କମିସନରେଟ୍‌ ପୁଲିସ କର୍ମଚାରୀଙ୍କୁ କରୋନା

ତିନି ଦିନ ତଳେ ଛୁଟି କାଟି ଫେରିଥିଲେ
ଆରମ୍ଭ ହେଲା କଣ୍ଟାକ୍ଟ ଟ୍ରେସିଂ
ପ୍ରବାସୀ ଶ୍ରମିକଙ୍କ ସହ ମିଶିଥିଲେ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ପୁଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଜଣକ ୩୬ ବର୍ଷୀୟ କନଷ୍ଟେବଳ ବୋଲି ଜଣାପଡ଼ିଛି। ପ୍ରଥମ ଥର ପାଇଁ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଥିବାରୁ ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଛି। ଗତ ତିନି ଦିନ ତଳେ ଆକ୍ରାନ୍ତଜଣକ ଛୁଟିରୁ ଫେରିଥିବା ବେଳେ ତାଙ୍କର ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟରୁ ତାଙ୍କର କରୋନା ପଜିଟିଭ୍ ଆସିଥିବା କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ପୁଲିସ କର୍ମଚାରୀ କେବେ ଛୁଟିରେ ଯାଇଥିଲେ? କେଉଁ ଅଞ୍ଚଳରେ ବୁଲାବୁଲି କରିଥିଲେ? କେଉଁଠି ପ୍ରବାସୀ ଶ୍ରମିକଙ୍କ ସହ ମିଶିଥିଲେ? ଛୁଟି କାଟି ରାଜଧାନୀକୁ ଆସିବା ପରେ ଆଉ କାହା ସହ ମିଶିଛନ୍ତି? ସେନେଇ ପୁଲିସ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଯାହାକୁ ନେଇ ଅନେକ ସନ୍ଦେହ ଲାଗି ରହିଛି। ସମ୍ପୃକ୍ତ କନଷ୍ଟେବଳଙ୍କ ପରିବାରଲୋକଙ୍କୁ ସଙ୍ଗରୋଧରେ ରହିବା ଲାଗି କୁହାଯାଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଛି। ସ୍ବତନ୍ତ୍ର ଟିମ୍ ଦ୍ବାରା ଆରମ୍ଭ ହୋଇଛି କଣ୍ଟାକ୍ଟ ଟ୍ରେସିଂ। ସମ୍ପୃକ୍ତ କନଷ୍ଟେବଳ କେତେଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାକୁ ନେଇ ଟିମ୍‌ ଛାନଭିନ୍‌ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, କିଛି ଦିନ ତଳେ ସେ ଛୁଟିରେ ଘରକୁ ଯାଇଥିଲେ। ସେଠାରେ କିଛି ପ୍ରବାସୀ ଶ୍ରମିକଙ୍କ ସହ ମିଶିଥିଲେ। ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଗାଇଡ୍‌ଲାଇନ୍‌ ଅନୁସାରେ, ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା କରାଯାଇଥିଲା। କିନ୍ତୁ ତାଙ୍କ ଶରୀରରେ କୌଣସି ଲକ୍ଷଣ ନ ଥିଲେ ସୁଦ୍ଧା ରିପୋର୍ଟ ପଜିଟିଭ୍ ଆସିଥିଲା। ଛୁଟିରେ ଥିବା ବେଳେ ଯେଉଁ ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶ‌ରେ ଆସିଥିଲେ, ସେମାନଙ୍କ ଦ୍ବାରା ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଟ୍ବିନ୍ ସିଟିରେ ପୁଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ୪ଟି ପୁଲିସ ଡାକ୍ତରଖାନାର ଡାକ୍ତର। ପ୍ରୋଟକୋଲ୍ ଅନୁସାରେ ପୁଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଉଛି।

ସମ୍ବନ୍ଧିତ ଖବର