୧୭୧୭ କୋଟି ଟଙ୍କାର ଜାଲ୍ ବିଲ୍ ରାକେଟର ପର୍ଦ୍ଦାଫାସ: ବନ୍ଧାହେଲେ ୫ ବ୍ୟବସାୟୀ

ରାଉରକେଲା/କଟକ : ରାଜ୍ୟରେ ଜିଏସ୍‌ଟି ଠକେଇରେ ଆଗରେ ରହିଛି ଇସ୍ପାତ ସହର ରାଉରକେଲା। ଆଜି ଏହି ସହରରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ୍‌କୁ ଏକ ବଡ଼ ସଫଳତା ମିଳିଛି। ୨୪ଟି ଜାଲ୍‌ ସଂସ୍ଥା ଜରିଆରେ ଜାଲ୍‌ ଇନ୍‌ଭଏସ ଓ ଜାଲ୍‌ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) କାରବାର କରୁଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାସ କରାଯାଇପାରିଛି। ମୋଟ୍‌ ୧୭୧୭ କୋଟି ୯୧ କୋଟି ଟଙ୍କାର ଜାଲ୍‌ ବିଲ୍‌ ବଳରେ ୩୧୧ କୋଟି ୩ ଲକ୍ଷ ଟଙ୍କା ଜିଏସ୍‌ଟି ଠକେଇ ଘଟଣାରେ ଦୁଇ ଭାଇଙ୍କ ସମେତ ୫ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଗିରଫ ବ୍ୟବସାୟୀମାନେ ହେଲେ; ଧନୱାନ୍‌ ସା, ତାଙ୍କ ଭାଇ ରାମ ଭରୋସେ ସା, ମନୋଜ କୁମାର ପାଣ୍ଡ, ସୁବାସ କାଣ୍ଡୁଲାନା ଓ ନିକୁ ସିଂହ ଓରଫ ଛତର ସିଂ। ଉଭୟ ଧନୱାନ ଓ ତାଙ୍କ ଭାଇ ରାମ ଉରୋସେ ସ୍ବସ୍ତିକ ଇନ୍‌ଗଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ସୁନୟନା ମେଟାଲ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଓ ସାଇ ରାମ୍‌ ଇନ୍‌ଗଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ତିନିଟି ସଂସ୍ଥାର ବର୍ତ୍ତମାନ ଓ ପୂର୍ବତନ ନିର୍ଦ୍ଦେଶକ ଅଟନ୍ତି। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ପାମରା ଗ୍ରାମସ୍ଥ ସୁବାସ ଟ୍ରେଡର୍ସର ହେଉଛନ୍ତି ସୁବାସ। ରାଉରକେଲା ବାସନ୍ତୀ କଲୋନିର ନିକୁ ସିଂହ ତାଙ୍କର ସହଯୋଗୀ। ଏମାନେ ନିଜ କମ୍ପାନୀ ବ୍ୟତୀତ ୨୩ଟି ଅନ୍ୟ ଜାଲ୍‌ ସଂସ୍ଥା ସୃଷ୍ଟିକରି ଗତ ୨୦୧୮ରୁ ଜାଲ୍‌ କାରବାର କରି ଆସୁଥିଲେ। ଜାଲ୍‌ ଆଇଟିସି ଅନ୍ୟମାନଙ୍କୁ ହସ୍ତାନ୍ତର କରି ଟିକସ ଫାଙ୍କୁଥିଲେ। ଜବତ ହୋଇଥିବା କାଗଜପତ୍ର ଯାଞ୍ଚରୁ ଠକାମୀ ସାମ୍ନାକୁ ଆସିଛି ବୋଲି ଜିଏସ୍‌ଟି ଡେପୁଟି କମିସନର ରମେଶ କୁମାର ମଣ୍ଡଳ ସୂଚନା ଦେଇଛନ୍ତି। ‌

ଏହି ଅଭିଯୁକ୍ତମାନେ ନିଜ କଂପାନି ସହିତ ଅନ୍ୟ ୨୩ଟି ଅନ୍ୟ ଜାଲ୍ ସଂସ୍ଥା ସୃଷ୍ଟି କରି ଜାଲ କାରବାର କରିବା ସହିତ ଜାଲ ଆଇଟିସି ଅନ୍ୟମାନଙ୍କୁ ହସ୍ତାନ୍ତର କରି ଟିକସ ଫାଙ୍କୁଥିବା ଜଣାପଡ଼ିଥିଲା। ୪୮ ଜଣ ଟିକସ ଅଧିକାରୀଙ୍କୁ ନେଇ ଗଠିତ ୧୨ଟି ଟିମ୍ ଏହି ଚଢଉରେ ସଂପୃକ୍ତ ଥିଲେ।

ଉଲ୍ଲେଖଯୋଗ୍ୟ, ଏହି ବ୍ୟାପକ ଠକେଇ ସାମ୍‌ନାକୁ ଆସିବାପରେ ଆଇନ ହାତରୁ ରକ୍ଷା ପାଇବାପାଇଁ ଅଭିଯୁକ୍ତମାନେ ହାଇକୋର୍ଟରେ ଲିଖିତ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ଆବେଦନକୁ ପ୍ରତ୍ୟାଖାନ କରି ତଦନ୍ତରେ ସହଯୋଗ କରିବାଲାଗି ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେମାନେ ସହଯୋଗ କରିବା ପରିବର୍ତ୍ତେ ଅଭିଯୁକ୍ତମାନେ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ଏବଂ ୨୦୨୦ ମେ ୮ରୁ ୨୦୨୨ ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାରେ ଥିଲେ। ୨୦୨୨ ଏପିଲ ୨୨ରେ ହାଇକୋର୍ଟ ସେମାନଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ରଦ୍ଦ କରିବାପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଟ ଫିଟି ଯାଇଥିଲା। ଆଜି ପର୍ଯ୍ୟନ୍ତ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ୯୧୯୬ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ନକଲି ବିଲ୍‌ ରାକେଟ୍‌ର ଜଡ଼ିତ ଥିବା ତଥା ୧୭୩୯ କୋଟି ୮୪ ଲକ୍ଷ ଟଙ୍କାର ଜାଲ୍‌ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ଠକେଇ କରିଥିବା ୨୮ ଜଣଙ୍କୁ ଗିରଫ କରିସାରିଛନ୍ତି।

ସମ୍ବନ୍ଧିତ ଖବର