ରାଜଧାନୀର ହୋଟେଲରୁ ହାଇପ୍ରୋଫାଇଲ ଜୁଆ ଆଡ଼ା ଠାବ ଘଟଣା: ସିଲ୍ ହେଲା ପେଣ୍ଟାଗନ୍, ଜେଲ୍ ଗଲେ ୧୩

ଜୁଆଡ଼ିଙ୍କ ମଧ୍ୟରେ ବସ୍ତ୍ରାଳୟ ମାଲିକ, ମଦ ବେପାରୀ; ମନୋରଞ୍ଜନ କରୁଥିଲେ ନେପାଳୀ ଓ ବଙ୍ଗୀୟ ଯୁବତୀ

ଭୁବନେଶ୍ବର : ରାଜଧାନୀର କଟକରୋଡ୍‌ସ୍ଥିତ ହୋଟେଲ୍‌ ପେଣ୍ଟାଗନ୍‌ରୁ ଶନିବାର ଠାବ ହୋଇଥିବା ହାଇପ୍ରୋଫାଇଲ୍‌ ଜୁଆ ଆଡ଼ା ମାମଲାରେ ଉଭୟ ବିଏମ୍‌ସି ଓ କମିସନରେଟ ପୁଲିସ ଆଜି କଡ଼ା ପଦକ୍ଷେପ ଗ୍ରହଣ କରିଛି। ପୁଲିସର ସୁପାରିସ୍‌ କ୍ରମେ ବିଏମ୍‌ସି ପକ୍ଷରୁ ପେଣ୍ଟାଗନ୍ ବାର୍‌ ଓ ହୋଟେଲକୁ ସିଲ୍‌ କରାଯାଇଛି। ସଟ୍‌ଡାଉନ୍ ନିୟମ ଅମାନ୍ୟ କରିବା ଅଭିଯୋଗରେ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ଜୁଆ ଆଡ଼ାରୁ ଧରାପଡ଼ିଥିବା ୧୩ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଲକ୍ଷ୍ମୀସାଗର ପୁଲିସ। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ବଡ଼କଥା ହେଲା, ଏହି ଜୁଆଡ଼ିମାନଙ୍କ ଭିତରେ ମଦ ବ୍ୟବସାୟୀ ବମିଖାଲ ଜୟଦୁର୍ଗାନଗର ଅଞ୍ଚଳର ପ୍ରଭଞ୍ଜନ ମହାନ୍ତି ଓରଫ୍ ପିଣ୍ଟୁ, ପଟିଆର ମନୋରଞ୍ଜନ ରାଉତ, କଟକ ଲାଲବାଗ୍ ଥାନା ଅଞ୍ଚଳର ମହମ୍ମଦ ଅବଦୁଲ୍ ଆସିକ୍, କଟକ କାଳୀଗଳି ଅଞ୍ଚଳର ସୋମେନ୍‌ ସାନଗେରିଆ, ନୂଆପଲ୍ଲୀ ଅଞ୍ଚଳର ନାରାୟଣ ମହାପାତ୍ର, ଏୟାର୍‌ପୋର୍ଟ ଥାନା ଭୀମପୁର ଅଞ୍ଚଳର ଅଭିରାମ ସୁବୁଦ୍ଧି, ମଞ୍ଚେଶ୍ବର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସାହୁ, ଭୁବନପୁର ଅଞ୍ଚଳର ପବିତ୍ର ମୋହନ ବିଶ୍ବାଳ ଏବଂ ରାଜଧାନୀର ଜଣେ ପ୍ରତିଷ୍ଠିତ ବସ୍ତ୍ରାଳୟର ମାଲିକ ତଥା ବାଲିପାଟଣା ଅଞ୍ଚଳର ରାଜନୈତିକ ବ୍ୟକ୍ତି ବିଭୁଦତ୍ତ ପାତ୍ର ମଧ୍ୟ ଅଛନ୍ତି। ସେ ବହୁଥର ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟଭାବେ ନିର୍ବାଚିତ ହୋଇଥିଲେ।

ଅନ୍ୟପକ୍ଷରେ ଜୁଆଆଡ଼ାରେ ମଦ ପରଷୁଥିବା ଅଭିଯୋଗରେ ପୁଲିସ ହାତରେ ଧରା ପଡ଼ିଥିବା ୩ ଯୁବତୀଙ୍କ ମଧ୍ୟରୁ ଜଣେ ନେପାଳରୁ ଆସିଥିବା ଜଣାପଡ଼ିଛି। ସେ ହେଲେ ଶ୍ରଦ୍ଧା ପତ୍ରି। ତାଙ୍କୁ ହୋଟେଲ ମାଲିକ ଅରବିନ୍ଦ ମିଶ୍ର ଓରଫ୍ ଅରୁ ଏବଂ ଅନ୍ୟ କେତେକ ବ୍ୟବସାୟୀ ଭଡ଼ାରେ ଆଣିଥିବା ଜଣାପଡ଼ିଛି। ସେହିପରି ଅନ୍ୟ ଦୁଇ ଜଣ ଯୁବତୀ ସଂଯୁକ୍ତା ଲିଟିଲ୍ ଓ ପିଙ୍କି ଚାଟାର୍ଜୀ ପଶ୍ଚିମବଙ୍ଗର ବୋଲି ପୁଲିସ ଜାଣିବାକୁ ପାଇଛି। ବଡ଼ବଡ଼ ବ୍ୟବସାୟୀମାନେ ମନୋରଞ୍ଜନ ପାଇଁ ଏହି ଜୁଆ ଖେଳୁଥିବା ସମୟରେ ଏହି ଯୁବତୀମାନେ ମଦ ପରଷିବା ସହ ଅନୈତିକ କାର୍ଯ୍ୟରେ ନିୟୋଜିତ ହେଉଥିଲେ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ପେଣ୍ଟାଗନ୍ ହୋଟେଲରେ ୪ ଦିନ ଧରି ଚାଲିଥିବା ହାଇପ୍ରୋଫାଇଲ ଜୁଆ ଆଡ଼ା ଉପରେ ଗତକାଲି ଲକ୍ଷ୍ମୀସାଗର ପୁଲିସ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ୩ ଯୁବତୀଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଥିବାବେଳେ ନଗଦ ୨ ଲକ୍ଷ ୫୩ ହଜାର ଟଙ୍କା, ୧୮ ମୋବାଇଲ ଫୋନ୍, ଜୁଆରେ ବ୍ୟବହୃତ ତାସ୍ ପତ୍ତା, ପ୍ଲାଷ୍ଟିକ କଏନ୍ ଜବତ କରାଯାଇଥିଲା।

ଚଢ଼ଉ ବେଳେ ଖସିଗଲେ ୧୧!
ଶନିବାର ଏହି ହାଇପ୍ରୋଫାଇଲ ଜୁଆ ଆଡ଼ାରେ ଚଢ଼ଉ ବେଳେ ପ୍ରାୟ ୧୧ ଜଣ ଖସି ଯାଇଥିବା ସନ୍ଦେହ କରାଯାଉଛି। ସେମାନଙ୍କ ଭିତରୁ ଅଧିକାଂଶ ବ୍ୟବସାୟୀ ରହିଥିବା ବେଳେ ବିଲ୍ଡର ଓ ଠିକାଦାର ମଧ୍ୟ ସାମିଲ ଥିଲେ। ଫେରାର ହୋଇ ଯାଇଥିବା ଜୁଆଡ଼ିମାନେ ପୁଲିସ ଭୟରେ ନିଜ ନିଜ ଘର ଛାଡ଼ି ପଳାଇଥିବା ମଧ୍ୟ ଜଣାପଡ଼ିଛି। କେତେକ ଫେରାରଙ୍କୁ ନେଇ ଏବେ ରାଜଧାନୀରେ ସରଗରମ ଆଲୋଚନା ଚାଲିଛି। କିନ୍ତୁ ପୁଲିସ ସେମାନଙ୍କ ସମ୍ପର୍କରେ ଆଉ ତଦନ୍ତ ଆଗକୁ ବଢ଼ାଇ ନାହିଁ।

ଲକ୍ଷ୍ମୀସାଗର ଥାନା ଲ୍ୟାଣ୍ଡ ଲାଇନ ଫୋନ୍ ରିସିଭର କାଢ଼ିବାକୁ ଅନୁମତି ଦେଲା କିଏ?
ଶନିବାର ଚଢ଼ଉ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଲକ୍ଷ୍ମୀସାଗର ଥାନା ଲ୍ୟାଣ୍ଡ ଲାଇନକୁ ଫୋନ୍ କରିଥିଲେ। ତେବେ ଅଧିକ ଫୋନ ଆସିବାରୁ ପୁଲିସ ଲ୍ୟାଣ୍ଡଲାଇନ ଟେଲିଫୋନର ରିସିଭର କାଢ଼ି ତଳେ ଥୋଇ ଦେଇଥିଲା। ଏହା ପରେ ଫୋନ୍ କାମ କରି ନ ଥିଲା। ଯିଏ ବି ଫୋନ କଲେ ଏହା ସେବାରେ ନ ଥିବା ଶୁଣିବାକୁ ମିଳିଥିଲା। ବିଳମ୍ବିତ ରାତିଯାଏ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଫୋନ୍ ରିସିଭର୍ କାଢ଼ିବାକୁ ଅନୁମତି କିଏ ଦେଲା, ଜରୁରୀକାଳୀନ ସେବାରେ ନିୟୋଜିତ ଥାନାର ଫୋନକୁ ଜାଣିଶୁଣି ଅଚଳ କରିଦେବା ନିଷ୍ପତ୍ତି କେତେ ଦୂର ଠିକ୍ ବୋଲି ପ୍ରଶ୍ନ ଉଠିଛି। ଯେଉଁ ଅଧିକାରୀ ଏଭଳି ପଦକ୍ଷେପ ନେଇଛନ୍ତି ସିସିଟିଭି ଫୁଟେଜ୍ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି ପଚାରିଲେ ଥାନାର କୌଣସି ଅଧିକାରୀ ମୁହଁ ଖୋଲୁ ନାହାନ୍ତି।

ଫ୍ରିଜ୍ ଭର୍ତ୍ତି ବିଦେଶୀ ମଦ
ପେଣ୍ଟାଗନ୍ ହୋଟେଲର ୩ଟି ରୁମ୍ ଓ ଗୋଟିଏ ବଡ଼ ହଲ୍ ସହିତ ଡାଇନିଂ ବୁକିଂ ହୋଇଥିଲା। ହଲ୍‌ର ୩ଟି ଟେବୁଲରେ ଚାଲୁଥିଲା ଜୁଆ ଖେଳ। ସବୁ ଫ୍ରିଜ୍ ଭିତରେ ଭର୍ତ୍ତି ହୋଇ ରହିଥିଲା ବିଦେଶୀ ମଦ। ଗତ ଚାରି ଦିନ ଭିତରେ ୪୦ରୁ ଅଧିକ ବଡ଼ବଡ଼ିଆ ବ୍ୟକ୍ତି ଜୁଆ ଖେଳିଥିଲେ ବୋଲି ଜଣାପଡ଼ିଛି। ଶନିବାର ମଧ୍ୟ ୨୦ରୁ ଅଧିକ ଖେଳୁଥିଲେ। କିନ୍ତୁ ପୁଲିସ ହାତରେ ଏଥିରୁ ମାତ୍ର ୧୧ ଜଣ ଧରାପଡ଼ିଥିଲେ।

କ୍ୟାସିନୋ ଭଳି ଆଡ଼ା ଧରିଲେ, କିନ୍ତୁ ତଥ୍ୟ ଲୁଚାଇଲେ
କ୍ୟାସିନୋ ଭଳି ଖେଳ ଚାଲୁଥିବା ଏଭଳି ଏକ ହାଇପ୍ରୋଫାଇଲ ଜୁଆ ଆଡ଼ା ଧରାପଡ଼ିବା ଘଟଣା ରାଜଧାନୀରେ ପ୍ରଥମ। ଲକ୍ଷ୍ମୀସାଗର ଥାନା ସହ ଏକାଧିକ ପୁଲିସ ଟିମ୍ ଚଢ଼ଉ କରି ଜୁଆ ଆଡ଼ା ଧରିଲେ, ସାବାସି ମଧ୍ୟ ନେଲେ। କିନ୍ତୁ ଏହି ଆଡ଼ା ସମ୍ପର୍କରେ ପୁଲିସ ତଥ୍ୟ ଦେବାକୁ ପଛଘୁଞ୍ଚା ଦେଲା। ଥାନାଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କୁନ୍ଥକୁନ୍ଥ ହେଉଥିଲେ। ଆଜି ମଧ୍ୟ ପିଆରଓଙ୍କ ପକ୍ଷରୁ କିମ୍ବା ବରିଷ୍ଠ ଅଧିକାରୀଙ୍କ ତରଫରୁ ସେଭଳି କିଛି ସବିଶେଷ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରାଗଲା ନାହିଁ। ଏହି ରାକେଟ୍‌ରେ ବହୁ ବଡ଼ବଡ଼ିଆ, ରାଜନେତାଙ୍କ ପୁଅ, ଜଣାଶୁଣା ବ୍ୟବସାୟୀ ଥିବାରୁ ପୁଲିସ ତଥ୍ୟ ଦେବାକୁ ପଛଘୁଞ୍ଚା ଦେଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର