ବାହାରିଲା ରକ୍ତକୋଷିକା ପରୀକ୍ଷା କିଟ୍‌: ୫ ବର୍ଷର ଗବେଷଣା ପରେ ଆଇଏଲ୍‌ଏସ୍‌କୁ ସଫଳତା

ଭୁବନେଶ୍ବରର: ରକ୍ତକୋଷିକା ପରୀକ୍ଷା ପାଇଁ ବିଦେଶରେ ମିଳୁଥିବା କିଟ୍‌ ବ୍ୟବହାର କରିବାକୁ ପଡ଼ିବନି। ଅପେକ୍ଷାକୃତ ଶସ୍ତା ଓ ଦେଶରେ ପ୍ରଥମଥର ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ମ୍ୟାଗନେଟିକ୍‌ ସେଲ୍‌ ସେପାରେସନ କିଟ୍‌ ‘କୁଇକ୍‌ସର୍ଟ’। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ(ଆଇଏଲ୍‌ଏସ୍‌)ର ବୈଜ୍ଞାନିକମାନେ ୫ବର୍ଷର ଗବେଷଣା ପରେ ଏହି କିଟ୍‌ର ଉଦ୍ଭାବନ କରିଛନ୍ତି। ଭୁବନେଶ୍ବରରେ ଥିବା କମ୍ପାନି ଅବଜେନେକ୍ସ ସହାୟତାରେ ଏହି କିଟ୍‌ ବଜାରରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା ହୋଇଛି। ଶସ୍ତାରେ କିଟ୍‌ ଉପଲବ୍ଧ ହେବା ଦ୍ବାରା ଅନେକ ରୋଗୀ ଉପକୃତ ହୋଇପାରିବେ ବୋଲି ବିଶେଷଜ୍ଞମାନେ ଆଶା କରିଛନ୍ତି। ଆଇଏଲ୍‌ଏସ୍‌ ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କିଟ୍‌ର ଉନ୍ମୋଚନ କରାଯାଇଛି। ଆଇଏଲ୍‌ଏସ୍‌ର ନିର୍ଦେଶକ ଡ. ଅଜୟ ପରିଡ଼ା କହିଛନ୍ତି ଯେ ନାନୋ ଟେକ୍ନୋଲୋଜି ଦ୍ବାରା ଏହି କିଟ୍‌ ପ୍ରସ୍ତୁତ ହୋଇଛି। ଏହା ହସ୍ପିଟାଲ ଓ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ପାଇଁ ବେଶ ଉପଯୋଗୀ ହେବ। କର୍କଟ ସମେତ ଅନ୍ୟ କିଛି ରୋଗର ଚିକିତ୍ସା ସମୟରେ ରୋଗୀଙ୍କ ରକ୍ତରେ ଥିବା ଏକ ନିର୍ଦ୍ଧିଷ୍ଟ କୋଷିକା ପରୀକ୍ଷା କରିବାର ଆବଶ୍ୟକତା ରହିଥାଏ। ରୋଗୀଙ୍କ ସ୍ବାସ୍ଥ୍ୟରେ କ’ଣ ପରିବର୍ତନ ଆସୁଛି, ତାହା ଏହି ପରୀକ୍ଷାରୁ ଜଣାପଡ଼େ। ବହୁତ ଗବେଷଣା ପରେ ଏଭଳି ସଫଳତା ମିଳିଛି ବୋଲି ସେ କହିଥିଲେ। ଉଦ୍‌ଭାବନ କରିଥିବା ବୈଜ୍ଞାନିକ ସଞ୍ଜୀବ ସାହୁ କହିଛନ୍ତି ଯେ ଗୋଟିଏ ଗ୍ରୁପ୍‌ରେ ମିଶି ଆମେ ପ୍ରଥମେ କ୍ୟାନସର ଥେରାପି ଉପରେ ଗବେଷଣା କରୁଛୁ। ୨୦୦୬-୦୭ରେ ମ୍ୟାଗନେଟିକ୍‌ ଥେରାପି ପ୍ରସ୍ତୁତ କରିବାକୁ ଚିନ୍ତା କରିଥିଲୁ। ପରେ ଆଇଏଲଏସ୍‌ ସହ ମିଶି ନାନୋ ମ୍ୟାଗନେଟିକ୍‌ ଉପରେ ଗୁରୁତ୍ବ ଦେଲୁ। ରକ୍ତରେ ବିଭିନ୍ନ ପ୍ରକାର କୋଷିକା ରହିଛି। କିନ୍ତୁ ଚିକିତ୍ସା ସମୟରେ କୌଣସି ଏକ ନିର୍ଦ୍ଦିଷ୍ଟ କୋଷିକାର ଯାଞ୍ଚ କରିବା ଜରୁରୀ। ଏହି କିଟ୍‌ ବ୍ୟବହାର ଦ୍ବାରା ସେହି ନିର୍ଦ୍ଦିଷ୍ଟ କୋଷିକା ସ˚ଗ୍ରହ କରାଯାଇପାରିବ। ଏହାକୁ ନେଇ ପରେ ଚିକିତ୍ସା କିମ୍ବା ଗବେଷଣା ପାଇଁ ବ୍ୟବହାର କରିହେବ। ବଜାରରେ ମିଳୁଥିବା କିଟ୍‌ ତୁଳନାରେ ଏହାର ମୂଲ୍ୟ କମ୍‌ ରହିବ। ଖୁବ୍‌ଶୀଘ୍ର ଭାରତୀୟ ବଜାରରେ ଏହା ଉପଲବ୍ଧ ହେବ। ଅବଜେନେକ୍ସର ସିଏମ୍‌ଡି ସୁଜୟ ସିଂ କହିଛନ୍ତି, ସବୁ ସେଲ୍‌ ଉପରେ ଗୋଟିଏ ପ୍ରୋଟିନ୍‌ ରହିଥାଏ। ସେଗୁଡ଼ିକୁ ଚିହ୍ନଟ ପାଇଁ କିଟ୍‌ ତିଆରି ହୋଇଛି। କର୍କଟ ସହ ଅନ୍ୟ ଭାଇରାଲ୍‌ ରୋଗ ଚିହ୍ନଟ କ୍ଷେତ୍ରରେ ସହାୟକ ହେବ। ୧୪ରୁ ୧୫ବର୍ଷ ହେଲା ଆଇଏଲ୍‌ଏସ୍‌ ମିଶି ଆମେ କାର୍ଯ୍ୟ କରୁଛୁ। ଏହା ବୈଜ୍ଞାନିକଙ୍କ ପାଇଁ ସହାୟକ ହେବ। କାର୍ଯ୍ୟକ୍ରମରେ ଆରଏମ୍‌ଆରସି ନିର୍ଦେଶିକା ସ˚ଘମିତ୍ରା ପତି ପ୍ରଥମ କିଟ୍‌ ନେବା ସହ ସଫଳତା କାମନା କରିଥିଲେ।

ସମ୍ବନ୍ଧିତ ଖବର