ଖଣ୍ଡଗିରି ପାହାଡ଼ରେ ସାଧୁଙ୍କ ଗଳିତ ଶବ

ଆତ୍ମହତ୍ୟା ସନ୍ଦେହ, ୧୫ ଦିନ ପୂର୍ବରୁ ମୃତ୍ୟୁ ଆଶଙ୍କା

ଭୁବନେଶ୍ବର: ରବିବାର ସକାଳୁ ଖଣ୍ଡଗିରି ପାହାଡ଼ସ୍ଥିତ ଜୈନ ମନ୍ଦିର ପଛ ପାର୍ଶ୍ବରୁ ଜଣେ ସାଧୁଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ସାଧୁଙ୍କ ବେକରେ ଏକ ଗାମୁଛା ବନ୍ଧା ହୋଇଥିଲା। ପାରିପାର୍ଶ୍ବିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ସାଧୁଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ଖଣ୍ଡଗିରି ପୁଲିସ କହିଛି। ଜବତ ଶବକୁ ପୁଲିସ ବ୍ୟବଚ୍ଛେଦ ପାଇଁ ଏମ୍‌ସକୁ ପଠାଇଛି। ସାଧୁଙ୍କ ପରିଚୟ ମିଳି ନଥିବାରୁ ବ୍ୟବଚ୍ଛେଦ କରାଯାଇ ଶବ ସଂରକ୍ଷଣ ଗୃହରେ ରଖାଯାଇଛି।
ଖବର ଅନୁଯାୟୀ, କିଛି ଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ଦୁର୍ଗନ୍ଧ ହେଉଥିବା ଜୈନ ମନ୍ଦିରରେ କାମ କରୁଥିବା କିଛି ଶ୍ରମିକ ଅନୁଭବ କରିଥିଲେ।

ଦୁର୍ଗନ୍ଧ ବଢ଼ିବାରୁ ଜୈନ ମନ୍ଦିର ପଛପାର୍ଶ୍ବରେ ଥିବା ଗୁପ୍ତ ଗଙ୍ଗା ଗୁମ୍ଫା ନିକଟକୁ ଯାଇ ଦେଖିବାରୁ ସେଠାରେ ଜଣେ ସାଧୁଙ୍କ ମୃତଦେହ ଝୁଲୁଥିବା ପାଇଥିଲେ। ଶବଟି ପ୍ରାୟ ୬୦ ଭାଗ ପଚି ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏମ୍‌ସ ନେଇଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ କାରଣ ଜଣାପଡ଼ିନାହିଁ। ସାଧୁଙ୍କ ମୁଣ୍ଡରେ ଚନ୍ଦନ ଲେପ ରହିଥିବା ବେଳେ ଦେହ ଫୁଙ୍ଗୁଳା ଥିଲା ଏବଂ ଅଣ୍ଟା ତଳକୁ ଗାମୁଛା ବନ୍ଧା ହୋଇଥିଲା। ପ୍ରାୟ ୧୫ ଦିନ ତଳୁ ସାଧୁଙ୍କ ମୃତ୍ୟୁ ହୋଇଥିବା‌ ପୁଲିସ ଆଶଙ୍କା କରୁଛି। ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆସିବା ପରେ ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର