ଏଟିଏମ୍‌ରେ ଟଙ୍କା ଭର୍ତି ନାଁରେ ୪୦ ଲକ୍ଷ ଟଙ୍କା ଆତ୍ମସାତ ଘଟଣା, ୩୭ ଲକ୍ଷ ୬୯ ହଜାର ଟଙ୍କା ଜବତ, ଦୁଇ ଗିରଫ

ଭୁବନେଶ୍ବର: ଏଟିଏମ୍‌ରେ ଟଙ୍କା ଭର୍ତି ନାଁରେ ୪୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଡିଆଣ୍ଟ କ୍ୟାସ ମ୍ୟାନେଜମେଣ୍ଟର ଡ୍ରାଇଭର ରତିକାନ୍ତ ରାଉତ ଓରଫ ସଦା ଓ ତାଙ୍କ ଧରମ ଜ୍ବାଇଁ ଅଜିତ କୁମାର ସେନ୍ ଓରଫ ମିଲୁ। ରତିକାନ୍ତ ଚନ୍ଦ୍ର‌ଶେଖରପୁର ଥାନା ଅଧୀନ ସିଏମ୍‌ପିଡିଆଇ କଲୋନି ନିକଟ ବସ୍ତିରେ ରହୁଥିବା ବେଳେ ଅଜିତ ସହିଦନଗର ଥାନା ଅଧୀନ ବିଶେଶ୍ବରୀ ବସ୍ତିରେ ରହେ। ଦୁହିଁଙ୍କ ନିକଟରୁ ପୁଲିସ ୩୭ ଲକ୍ଷ ୬୯ ହଜାର ଟଙ୍କା, ଟଙ୍କା ବୁହା ଗାଡ଼ି, ନକଲି ଚାବି, ୩ଟି ମୋବାଇଲ୍‌ ଜବତ କରିଛି। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ଜାରି ରହିଛି। ବଳକା ୨ଲକ୍ଷ ୩୧ ହଜାର ଟଙ୍କା ଜବତ ଲାଗି ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରୁଛି ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି। ଆଜି ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ଶ୍ରୀ ସାହୁ କହିଛନ୍ତି, ଚଳିତ ମାସ ୬ତାରିଖରେ ରାଡିଆଣ୍ଟ କ୍ୟାସ ମ୍ୟାନେଜମେଣ୍ଟର ମ୍ୟାନେଜର୍‌ ଦେବାଶିଷ ରାଉତରାୟ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ କି ଚଳିତ ମାସ ୫ତାରିଖରେ ସଂସ୍ଥାର କେତେକ କର୍ମଚାରୀ ୟୁନିଟ-୧ ଷ୍ଟେଟ ବ୍ୟାଙ୍କରୁ ୨ କୋଟି ୫୮ ଲକ୍ଷ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍‌ରେ ଜମା କରିବାକୁ ଯାଇଥିଲେ। ସମ୍ ହସ୍ପିଟାଲ ନିକଟରେ ଥିବା ଏକ ଏଟିଏମ୍‌ରେ ଟଙ୍କା ଜମା କରିବା ବେଳେ ଏଟିଏମ କଷ୍ଟୋଡିଆନ୍ ଗୋବିନ୍ଦ ବେହେରା ଓ ଜି ଶିବ ଦୋରା ଦେଖିବାକୁ ପାଇଥିଲେ କି ଟଙ୍କା ଗାଡ଼ି‌ରେ ୪୦ ଲକ୍ଷ ଟଙ୍କା କମ୍ ଅଛି। ମ୍ୟାନେଜର୍‌ଙ୍କ ଅଭିଯୋଗ ପରେ ପରେ କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସ୍ପେସାଲ ସ୍କ୍ବାଡ୍‌କୁ ତଦନ୍ତ ଦାୟିତ୍ବ:
ଏତେ ପରିମାଣର ଟଙ୍କା ଗାଏବ ଅଭିଯୋଗ ଆସିବା ପରେ ଡିସିପି ଅନୁପ ସାହୁ ଘଟଣାର ତଦନ୍ତ ସ୍ପେସାଲ ସ୍କ୍ବାଡ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ପେସାଲ ସ୍କ୍ବାଡ୍‌ ପ୍ରଥମେ ଏଟିଏମ କଷ୍ଟୋଡିଆନ୍‌ ଗୋବିନ୍ଦ ବେହେରା ଓ ଜି ଶିବ ଦୋରାଙ୍କୁ କାବୁ କରି ପଚରାଉଚରା କରିଥିଲା। ପଚରା ବେଳେ କେଉଁମାନେ ଏଟିଏମରେ ଟଙ୍କା ଭର୍ତି କରିବାକୁ ଯାଇଥାନ୍ତି,‌ ସେ ସମ୍ପର୍କରେ ଖୋଳତାଡ଼ ହୋଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଗୋବିନ୍ଦ ବେହେରା, ଜି ଶିବ ଦୋରା, ବନ୍ଧୁକଧାରୀ ମନୋରଂଜନ ଦାସ ଓ ଡ୍ରାଇଭର୍‌ ରତିକାନ୍ତ ରାଉତ ପ୍ରମୁଖ ଏଟିଏମରେ ଟଙ୍କା ଜମା କରିଥାନ୍ତି। ପୁଲିସ ସମସ୍ତଙ୍କୁ ଥାନାକୁ ଡକାଇ ତନାଘନା କରିଥିଲା। କେମିତି ଓ କେଉଁ ପରିସ୍ଥିତିରେ ଟଙ୍କା ଏଟିଏମରେ ଜମା ହୁଏ, ଜଣଜଣ କରି ପଚରାଉଚରା କରାଯାଇଥିଲା। ସମସ୍ତେ ସମାନ ଉତ୍ତର ଦେଇଥିଲେ। କହିଥିଲେ ଦୁଇଜଣ କଷ୍ଟୋଡିଆନ୍‌ ଓ ବନ୍ଧୁକଧାରୀ ଟଙ୍କା ନେଇ ଏଟିଏମରେ ଭର୍ତି କରିଥାନ୍ତି। ଡ୍ରାଇଭର୍‌ ଗାଡ଼ି ଭିତରେ ବସି ରହେ। ଏଇଠି ପୁଲିସ ସନ୍ଦେହ ଡ୍ରାଇଭର୍‌ ରତିକାନ୍ତ ଉପରେ ବଢ଼ି ଯାଇଥିଲା।

କେମିତି ଆରମ୍ଭ ହେଲା ତଦନ୍ତ:
ପୁଲିସ ରତିକାନ୍ତ ଉପରେ ନଜର ରଖିଥିଲା। ଏହି ସମୟ ମଧ୍ୟରେ ପୁଲିସ ରତିକାନ୍ତ ମୋବାଇଲ୍ ଫୋନ୍ ନମ୍ବର ଟ୍ରାକ କରିବା ଆରମ୍ଭ କରିଥିଲା। ଘଟଣା ଦିନ ରତିକାନ୍ତ ତା ମୋବାଇଲ୍ ଫୋନ୍‌ରୁ ନିର୍ଦିଷ୍ଟ ଏକ ମୋବାଇଲ୍ ଫୋନ୍‌କୁ ବାରମ୍ବାର କଲ୍ କରିଥିଲା। ସେହି ନମ୍ବର ଟ୍ରାକ କରିବା ପରେ ପୁଲିସ ଜାଣି ପାରିଥିଲା ଯେ ଅଜିତ କୁମାର ସେନ ନାମକ ଜଣେ ଯୁବକଙ୍କ ସହିତ ରତିକାନ୍ତ କଥା ହୋଇଛନ୍ତି। ପୁଲିସ ରତିକାନ୍ତକୁ ଉଠାଇ ଆଣି ପଚରାଉଚରା କରିଥିଲା। ପଚରା ଉଚରା ବେଳେ ରତିକାନ୍ତ ମାନି ଯାଇଥିଲା ଯେ ଗତ କିଛି ଦିନ ହେବ ସେ ଟଙ୍କା ଗାଏବ କରିବ ବୋଲି ଯୋଜନା କରିଥିଲା। କଷ୍ଟୋଡିଆନ ଓ ବନ୍ଧୁକଧାରୀ ଟଙ୍କା ନେଇ ଏଟିଏମରେ ଭର୍ତି କରିବାକୁ ଗଲା ବେ‌ଳେ ଟଙ୍କା ବାକ୍ସର ଅନ୍ୟ ଏକ ଚାବି ଛାଡ଼ି ଦେଇଥାନ୍ତି। ସେହି ଚାବିରୁ ଏକ ନକଲି ଚାବି ପ୍ରସ୍ତୁତ କରିଥିଲା ରତିକାନ୍ତ।

କୁଆଡ଼େ ଗଲା ବଳକା ୨ ଲକ୍ଷ ୩୧ ହଜାର ଟଙ୍କା?
ରାଡିଆଣ୍ଟ କ୍ୟାସ ମ୍ୟାନେଜମେଣ୍ଟ ସଂସ୍ଥାର ଅଭିଯୋଗ ମୁତାବକ ଗାଡ଼ିରୁ ୪୦ ଲକ୍ଷ ଟଙ୍କା ହଡ଼ପ ହୋଇଥିଲା। ସେ ଦିନ ଥିଲା ୫ତାରିଖ। ପରଦିନ ଥାନାରେ ଏତଲା ଦିଆଗଲା। ପୁଲିସ ସାଙ୍ଗେ ସାଙ୍ଗେ ସନ୍ଦେହ ହେଉଥିବା ସଂସ୍ଥାର କର୍ମଚାରୀଙ୍କୁ ଉଠାଇ ଆଣି ଥାନାରେ ଜେରା ଆରମ୍ଭ କରିଥିଲା। ଏପରିକି ରତିକାନ୍ତ ମଧ୍ୟ ଥାନାରେ ଥିଲା। ଘଟଣା ଦୁଇ ଦିନ ପରେ ପୁଲିସ ଅର୍ଥାତ ୮ ତାରିଖରେ ରତିକାନ୍ତଙ୍କ ଧରମ ଜ୍ବାଇଁ ଅଜିତଙ୍କୁ ଉଠାଇଥିଲା। ସେହି ଦିନ ପୁଲିସ ତା’ଠାରୁ ୩୭ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ବଳକା ୨ ଲକ୍ଷ ୩୧ ହଜାର ଟଙ୍କା ଗଲା କୁଆଡେ?

ସ୍ପଷ୍ଟ ଦିବାଲୋକରେ ଟଙ୍କା ଗାଏବ କଲେ:
ଘଟଣା ଦିନ ଅଶୋକନଗର ଟାଇଟନ୍‌ ଘଣ୍ଟା ସୋ’ ରୁମ୍ ନିକଟରେ ଟଙ୍କା ଭର୍ତି କରିବାକୁ କଷ୍ଟୋଡିଆନ ଓ ବନ୍ଧୁକଧାରୀ ଯାଇଥିବା ବେଳେ ରତିକାନ୍ତ ନକଲି ଚାବି ଯୋଗେ ଟଙ୍କା ବାକ୍ସ ଖୋଲି ୪୦ ଲକ୍ଷ ଟଙ୍କା କାଢ଼ି ନେଇଥିଲେ। ଏହି ସମୟରେ ଗାଡ଼ି ନିକଟରେ ଅପେକ୍ଷା କରିଥିଲେ ତାଙ୍କ ଧରମ ଜ୍ବାଇଁ ଅଜିତ କୁମାର ସେନ। ସେହି ଟଙ୍କା ତକ ସେ ଧରି ତୁରନ୍ତ ସେଠାରୁ ଖସି ପଳାଇଥିଲେ। ଦିନ ୧ଟା ବେଳେ ଏଭଳି ଘଟଣା ଘଟିଥିଲେ ମଧ୍ୟ କେହି ଏହାର ସୁରାକ ପାଇ ନ ଥିଲେ। ପରେ ସମ୍ ହସ୍ପିଟାଲ ନିକଟରେ ଜଣାପଡ଼ିଥିଲା୪୦ ଲକ୍ଷ ଟଙ୍କା କମ୍ ଅଛି ବୋଲି। ଟଙ୍କା ଗାଡ଼ିରୁ ଟଙ୍କା ଗାଏବ ହୋଇ ଯିବା ପରେ ରାଡିଆଣ୍ଟ କ୍ୟାସ ମ୍ୟାନେଜମେଣ୍ଟ ସଂସ୍ଥାରେ ଚହଳ ପଡ଼ି ଯାଇଥିଲା। ସମସ୍ତେ ପରସ୍ପର ଉପରେ ସନ୍ଦେହ କରିଥିଲେ। ପରେ କଥା ଥାନାକୁ ଆସିଥିଲା।

ସମ୍ବନ୍ଧିତ ଖବର