କ୍ୟାପିଟାଲ ଥାନା ଆଗରେ ଧାରଣା: ବିକ୍ଷୋଭସ୍ଥଳରୁ ସ୍ବାସ୍ଥ୍ୟକର୍ମୀଙ୍କୁ ପୁଲିସ ଉଠାଇ ନେବାରୁ ଉତ୍ତେଜନା

ଦୁଇଦିନ ତଳେ ଦୁଇ ଯୁବତୀଙ୍କୁ ବି ଉଠାଇଥିଲା ପୁଲିସ୍ ‘ଧାରଣାରୁ ହଟାଇବା ପାଇଁ ମାନସିକ ନିର୍ଯାତନା ଦିଆଯାଉଛି’

ଭୁବନେଶ୍ବର: ୪୦ରୁ ଊର୍ଧ୍ବ ଦିନ ଧରି ଲୋୟର୍‌ ପିଏମ୍‌ଜିରେ ଧାରଣା ଦେଇଥିବା ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତିବାଦ ଆଜି ଉଗ୍ରରୂପ ନେଇଛି। ଏକ ମିଥ୍ୟା ଓ ମନଗଢ଼ା ଅଭିଯୋଗକୁ କେନ୍ଦ୍ର କରି ପୁଲିସ୍‌ ଜଣେ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ଉଠାଇ ନେବାରୁ ବିଳମ୍ବିତ ରାତିରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ର ଏପରି ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ସ୍ବାସ୍ଥ୍ୟକର୍ମୀମାନେ ଧାରଣାସ୍ଥଳ ସମେତ କ୍ୟାପିଟାଲ ଥାନା ସମ୍ମୁଖ‌ରେ ହୋହଲ୍ଲା କରିଛନ୍ତି। ଏଏନ୍ଏମ୍ ଦୀପ୍ତିମୟୀ ଦୀପ୍‌ଙ୍କ ଅଭିଯୋଗ ଅନୁଯାୟୀ, ଆଜି ଦିନ ପ୍ରାୟ ୪ଟା ବେଳେ ଦୁଇଜଣ ପୁଲିସ୍‌ ଧାରଣାସ୍ଥଳକୁ ଆସି ଗଂଜାମର ଅଶ୍ବିନୀ ନାୟକ ନାମକ ଜଣେ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ଡାକିଥିଲେ। କିଛି କାମ ଅଛି କହି ତାଙ୍କୁ ଥାନାକୁ ନେଇଯାଇଥିଲେ। ଅଶ୍ବିନୀଙ୍କୁ କାହିଁକି ଥାନାକୁ ନିଆଗଲା ବୋଲି ଏଏନ୍‌ଏମ୍‌ କର୍ମୀମାନେ ପୁଲିସ୍‌କୁ ପଚାରିଥିଲେ ହେଁ ସନ୍ତୋଷଜନକ ଉତ୍ତର ନ ପାଇବାରୁ ରାତି ପ୍ରାୟ ୯ଟା ବେଳେ ଆନ୍ଦୋଳନ କରିଥିଲେ। ଧୀରେଧୀରେ ଏହା ଉଗ୍ରରୂପ ନେଇଥିଲା। ପ୍ରାୟ ୫୦ଜଣ ଏଏନ୍‌ଏମ୍‌ କର୍ମୀ ଥାନା ଆଗରେ ବିକ୍ଷୋଭ କରିବା ସହିତ ଅଶ୍ବିନୀକୁ ଛାଡ଼ିବା ପାଇଁ ଦାବି କରିଥିଲେ। ଏହାକୁ ନେଇ ଥାନା ସମ୍ମୁଖରେ ଭୀଷଣ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଏ ସଂପର୍କ‌‌ରେ କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, କୌଣସି ସ୍ବାସ୍ଥ୍ୟକର୍ମୀଙ୍କୁ ଥାନାକୁ ଅଣାଯାଇ ନାହିଁ।

ଅପରପକ୍ଷେ, ଦୁଇ ଦିନ ତଳେ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଖୋର୍ଦ୍ଧାର ଲକ୍ଷ୍ମୀପ୍ରିୟା ସେଠୀ ଓ ନିରୁପମା ସାହୁଙ୍କୁ ପୁଲିସ୍‌ ଉଠାଇ ନେଇଥିଲା। ପ୍ରାୟ ୫ରୁ ୬ ଘଣ୍ଟା ଥାନାରେ ବସାଇ ବିଭିନ୍ନ ପ୍ରଶ୍ନ କରିବା ପରେ ଛାଡ଼ିଥିଲା ବୋଲି ଏଏନ୍‌ଏମ୍‌ କର୍ମୀମାନେ ସୂଚନା ଦେଇଛନ୍ତି। ନ୍ୟାଯ୍ୟ ଦାବି ପାଇଁ ଏଠାରେ ଦୀର୍ଘ ଦିନ ଧରି ଧାରଣା ଦେଇଥିବାରୁ ପୁଲିସ୍‌ ଆମକୁ ଏଠାରୁ ଘଉଡ଼ାଇବା ପାଇଁ ଏପରି ମାନସିକ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର