ବହୁ ଠକେଇରେ ସଂପୃକ୍ତ ଧୂର୍ତ୍ତ ବାବା ବିଜୟାନନ୍ଦ

ଇଓଡବ୍ଲୁ ହାତରେ ଲାଗିଛି କଳା କାରନାମାର ଚିଠା

ସିଡିଏରେ ବାସ୍ତୁ ଶାସ୍ତ୍ର ଅଫିସ ଖୋଲି ବନିଯାଇଥିଲେ ବାବା
ରାକେଟ୍‌ରେ ଠିକାଦାର, ବିଲ୍ଡର, ସରକାରୀ କର୍ମଚାରୀ ଥିବା ସନ୍ଦେହ

ଭୁବନେଶ୍ବର : ଓଟିଡିସିର ଜାଲ୍ ଵାର୍କ ଅର୍ଡର୍‌ ଦେଇ ଜଣେ ସ୍ପେସାଲ୍ କ୍ଲାସ୍ ଠିକାଦାରଙ୍କଠାରୁ ୩ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଧୂର୍ତ୍ତ ବାବା ସ୍ବାମୀ ବିଜୟାନନ୍ଦ ମହାରାଜ ଓରଫ୍ ବିଜୟାନନ୍ଦ ଚୌଧୁରୀର କଳା କାରନାମାର ଚିଠା ଇଓଡବ୍ଲୁ ହାତରେ ଲାଗିଛି। ବାବା ଠକେଇ ଟଙ୍କା ସିଧାସଳଖ ନିଜ ଆକାଉଣ୍ଟକୁ ନେଉ ନଥିଲେ। ନଗଦ ଆକାରରେ ପହଞ୍ଚାଇବାକୁ କହୁଥିଲେ। କିନ୍ତୁ ନେଉଥିବା ଟଙ୍କା ବାବଦରେ ଚିଠା ଦେଉଥିଲେ। ଠକେଇର ଶିକାର ହୋଇଥିବା ଠିକାଦାର ଧନୁର୍ଦ୍ଧର ଚମ୍ପତିରାୟଙ୍କଠାରୁ ୧ କୋଟି ୮୫ ଲକ୍ଷ ଟଙ୍କା ଭିତରୁ ବିପୁଳ ଅର୍ଥ ସେ ଏହି ଭଳି ଭାବରେ ନେଇଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିବା ପରେ ଏ ସବୁ ଚିଠାକୁ ଇଓଡବ୍ଲୁ ଜବତ କରି ସାରିଛି।

ବାବା ବିଜୟାନନ୍ଦଙ୍କ ଫୋନ୍ କଲ୍ ଡିଟେଲ୍ସ ରେକର୍ଡ(ସିଡିଆର୍‌), ଘରୁ ଜବତ ହୋଇଥିବା ବିପୁଳ ପରିମାଣର ଜାଲ କାଗଜପତ୍ର ଏବଂ ତଦନ୍ତକାରୀ ଟିମ୍ ପାଖରେ ପହଞ୍ଚିଥିବା ଏକାଧିକ ଅଭିଯୋଗରୁ ତାଙ୍କ ଠକେଇର ଚେର ବେଶ୍ ଲମ୍ବା ଥିବା ଜଣାପଡ଼ିଛି। କେବଳ ଓଟିଡିସି ନୁହେଁ; ପୂର୍ତ୍ତ ଓ ଅନ୍ୟ ବିଭାଗରେ ଠିକାଦାରଙ୍କୁ କାମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ମଧ୍ୟ ବିପୁଳ ପରିମାଣର ଟଙ୍କା ଠକେଇ କରୁଥିବା କୁହାଯାଉଛି। ଏହି ରାକେଟ୍‌ରେ କିଛି ଠିକାଦାର, ବିଲ୍ଡରଙ୍କ ସହ ସରକାରୀ କର୍ମଚାରୀ ରହିଥିବା ସନ୍ଦେହ କରାଯାଉଛି। କେତେକ ସଂସ୍ଥାରେ ପୂର୍ବତନ ଠିକା କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ନେଇ ମଧ୍ୟ ଇଓଡବ୍ଲୁ ଜାଣିବାକୁ ପାଇଛି। ଯେଉଁମାନେ କି ବିଜୟାନନ୍ଦଙ୍କୁ ଅଫିସର ଗୁପ୍ତ ତଥ୍ୟ ଯୋଗାଉଥିଲେ। କିଛିମାସ ତଳେ ଏକ ସରକାରୀ ସଂସ୍ଥାରୁ ହୋଇଥିବା ବଡ଼ଧରଣର ଠକେଇରେ ତାଙ୍କର ସମ୍ପୃକ୍ତି ରହିଥିବା ଇଓଡବ୍ଲୁ ନିକଟରେ ଅଭିଯୋଗ ପହଞ୍ଚିଥିଲା। ସେହି ଠକେଇର ଅଭିଯୁକ୍ତଙ୍କ ସହ ତାଙ୍କର ସିଧାସଳଖ ସମ୍ପର୍କ ରହିଥିବା ମଧ୍ୟ କୁହା ଯାଇଥିଲା। ତେଣୁ ଏହିସବୁ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଇଓଡବ୍ଲୁ ଖୋଳତାଡ଼ କରୁଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜୟାନନ୍ଦ କଟକି ସିଡିଏ ତାଙ୍କର ସେକ୍ଟର-୯ ସ୍ଥିତ ଘରେ ଏକ ବାସ୍ତୁ ଶାସ୍ତ୍ର ଅଫିସ ଖୋଲିଥିଲେ। କେବଳ ଭାଗ୍ୟ ଭବିଷ୍ୟତ ବା ବାସ୍ତୁ ସମ୍ପର୍କରେ ବତାଉ ନ ଥିଲେ; କେତେକ ଜାଗାକୁ ଯାଇ ହୋମଯଜ୍ଞ ମଧ୍ୟ କରୁଥିଲେ। ସେହି ବାସ୍ତୁ ଶାସ୍ତ୍ରକୁ ଆଳ କରି ସେ ବିଭିନ୍ନ ଠକ ବ୍ୟକ୍ତିଙ୍କ ସହ ସଂପର୍କ ବଢ଼ାଇଥିବା ଅନୁମାନ କରାଯାଉଛି। ତେଣୁ ଠିକାଦାରଙ୍କୁ ୩ କୋଟିର ଚୂନ ଲଗାଇବା ଭଳି ସେ ଆଉ କେଉଁ ଠକେଇ କରିଛନ୍ତି, ଏହି ରାକେଟ୍‌ରେ ତାଙ୍କ ସହ ଆଉ କେଉଁମାନଙ୍କ ଲିଙ୍କ୍ ରହିଛି, ସେ ସମ୍ପର୍କରେ ଇଓଡବ୍ଲୁ ତନାଘନା ଜାରି ରଖିଛି।

ବର୍ତ୍ତିଗଲେ ୧୦ରୁ ଅଧିକ ଠିକାଦାର!
ଏହି ଠକେଇର ପର୍ଦ୍ଦାଫାସ୍ ପରେ ଆହୁରି ୧୦ରୁ ଅଧିକ ଠିକାଦାର ବାବାଙ୍କ ଜାଲରୁ ବର୍ତ୍ତି ଯାଇଛନ୍ତି। ଇଓଡବ୍ଲୁ ସେମାନଙ୍କ ସମ୍ପର୍କରେ ସୂଚନା ପାଇବା ପରେ ସମ୍ପୃକ୍ତ ଠିକାଦାରମାନଙ୍କୁ ଅବଗତ କରାଇଛି। ବିଜୟାନନ୍ଦର ଏଭଳି ଜାଲିଆତିରୁ ଦୂରେଇ ରହିବା ପାଇଁ ଇଓଡବ୍ଲୁ ପକ୍ଷରୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର