ମିଠା ଦୋକାନୀ ଜମ୍ବୁ ହତ୍ୟା ମାମଲା : ବ୍ରହ୍ମପୁରରେ ସ୍ପେସାଲ ସ୍କ୍ବାଡ୍‌

ଭୁବନେଶ୍ୱର : ମିଠା ଦୋକାନୀ ପ୍ରଭାକର ସାହୁ ଓରଫ ଜମ୍ବୁକୁ ହାଣି ହତ୍ୟା ଘଟଣାରେ କମିସନରେଟ୍‌ ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌ ସୁପାରି କିଲର୍‌ଙ୍କ ସନ୍ଧାନରେ ଆଜି ବ୍ରହ୍ମପୁରରେ ପହଞ୍ଚିଛି। ସ୍କ୍ବାଡ୍‌ର ଦୁଇଟି ଟିମ୍‌ ସ୍ଥାନୀୟ ପୁଲିସ୍‌ ସହାୟତାରେ ଅପରାଧୀମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାଯାଇଛି। ସୁପାରି କିଲର ଦୁଇଜଣ ନୁହନ୍ତି, ବରଂ ୩ଜଣ ବୋଲି ଜଣାପଡ଼ିଛି। ଜଣେ ମାଷ୍ଟରମାଇଣ୍ଡ ଥିବା ବେଳେ ଅନ୍ୟ ଦୁଇଜଣ ତା’ ପାଇଁ କାମ କରନ୍ତି। ପୂର୍ବରୁ ରାଜ୍ୟ ବାହାରେ ମଧ୍ୟ ସେମାନେ ପଇସା ନେଇ ହତ୍ୟା‌କାଣ୍ଡ କରୁଥିବା ପୁଲିସ୍‌ ସୁରାକ୍‌ ପାଇଛି। ଭୁବନେଶ୍ବର, ପୁରୀ, ବ୍ରହ୍ମପୁର ଜିଲ୍ଲା ସମେତ ଝାଡ଼ଖଣ୍ଡରେ ମଧ୍ୟ ଏହି ଗୋଷ୍ଠୀ ଏଭଳି କାଣ୍ଡ ଘଟାଉଥିବା ଜଣାପଡ଼ିଛି।

ଅନ୍ୟପଟେ କୋର୍ଟରେ ଆତ୍ମସମର୍ପଣ କରିଥିବା ରାଜକୁମାରକୁ ୫ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୁଲିସ୍‌ କରିଥିବା ଆବେଦନକୁ ମଞ୍ଜୁରି ମିଳିନାହିଁ। ତେଣୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ରାଜକୁମାର ଏହି ଅଭ୍ୟାସଗତ ଅପରାଧୀଙ୍କ ପାଖରେ କିଭଳି ପହଞ୍ଚିଲା? ଯଦିଓ ରାଜକୁମାର ନାମରେ ଆପରାଧିକ ରେକର୍ଡ ନାହିଁ ତଥାପି ସେ କିଛି ଅପରାଧରେ ସାମିଲ ଥିଲା କି? ଏ ସବୁ ଉପରେ ପୁଲିସ ଅଧିକ ଖୋଳତାଡ଼ କରୁଛି। ସୂଚନା ମୁତାବକ, ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଜଗତ୍‌ସିଂହପୁରର ପ୍ରଭାକର ସାହୁ ଓରଫ ଜମ୍ବୁକୁ ଜଣେ ଦୁର୍ବୃତ୍ତ ଗତ ୪ ତାରିଖରେ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର