ନୂଆବର୍ଷରେ ନନ୍ଦନକାନନରେ ନୂଆ ଅତିଥି, ୨ ଶାବକଙ୍କୁ ଜନ୍ମ ଦେଲା ‘ସ୍ନେହା’

ବାରଙ୍ଗ: ନୂଆବର୍ଷରେ ପଶୁପ୍ରେମୀଙ୍କ ପାଇଁ ଭଲ ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ସ୍ନେହା ଗୁରୁବାର ୨ଟି ଛୁଆଙ୍କୁ ଜନ୍ମ ଦେଇଛି। ପ୍ରଥମ ଛୁଆଟି ଭୋର୍‌ ୩ଟା ୩୮ ମିନିଟ୍‌ରେ ଓ ଦ୍ବିତୀୟଟି ୫ଟା ୪୪ ମିନିଟ୍‌ରେ ଜନ୍ମ ହୋଇଥିବା ସିସିଟିଭିରୁ ଜଣାପଡ଼ିଛି। ଜୀବଜନ୍ତୁ ପ୍ରତି ବଦଳରେ ହାଇଦ୍ରାବାଦ ଚିଡ଼ିଆଖାନାରୁ ଅଣାଯାଇଥିବା ସାଧାରଣ ନାଲି ରଙ୍ଗର ମହାବଳ ବାଘ ‘ସୈଫ୍’ ମିଳନରୁ ସ୍ନେହା ଗର୍ଭରୁ ଛୁଆ ଦୁଇଟି ଜନ୍ମ ନେଇଥିବା ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି। ମିଳନଠାରୁ ପ୍ରସବ ୧୦୫ ଦିନ ପର୍ଯ୍ୟନ୍ତ ସ୍ନେହାକୁ ସିସିଟିଭି ନଜରରେ ରଖାଯାଇଥିଲା। ଜନ୍ମ ପରେ ଶାବକ ଦୁଇଟି ସୁସ୍ଥ ଥିବା ଦେଖିବାକୁ ମିଳିଛି। ଏଥର ଛୁଆ ୨ଟି ମଧ୍ୟରେ ଗୋଟିଏ ଧଳା ଓ ଗୋଟିଏ ସାଧାରଣ ନାଲି ରଙ୍ଗ ଭଳି ହୋଇଥିବା ସିସିଟିଭି ଦୃଶ୍ୟରୁ ଜଣାପଡ଼ୁଛି। ସେମାନଙ୍କର ଲିଙ୍ଗ ନିରୂପଣ ହୋଇନାହିଁ। ଛୁଆ ଦୁଇଟି ଜନ୍ମ ହେବା ପରେ ନନ୍ଦନକାନନର ବାଘ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୮ଟି ଧଳା, ୧୩ଟି ସାଧାରଣ ନାଲି, ୪ଟି ବିରଳ କଳା ବାଘ ସହିତ ୨ଟି ନବଜାତ ଛୁଆ ଅଛନ୍ତି। ସୂଚନାଯୋଗ୍ୟ, ୨୦୧୪ ମସିହା ଜୁଲାଇ ୨୮ ତାରିଖରେ ଧଳା ବାଘୁଣୀ ସ୍ନେହା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଥମ କରି ବିରଳ କଳା ରଙ୍ଗର ଛୁଆଙ୍କୁ ଜନ୍ମ ଦେଇ ଇତିହାସ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର