ନାଚୁଣୀ: ଆଜି ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ବାଇପାସ ପେଟ୍ରୋଲ ପମ୍ପ ନିକଟରେ ଭୁବନେଶ୍ବରରୁ ବ୍ରହ୍ମପୁର ଆଡକୁ ଯାଉଥିବାବେଳେ ଏକ ପୁଲିସ ପାଇଲଟ ବୋଲେରୋ ଗାଡ଼ି ଧକ୍‌କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ପୁଲିସ ଗାଡ଼ି ଧକ୍କାରେ ଗୋଟିଏ କାର ଓ ବାଇକ୍ ଚୂରମାର ହୋଇଯାଇଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ‌ଲୋକେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ପ୍ରାୟ ୨ ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା।ମିଳିଥିବା ସୂଚନା ଅନୁଯାୟୀ, ଓଡି ୦୫ଏଚ୍୦୨୪୪ ନମ୍ବର ବିଶିଷ୍ଟ ପୁଲିସର ଏକ ବୋଲେରୋ ଗାଡ଼ି ଆଜି ସକାଳ ସାଢ଼େ ୧୦ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ବାଇପାସ ପେଟ୍ରୋଲ ପମ୍ପ ନିକଟରେରେ ଯାଉଥିବା ବେଳେ ସମ୍ମୁଖରେ ଯାଉଥିବା ଓଡି ୨୫ ଏଫ୍ ୬୨୫୭ନମ୍ବର ବାଇକ୍‌କୁ ଧକ୍କାଦେବା ସହିତ ଓଡି ୦୭ ୟୁ ୭୫୭୫ କାରକୁ ପିଟି ଡିଭାଇଡର ଉପରକୁ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଆରେହୀ ଗଇନଡା ଗ୍ରାମର ହାଲୁ ସାହୁଙ୍କ ଏକମାତ୍ର ପୁଅ ରଣଜିତ ଓରଫ ନନ୍ଦୁ ସାହୁ (୨୦ବର୍ଷ) ମୃତ୍ୟୁବରଣ କରିଥିବା ବେଳେ ନିକଟସ୍ଥ ଛକଡିପୁର ଗାଁର ଗଙ୍ଗାଧର ସାହୁ (୫୦) ଗୁରୁତର ହୋଇଥିଲେ। ଉଭୟ ସଂପର୍କରେ ଶଳାଭିଣୋଇ ବୋଲି ଜଣାପଡିଛି। ଏହି ଦୁର୍ଘଟଣାରେ ବାଇକ୍ ଓ କାର ଚୂରମାର ହୋଇଯାଇଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ମୃତାହତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ବାଲୁଗାଁ ଏସଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ଏସ୍‌ପି ଅମୁଲ୍ୟ କୁମାର ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ରେଡ୍‌କ୍ରସ ପକ୍ଷରୁ ୨୦ ହଜାର ଟଙ୍କା, କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ଚାକିରି ସହ ୨ଲକ୍ଷ ଟଙ୍କା ପ୍ରଦାନ ପାଇଁ ଏସ୍‌ପି ଶ୍ରୀ ଦାସ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।