ ଟଙ୍କା ଖର୍ଚ୍ଚ କରି ବ୍ୟାୟାମ କରୁଥିବା ବେଳେ ଆଗକାଳର ମହିଳାଙ୍କ ପାଇଁ ଢିଙ୍କି, ହେମଦସ୍ତା, ଶିଳ ଆଦି ଘରୋଇ ଜିମ୍‌ର କାମ କରୁଥିଲା।
ଉପସ୍ଥାପନା: ପ୍ରଗତି ସାହୁ

ଶୁଭକାମରେ ଲୋଡ଼ା ପଥର ସାମଗ୍ରୀ

ଜାଗମରାସ୍ଥିତ ଜଣେ ଦୋକାନୀ ସୁରେନର ପାତ୍ର କୁହନ୍ତି ଏହି ପଥର ତିଆରି ସାମଗ୍ରୀ ହେଉଛି ଘରର ଲକ୍ଷ୍ମୀ। ଏ ସବୁ ବିନା ଜଣେ କୌଣସି କାମ ଆରମ୍ଭ କରିପାରିବ ନାହିଁ। ଘରର ଶୁଭ ଦେବାଠାରୁ ଆରମ୍ଭ କରି ବାହାଘର ବ୍ରତଘର ସବୁ କାର୍ଯ୍ୟରେ ଏହାର ଖୋଜା ପଡ଼ିଥାଏ। ଧୀରେ ଧୀରେ ଏହାର ବ୍ୟବହାର କମିଯାଉଛି। ଅଧିକାଂଶ ଲୋକେ ଘରେ ଗ୍ରାଇଣ୍ଡରକୁ ବ୍ୟବହାର କରି କମ୍‌ ସମୟରେ କାର୍ଯ୍ୟକୁ ସାରୁଛନ୍ତି। ବିଭିନ୍ନ ଘରକରଣା ସାମଗ୍ରୀ ପାଇଁ ବଉଳମାଳା, କଳା ମୁଗୁନି, ଧଳା ବଗଡ଼ା ଭଳି ପଥରକୁ ବ୍ୟବହାର କରାଯାଏ। ପଥର ମିସ୍ତ୍ରିଙ୍କ ସଂଖ୍ୟା କମିଯାଉଥିବାରୁ ଉପକରଣ ତିଆରି କରିବାରେ କଷ୍ଟ ହେଉଛି ଯାହା ଫଳରେ ଏହାର ଦାମ୍‌ ଆକାଶଛୁଆଁ ରହୁଛି। ଶିଳ, ଚକି ଭଳି ଜିନିଷର ଦାମ୍‌ ୧୧୦୦ରୁ ୧୫୦୦ ଟଙ୍କା ରହିଥିବା ବେଳେ ଖଲଗୁଡ଼ିକ ୩୦୦ ଟଙ୍କା, ଜଳଯନ୍ତ୍ର ଚାରିଟିକୁ ୬୦୦ ଟଙ୍କା ଓ ପଦ୍ମଫୁଲ ଦାମ୍‌ ୮୦୦ ଟଙ୍କା ରହିଛି। ପଥରର ମୂଲ୍ୟ ଅନୁସାରେ ସାମଗ୍ରୀର ଜିନିଷ ଉପରେ ପ୍ରଭାବ ପଡ଼ିଥାଏ। ଏ ସବୁ ସାମଗ୍ରୀ ବିଶେଷ ଭାବରେ ନୀଳଗିରି, ଯାଜପୁର, ଗଞ୍ଜାମ, ନୟାଗଡ଼ ପ୍ରଭୃତି ସ୍ଥାନରୁ ଆସୁଛି।

ବଢ଼ୁଛି ଆଦର

ଆଧୁନିକତାର ବଶବର୍ତ୍ତୀ ହୋଇ ଲୋକମାନେ କାମକୁ ହାଲୁକା ଓ କମ୍‌ ସମୟରେ ସାରିବା ପାଇଁ ବିଭିନ୍ନ ଇଲେକ୍ଟ୍ରୋନିକ୍‌ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି। ଯେପରି ବିଦ୍ୟୁତ୍‌ଚାଳିତ ଗ୍ରାଇଣ୍ଡର୍‌, ମୁଗ, ବିରି, ଚଣା ଓ ଧାନରୁ ଚୋପା ଛଡ଼ାଇବା ମେସିନ୍‌, ଅଟା ପ୍ରସ୍ତୁତ ପାଇଁ ମିଲିଂ ମେସିନ୍‌। ଏସବୁ ମେସିନ୍‌ ବ୍ୟସ୍ତବହୁଳ ଜୀବନଶୈଳୀରେ ଘର କାମକୁ ହାଲୁକା କରିଛି ସତ କିନ୍ତୁ ପରମ୍ପରା ଓ ସ୍ବାଦ ଦୃଷ୍ଟିରୁ ଶିଳ ଓ ଚକିର ମୋହ ତୁଟାଇ ପାରିନାହାନ୍ତି କିଛି ଲୋକ। ଘର ଶୁଭ ଦେବାବେଳେ ପଥର ତିଆରି ପଦ୍ମଫୁଲ, ପଲଙ୍କ ତଳେ ରଖାଯାଉଥିବା ଜଳଯନ୍ତ୍ର, ବିରି ଓ ମସଲା ଜାତୀୟ ଦ୍ରବ୍ୟକୁ ବାଟିବା ପାଇଁ ଶିଳ, ଡାଲିରୁ ଚୋପା କାଢ଼ିବା ବା ବିରି ରଗଡ଼ିବା ପାଇଁ ଚକି, ପେଷଣା, ଖଲ ଏବଂ ସିନ୍ଦୂର, ଚନ୍ଦନ ଘୋରିବା ପାଇଁ ଚନ୍ଦନ ପେଡ଼ିର ଆଦର ଆଜି ବି ଅଛି। ଆଉ ଏସବୁର ବ୍ୟବହାର ମହିଳାମାନେ ହିଁ କରିଆସୁଛନ୍ତି।

ଉପାଦେୟ

ମହିଳାମାନେ ସାଧାରଣତଃ ବଟାବଟି କରୁଥିବାରୁ ସେମାନଙ୍କ ମାଂସପେଶୀର ଶକ୍ତି ଠିକ୍‌ ରହିଥାଏ। ଆଣ୍ଡୁଗଣ୍ଠି ବାତ ସମସ୍ୟା, ସ୍ପଣ୍ଡିଲାଇଟ୍‌, ରୁୢମାଟିଜିମ୍‌ ଭଳି ସମସ୍ୟା କମ୍‌ ଦେଖାଯାଏ ଏବଂ ବିଭିନ୍ନ ଚର୍ମ ସମସ୍ୟା ଓ ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ। ଏବେ ଏହାର ବ୍ୟବହାର କମ୍ ହୋଇଯାଉଥିବାରୁ ମହିଳାଙ୍କ କସରତ ମଧ୍ୟ କମିଯାଉଛି। ଯାହାଫଳରେ ଏଭଳି ରୋଗ ଅଧିକ ଦେଖାଯାଉଛି। ଏହାସହିତ ପଥରରେ ମସଲା ବଟା, ଆଣରେ ସାମଗ୍ରୀର ସମସ୍ତ ପ୍ରାକୃତିକ ଅଂଶ ମିଳିଥାଏ। ମଞ୍ଜି ଓ ଶସ୍ୟର ସମସ୍ତ ଅଂଶକୁ ଆମେ ପାଇଥାଉ। ପଥର ଗ୍ରାଇଣ୍ଡର୍‌ରେ ବାଟିବାଦ୍ବାରା ମସଲାର ତେଲକୁ ମୁକ୍ତ କରିଥାଏ ଏବଂ ଏକ ଅଦ୍ଭୁତ ମସୃଣ ଓ କ୍ରିମି ଉତ୍ପାଦ ସୃଷ୍ଟି କରିଥାଏ ଯାହା ପାଟିକୁ ସ୍ବାଦ ଦେବାରେ ସାହାଯ୍ୟ କରିଥାଏ। ଏହା ସହିତ ବିଭିନ୍ନ ବୈଜ୍ଞାନିକମାନଙ୍କର ମତ ଯେ, ପଥର ଗ୍ରାଇଣ୍ଡିଂ ପ୍ରକ୍ରିୟାରେ ଅଧିକ ତନ୍ତୁଯୁକ୍ତ ଅଟା, ଅଧିକ ଭିଟାମିନ୍ ଓ ଖଣିଜ ପଦାର୍ଥ ଉତ୍ପନ୍ନ ହୋଇଥାଏ, ଯାହା ମନୁଷ୍ୟ ବ୍ୟବହାର ପାଇଁ ଅତ୍ୟନ୍ତ ସ୍ୱାସ୍ଥ୍ୟକର।

 

ସମ୍ବନ୍ଧିତ ଖବର