ପ୍ରତିଶ୍ରୁତିରେ ପଳାସୁଣୀ ଫୁଟ୍‌ ଓଭରବ୍ରିଜ୍: ୩ ବର୍ଷରେ ଗଲାଣି ୧୪ ଜୀବନ

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ପଳାସୁଣୀ ଛକ ମରଣଯନ୍ତା ଭାବେ ବେଶ୍ ଜଣାଶୁଣା। ବହୁ ବର୍ଷ ହେଲା ବ୍ଲାକ୍‌ସ୍ପଟ୍‌ ଭାବେ ପରିଚିତି ଲାଭ କରିଥିବା ଏହି ଛକ ବହୁ ମର୍ମନ୍ତୁଦ ଦୁର୍ଘଟଣାର ମୁକସାକ୍ଷୀ। ୩ ବର୍ଷ ଭିତରେ ଏହି ଛକରେ ୧୪ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ତେଣୁ ଏଠାରେ ଏକ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରାଯାଉ ବୋଲି ଦାବି ହୋଇଆସୁଛି। ମାତ୍ର ଫୁଟ୍‌ ଓଭରବ୍ରିଜ୍‌ ପ୍ରତିଶ୍ରୁତିରେ ରହିଯାଇଛି। ଦୁର୍ଘଟଣା ଘଟିଲେ, ଫୁଟ୍‌ ଓଭରବ୍ରିଜ୍‌ କଥା ମନେପଡ଼େ ଏବଂ ଆନ୍ଦୋଳନ ହୁଏ। ନେତାମାନେ ପହଞ୍ଚି ପ୍ରତିଶ୍ରୁତି ଅଜାଡ଼ି ଦିଅନ୍ତି। ଏମିତି ଚାଲିଛି ବର୍ଷ ବର୍ଷ ଧରି। କିନ୍ତୁ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ହୋଇପାରି ନାହିଁ।

ଆଜି ସକାଳେ ପ୍ରାୟ ସାଢ଼େ ୫ଟା ବେଳେ ଏହି ଛକରେ ଘଟିଥିଲା ଏକ ଲୋମଟାଙ୍କୁରା ଦୁର୍ଘଟଣା। ସୋନପୁରରୁ ପୁରୀ ଯିବା ପାଇଁ ଆସିଥିବା ଏକ ବୃଦ୍ଧ ଦମ୍ପତି ଏଠାରେ ବସ୍‌ ଧରିବାକୁ ରାସ୍ତା ପାର ହେଉଥିବା ବେଳେ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ଉମେଶ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ନଳିନୀ ଟ୍ରକ୍‌ ଚକରେ ଦଳି ହୋଇ ପ୍ରାଣ ହରାଇଥିଲେ। ନଳିନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍‌ ଉମେଶଙ୍କୁ ପ୍ରାୟ ୨୦୦ ମିଟର ଘୋଷାରିନେଇଥିଲା। ବିବାହ ବାର୍ଷିକୀ ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ବୃଦ୍ଧ ଦମ୍ପତି ଏଭଳି ଏକ ଛାତିଥରା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶହଶହ ସଂଖ୍ୟାରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଅସନ୍ତୋଷ ଝାଡ଼ିଥିଲେ। ସେମାନେ ରାସ୍ତା ଅବରୋଧ କରିବାକୁ ଉଦ୍ୟମ କଲା ବେଳେ ମଞ୍ଚେଶ୍ବର ଥାନା ପୁଲିସ ସେମାନଙ୍କୁ ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣ କରିଥିଲା।

ବଡ଼ କଥା ହେଉଛି, ଶତାଧିକ ଲୋକ ଆଜି ପଳାସୁଣୀ ଛକରେ ପାଟିତୁଣ୍ଡ କରି ଏହାକୁ ଏକ ନିର୍ବାଚନୀ ମୁଦ୍ଦାରେ ପରିଣତ କରିବାକୁ ଚେଷ୍ଟା କରିଥିଲେ। ଫୁଟ୍‌ ଓଭରବ୍ରିଜ୍‌ ପାଇଁ ପ୍ରତିଶ୍ରୁତି ଦେଇଥିବା ନେତାମାନଙ୍କ ନାଁ ନେଇ କିଛି ଲୋକ ନାରାବାଜି ମଧ୍ୟ କରିଥିଲେ। ଏଥର ସେମାନେ ନୋଟାରେ ଭୋଟ୍‌ ଦେବେ ବୋଲି କହିଥିଲେ। ସମାଜସେବୀ ନାରାୟଣ ପୃଷ୍ଟିଙ୍କ କହିବା କଥା ନେତାମାନେ ବହୁତ ପ୍ରତିଶ୍ରୁତି ଦେଲେଣି। କିନ୍ତୁ ଅସଲ କଥା ହେଉଛି, କାହାର ଆନ୍ତରିକତା ନାହିଁ। ନୂଆପଲ୍ଲୀ, ସତ୍‌ସଙ୍ଗବିହାରରେ ଫୁଟ୍‌ ଓଭରବ୍ରିଜ୍ ନିର୍ମାଣ ସରିଛି। କିନ୍ତୁ ପଳାସୁଣୀରେ ହୋଇପାରିଲା ନାହିଁ। ଏହାକୁ ନେଇ ରାଜନୈତିକ ଛକାପଞ୍ଝା ଚାଲିଛି। ସମସ୍ତେ ବାହାଦୂରୀ ନେବାକୁ ତତ୍ପର। କିନ୍ତୁ ମୁଣ୍ଡ ଗଡ଼ି ଚାଲିଛି। ଆଉ କେତେ ମୁଣ୍ଡ ଗଡ଼ିବା ପରେ ଏଠାରେ ଫୁଟ୍‌ ଓଭରବ୍ରିଜ୍‌ ହେବ ବୋଲି ଶ୍ରୀ ପୃଷ୍ଟି ପ୍ରଶ୍ନ କରିଛନ୍ତି। ଏଠାରେ ସର୍ବାଧିକ ଦୁର୍ଘଟଣା ଘଟୁଛି। କେବଳ ରାସ୍ତା ପାର୍‌ ହେଉଥିବା ଲୋକେ ଦୁର୍ଘଟଣାର ଶିକାର ହେଉନାହାନ୍ତି, ଗାଡ଼ିକୁ ଗାଡ଼ି ଧକ୍କା ହୋଇ ଅନେକ ମୁଣ୍ଡ ଗଲାଣି। ସବୁବେଳେ ଦୁର୍ଘଟଣା ପରେ ମାପଚୁପ ହେଉଛି। ୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ବାହାପିଆ କଥା କୁହାଯାଉଛି। କିନ୍ତୁ ଫଳ ଶୂନ। ଏହି ଛକରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଦାବି କରି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପୁରୁଷ, ମହିଳା, ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଅନେକ ଥର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏନ୍‌ଏଚ୍‌ଏଆଇକୁ ଚିଠି ଲେଖି ଜଣାଇଛନ୍ତି। ଜନପ୍ରତିନିଧିଙ୍କୁ ମଧ୍ୟ ଭେଟି ଦାବି ଜଣାଇଛନ୍ତି ବୋଲି ଶ୍ରୀ ପୃଷ୍ଟି କହିଛନ୍ତି।

ସମ୍ବନ୍ଧିତ ଖବର