ପ୍ରଥମ ମହିଳା ବାଣିଜ୍ୟ ମେଳା ସରିଲା: ମହିଳାମାନେ ନିଜ ଶରୀରକୁ ବୁଝନ୍ତୁ

ଭୁବ‌ନେଶ୍ବର:ମହିଳମାନେ ନିଜ ଶରୀରକୁ ବୁଝିବା ଆବଶ୍ୟକ। କୌଣସି ଅସ୍ବାଭାବିକ ପରିବର୍ତ୍ତନ ଦେଖାଦେଲେ ହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ମହିଳାଙ୍କ ସ୍ବାସ୍ଥ୍ୟ ଶୀର୍ଷକ ଅଧିବେଶନରେ ଯୋଗଦେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଚିରରଞ୍ଜନ ଖଡ଼ଙ୍ଗା ଏହା କହିଛନ୍ତି। ସେ କହିଛନ୍ତି, ଯେତେଶୀଘ୍ର ଆମେ ରୋଗକୁ ଚିହ୍ନଟ କରିପାରିବା, ତାହାର ଉପଯୁକ୍ତ ଚିକିତ୍ସା କରି ରୋଗୀକୁ ସୁସ୍ଥ କରାଯାଇ ପାରିବ। ତେଣୁ ହେଳା ନକରି ଡାକ୍ତରଙ୍କୁ ପରାମର୍ଶ ନେବା ଆବଶ୍ୟକ। ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ଗର୍ଭଧାରଣା ସମୟରେ ମହିଳାଙ୍କ ସମସ୍ୟା, କାରଣ ଓ ନିରାକରଣ ସଂପର୍କରେ ମତ ରଖିଥିଲେ।

ପୂର୍ବରୁ ମହିଳାମାନେ ଗର୍ଭବତୀ ହେବାର ବୟସ ୩୦ ବୋଲି ବିଚାର କରୁଥିଲେ। ଏବେ ୩୫ବୋଲି ଭାବିଲେଣି। କର୍ମ କ୍ଷେତ୍ରରେ ହେଉଥିବା ବିଭିନ୍ନ ସମସ୍ୟା ପାଇଁ ମହିଳାମାନେ ଏପରି ବିଚାର କରୁଛନ୍ତି। ହେଲେ ବୟସ ବଢ଼ିବା ସହିତ ଗର୍ଭଧାରଣ ସମସ୍ୟା ହେବା ଏକ ସ୍ଵାଭାବିକ କଥା। ପୋଷଣ ବିଶେଷଜ୍ଞ ସଂଗୀତା ଜେନା କହିଲେ, ମହିଳାମାନେ ନିଜକୁ ପଛରେ ରଖି ପରିବାରକୁ ଆଗକୁ ରଖନ୍ତି, ନିଜ ପ୍ରତି ଅବହେଳା କରନ୍ତି। ଫଳରେ ଅଜାଣତରେ ସେମାନେ ଅନେକଗୁଡ଼ିଏ ରୋଗର ଶିକାର ହୁଅନ୍ତି। ଏହି ଅଧିବେଶନରେ ପ୍ରଜ୍ଞା ପରମିତା ମିଶ୍ର ସଂଯୋଜନା କରିଥିଲେ।

ଇଚ୍ଛା ଥିଲେ ସବୁ କରିହେବ

‘ନିଜ ରାସ୍ତା ନିର୍ଧାରଣ କର’ ଶୀର୍ଷକ ଅଧିବେଶନରେ ବ୍ୟୁଟିସିଆନ୍‌ ମୀନାକ୍ଷୀ ଦତ୍ତ, ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ, ଅଭିନେତ୍ରୀ ଶୀତଳ ପାତ୍ର ଯୋଗ‌ଦେଇ ଆଲୋଚନା କରିଥିଲେ। ଶ୍ରୀମତୀ ଦତ୍ତ କହିଥିଲେ, ସବୁ ଗ୍ରାହକଙ୍କୁ ସମାନ ଦୃଷ୍ଟିରେ ଦେଖିବା ଓ ସେବା ପ୍ରଦାନ କରିବା ତାଙ୍କୁ ସଫଳତା ଦେଇଛି। ଶ୍ରୀ ଯୋଶୀ ନିଜ କହିଥିଲେ, ମୁଁ ମୋ ମା’ଙ୍କ ଶାଢ଼ିରୁ ମୋ ଡ୍ରେସ୍ ତିଆରି କରିଥିଲି। ଓଡ଼ିଶାର ହସ୍ତକଳା, ଓଡ଼ିଶାର ସଂସ୍କୃତିକୁ ମୋ ଡ୍ରେସ୍ ମାଧ୍ୟମରେ ମୁଁ ସବୁଠି ପ୍ରଚାର କରୁଛି। ଶୀତଳ କହିଥିଲେ, ମନରେ ଇଚ୍ଛା ଥିଲେ ସବୁ କିଛି କରି ହେବ। ମୁଁ ମେଡିକାଲ ପାଠ ପଢ଼ିବା ସହ ନୃତ୍ୟ ଓ ଅଭିନୟ ପାଇଁ ସମୟ ବାହାର କରିପାରୁଛି। କାର୍ଯ୍ୟକ୍ରମକୁ ସୋନିକା ପ୍ରଧାନ ସଂଯୋଜନା କରିଥିଲେ।

ମହିଳା ଓ ପୁରୁଷଙ୍କୁ ସମଦୃଷ୍ଟିରେ ଦେଖି ହେବ ନାହିଁ

ତୃତୀୟ ଅଧିବେଶନରେ ଇନ୍‌ଫୋସିସ୍‌ ବିଜନେସ୍‌ ଲିଡର୍‌(ମାନବ ସମ୍ବଳ) ବବି ପଟ୍ଟନାୟକ, ଡାଇଭର୍ସସର ପ୍ରତିଷ୍ଠାତ୍ରୀ ଅର୍ଚ୍ଚନା ମିଶ୍ର ଯୋଗ ଦେଇଥିଲେ। ଶ୍ରୀମତୀ ପଟ୍ଟନାୟକ କହିଥିଲେ, କାର୍ଯ୍ୟ କ୍ଷେତ୍ରରେ ମହିଳା ଓ ପୁରୁଷଙ୍କୁ ସମଦୃଷ୍ଟିରେ ଦେଖି ହେବ ନାହିଁ। ପୁରୁଷଙ୍କ ପାଇଁ ଗୋଟିଏ ସିଧା ରାସ୍ତା ଥିବା ବେଳେ ମହିଳାଙ୍କ ପାଇଁ ଅନେକ ବାଧା ରହିଛି। ତେଣୁ ପୁରୁଷ ଓ ମହିଳାଙ୍କ ଭିତରେ ତୁଳନା କରାଯିବା ଉଚିତ ନୁହେଁ। ସମସ୍ତଙ୍କ ପାଇଁ ଏକ ଭଲ କର୍ମସ୍ଥଳ ତିଆରି କରିବା ପାଇଁ ନୂଆନୂଆ ଶୈଳୀ ତିଆରି କରିବାକୁ ହେବ। ସେହିପରି ଶ୍ରୀମତୀ ମିଶ୍ର କହିଥିଲେ, ବିଭିନ୍ନତା ଓ ବିବିଧତା କାର୍ଯ୍ୟଶୈଳୀର ଏକ ଅଂଶ। ସବୁ କର୍ମଚାରୀ ନିଜ ଭିତରେ ସ୍ବତନ୍ତ୍ର ଓ ଅନନ୍ୟ। ତେଣୁ ସେମାନଙ୍କ ଯୋଗ୍ୟତା ହିସାବରେ କାର୍ଯ୍ୟପନ୍ଥା ତିଆରି କରିବାକୁ ହେବ। କାର୍ଯ୍ୟକ୍ରମକୁ ସାଇକ୍ରିଷ୍ଣା ମହାନ୍ତି ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର