ସ୍ବାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମକୁ ଭୁବନେଶ୍ବର ସାଂସଦ ଅପରାଜିତାଙ୍କୁ ଡାକିଲେନି ବିଏମ୍‌ସି କର୍ତ୍ତୃପକ୍ଷ

ଭୁବନେଶ୍ବର: ବିଏମ୍‌ସି ଆଜି ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ରାଜଧାନୀରେ ବହୁ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲା। ନଗର ଉନ୍ନୟନ ମନ୍ତ୍ରୀ, ଭୁବନେଶ୍ବରର ତିନି ବିଧାୟକ ଏବଂ ପୂର୍ବତନ କର୍ପୋରେଟରମାନଙ୍କୁ ଡକାଗଲା। ହେଲେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଖିବାକୁ ମିଳିଲାନି।

ରାଜ୍ୟର ସମସ୍ତ ପୌରସଂସ୍ଥାରେ ହୋଇଥିବା ସ୍ବାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନେ ଉପସ୍ଥିତ ଥିଲେ। ହେଲେ ଭୁବନେଶ୍ବର ସାଂସଦଙ୍କୁ ବିଏମ୍‌ସି କର୍ତ୍ତୃପକ୍ଷ ନିମନ୍ତ୍ରଣ ନ କରିବାରୁ ସେ ଯୋଗ ଦେଇନଥିବା ଜଣାପଡ଼ିଛି।

ପ୍ରସନ୍ନ ପାଟ୍ଟସାଣୀ ସାଂସଦ ଥିବା ବେଳେ ବିଏମ୍‌ସିର ସମସ୍ତ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଥିଲା। ସାଂସଦ ଆସନ୍ତୁ କି ନଆସନ୍ତୁ ତାଙ୍କ ନାମ କାର୍ଡରେ, ବିଜ୍ଞାପନରେ ସବୁଥିରେ ଛପା ଯାଉଥିଲା। ହେଲେ ଏହି ବିଜେପି ସାଂସଦଙ୍କୁ ବିଏମ୍‌ସି କର୍ତ୍ତୃପକ୍ଷ ତାଙ୍କ କାର୍ଯ୍ୟକ୍ରମକୁ ଡାକିବା ଭୁଲି ଯାଇଛନ୍ତି ବୋଲି ଚର୍ଚ୍ଚା ହେଲାଣି। ଆଜି ରାଜଧାନୀର ତିନିଟି ସ୍ଥାନରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଥିବା ବେଳେ ଏଠାରେ ସାଂସଦଙ୍କୁ ଦେଖିବାକୁ ନ ମିଳିବାରୁ ଏହି ଚର୍ଚ୍ଚା ଜୋର୍ ଧରିଥିଲା।

ଅପରପକ୍ଷେ ଶୁକ୍ରବାର ବିଏମ୍‌ସି ପକ୍ଷରୁ ବଣ୍ଟା ଯାଇଥିବା ନିମନ୍ତ୍ରଣ ପତ୍ର ଏବଂ ଆଜି ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିବା ବିଜ୍ଞାପନରେ ବି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ନଥିଲା।

ଏନେଇ ଅପରାଜିତାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୁଁ ସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ଆସିଛି। ବିଏମ୍‌ସି କର୍ତ୍ତୃପକ୍ଷ ସ୍ବାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ନିମନ୍ତ୍ରଣ ନେଇ ମୋ କାର୍ଯ୍ୟଳୟ ସହ ଯୋଗାଯୋଗ କରିଛନ୍ତି କି ନାହିଁ ମୁଁ ଜାଣିନି।

ସେହିପରି ବିଏମ୍‌ସି ବିଜ୍ଞାପନରେ ଅପରାଜିତାଙ୍କ ନାମ ନ ରହିବା ନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଉତ୍ତର ମିଳିଛି ଯେ ଆମର କିଏ ଅତିଥି ହେବେ କି ନାହିଁ ତାହା ଆମେ ନିଷ୍ପତ୍ତି ନେଇନୁ। ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି। ନଗର ଉନ୍ନୟନ ବିଭାଗ ରାଜ୍ୟର ସମସ୍ତ ପୌରସଂସ୍ଥାରେ କିଏ ଅତିଥି ହେବ, ନ ହେବେ ସେ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର