ଲାଞ୍ଚ ମାମଲାରେ ଆସିଲା ରାୟ: ସିଓଏର ବରିଷ୍ଠ ସହାୟକଙ୍କୁ ବର୍ଷେ ଜେଲ୍

ଭୁବନେଶ୍ବର: ଜିପିଏଫ୍‌ ଟଙ୍କା ଦେବା ପାଇଁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ଘଟଣାରେ ଲେଖା ନିୟନ୍ତ୍ରକ(ସିଓଏ)ର ତତ୍କାଳୀନ ବରିଷ୍ଠ ସହାୟକ ଶରତ କୁମାର ମିଶ୍ରଙ୍କୁ ଦଣ୍ଡାଦେଶ ହୋଇଛି। ଦୀର୍ଘ ୧୦ ବର୍ଷ ଧରି ଭୁବନେଶ୍ବର ସ୍ପେସାଲ୍ ଜଜ୍‌ଙ୍କ କୋର୍ଟରେ ଏହି ମାମଲା ଚାଲିବା ପରେ ବିଚାରପତି ଏସ୍‌.ଏନ୍ ଷଡ଼ଙ୍ଗୀ ଆଜି ରାୟ ଶୁଣାଇଛନ୍ତି। ଏହି ମାମଲାରେ କୋର୍ଟ ଶ୍ରୀ ମିଶ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ବର୍ଷେ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି।

ସୂଚନାନୁଯାୟୀ, ଢେଙ୍କାନାଳ କୁସୁମଯୋଡ଼ି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅବସର ନେଇଥିଲେ। ଅବସର ନେବା ପରେ ତାଙ୍କୁ ଜିପିଏଫ୍ ବାବଦକୁ ୩ ଲକ୍ଷ ୧୮ହଜାର ୩ଶହ ୫୬ଟଙ୍କା ମିଳିଥିଲା। ଆହୁରି ୪୦ ହଜାରରୁ ଅଧିକ ଟଙ୍କା ମିଳିବାକୁ ଥିବାରୁ ତାଙ୍କ ପୁଅ ସୁଶାନ୍ତ କୁମାର ସ୍ବାଇଁ ୨୦୧୨ମସିହାରେ ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟକୁ ଆସିଥିଲେ। ତତ୍କାଳୀନ ବିଭାଗୀୟ ବରିଷ୍ଠ ସହାୟକ ଶରତ କୁମାର ମିଶ୍ର ଜିପିଏଫ୍ ଟଙ୍କା ମଂଜୁର କରିବା ପାଇଁ ୫ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ପିପି ହେମନ୍ତ କୁମାର ସ୍ବାଇଁ ମାମଲାର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର