ବରିଷ୍ଠ ସରକାରୀ ଅଧିକାରୀଙ୍କ ପାଇଁ ଟେକ୍-ବୁଟକ୍ୟାମ୍ପ

ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ପରିସରରେ ‘ଏଣ୍ଟରପ୍ରାଇଜେସ୍ ଆର୍କିଟେକ୍ଚର ଏବଂ ଇଣ୍ଡିଆ ଫ୍ରେମୱାର୍କ’ ବିଷୟ ଉପରେ ଟେକ୍-ବୁଟକ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବିଭାଗର କମିସନର୍‌ ଭାସ୍କରଜ୍ୟୋତି ଶର୍ମା ଏହି କର୍ମଶାଳାକୁ ଉଦ୍‌ଘାଟନ କରିବା ସହ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ କହିଲେ ଯେ ବର୍ତ୍ତମାନ ସରକାରୀ ବିଭାଗଗୁଡ଼ିକ ଅଲଗା ଅଲଗା ଭାବେ ଇ-ଶାସନ ସମାଧାନର ବିକାଶ କରୁଛନ୍ତି। ପାରସ୍ପରିକ କାର୍ଯ୍ୟଦକ୍ଷତା କେବଳ ବିଭାଗ ଭିତରେ ନୁହେଁ, ବରଂ ଉପଯୁକ୍ତ ଦୃଷ୍ଟିକୋଣ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସହ ସରକାରୀ ବିଭାଗମାନଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ ବୃଦ୍ଧି କରି ଶାସନରେ ଉନ୍ନତି ଆଣିବା ଆବଶ୍ୟକ।

ବରିଷ୍ଠ ନିର୍ଦ୍ଦେଶିକା (ଆଇଟି) ଡ. ପି. ଗାୟତ୍ରୀ, ମହାରାଷ୍ଟ୍ରର ନିର୍ଦ୍ଦେଶିକା (ଆଇଟି) ସୁଶ୍ରୀ ବିଶାଖା ସତୀଶ ଗୋରୱେଡ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିଭିନ୍ନ ବିଭାଗର ୬୦ରୁ ଅଧିକ ଅଧିକାରୀ କର୍ମଶାଳାରେ ଭାଗ ନେଇଥିଲେ। ଡେପୁଟି ଡାଇରେକ୍ଟର ଜେନେରାଲ୍ (ଟ୍ରେନିଂ ଡିଭିଜନ୍) ଡ. ଅଶୋକ କୁମାର ହୋତା ସ୍ୱାଗତ ସମ୍ବର୍ଦ୍ଧନା ଦେଇ କହିଥିଲେ ଯେ ଏହି ଟେକ୍-ବୁଟକ୍ୟାମ୍ପ ଆମକୁ ଏଣ୍ଟରପ୍ରାଇଜ୍ ସ୍ଥାପତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବ। ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ କବିତା ରୟ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର