ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚ୍ୟାଲେଂଜ: ‘ଅମ୍ବାନି-ଆଦାନିଙ୍କଠାରୁ କେତେ ମାଲ୍‌ ନେଇଛ ଜଣାଅ’

ନୂଆଦିଲ୍ଲୀ: କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ପାଇଁ ଏକ ନୂଆ ଧାରା ବାହାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୁଧବାର ମୋଦୀ କହିଛନ୍ତି ଯେ ଭାରତର ପ୍ରମୁଖ ଶିଳ୍ପପତି ଆଦାନି ଓ ଅମ୍ବାନିଙ୍କ ଉପରେ ରାହୁଲ ଗାନ୍ଧୀ ନିରନ୍ତର ଆକ୍ରମଣ କରୁଥିଲେ, କିନ୍ତୁ କ’ଣ ଏମିତି ହେଲା ଯେ ରାତାରାତି ଗାଳିଗୁଲଜ କରିବା ବନ୍ଦ କରିଦେଲେ? ନିଶ୍ଚୟ ସେମାନେ ଆଦାନି ଓ ଅମ୍ବାନିଙ୍କଠାରୁ ବିପୁଳ ପରିମାଣର କଳାଟଙ୍କା ନେଇ ଗାଳିଗୁଲଜ କରିବା ବନ୍ଦ କରିଛନ୍ତି ବୋଲି ମୋଦୀ ଅଭିଯୋଗ କରିଛନ୍ତି। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କଂଗ୍ରେସର ଶେହଜାଦା (ରାହୁଲ)ଙ୍କୁ ଆପଣ ୫ ବର୍ଷ ଧରି ଅମ୍ବାନି ଓ ଆଦାନିଙ୍କ ନାମ ଜପ କରୁଥିବା ଦେଖିଥିବେ।

ନିର୍ବାଚନ ଘୋଷଣା ପରେ ହଠାତ୍ ସେ ଉଭୟଙ୍କୁ ଗାଳି ଦେବା ବନ୍ଦ କରିଦେଇଥିଲେ। ନିର୍ବାଚନ ପାଇଁ ସେ ଅମ୍ବାନି ଓ ଆଦାନିଙ୍କଠାରୁ କେତେବସ୍ତା କଳାଧନ ପାଇଥିଲେ ତାହା ଶେହଜାଦା ଘୋଷଣା କରିବା ଦରକାର। ଆପଣ ଅମ୍ବାନି ଓ ଆଦାନିଙ୍କ ସହ ଏପରି କ’ଣ ବୁଝାମଣା କରିଥିଲେ ଯେ ୫ ବର୍ଷରୁ ଅଧିକ ସମୟ ଧରି ଆକ୍ରମଣ କରିବା ପରେ ରାତାରାତି ସେମାନଙ୍କୁ ଗାଳି ଦେବା ବନ୍ଦ କରିଦେଲେ? ଏହାର ଅର୍ଥ ଆପଣଙ୍କ ପାଖରେ ‘ଚୋରୀର ମାଲ ଭର୍ତ୍ତି ଟ୍ରକ୍’ ଅଛି ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଶିଳ୍ପପତିମାନଙ୍କର କୋଟି କୋଟି ଟଙ୍କାର ଋଣ ଛାଡ଼ କରି କ୍ଷୁଦ୍ର ଋଣ ପାଇଁ କୃଷକଙ୍କ ଉପରେ ବୋଝ ପକାଉଥିବା ରାହୁଲ ଗାନ୍ଧୀ ବାରମ୍ବାର ଅଭିଯୋଗ କରିଆସୁଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଅମ୍ବାନି ଓ ଆଦାନିଙ୍କୁ ଯୋଡ଼ି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷର ଜବାବ ଦେଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ରାହୁଲ ଆଦାନି-ଅମ୍ବାନିଙ୍କ ନାମ ନେଉନାହାନ୍ତି। କିନ୍ତୁ ରାହୁଲଜୀ ପ୍ରତିଦିନ ଆଦାନି-ଅମ୍ବାନିଙ୍କ ବିଷୟରେ କଥା ହୁଅନ୍ତି, ସେ ସେମାନଙ୍କ ବିଷୟରେ ସତ ଲୋକଙ୍କ ସାମ୍ନାରେ ରଖିଥାନ୍ତି। ପ୍ରତିଦିନ ଆମେ ଆପଣଙ୍କୁ କହୁଛୁ ଯେ ବଡ଼ ବଡ଼ ଶିଳ୍ପପତିଙ୍କ ସହ ବିଜେପିର ମେଣ୍ଟ ରହିଛି। ସେମାନେ ତାଙ୍କ ବନ୍ଧୁମାନଙ୍କର ୧୬ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରିଥିଲେ। ଅଥଚ ୟୁପିରେ କୃଷକମାନେ ଆତ୍ମହତ୍ୟା କରୁଛନ୍ତି କିନ୍ତୁ ସେମାନଙ୍କ ଋଣ ଛାଡ଼ କରାଯାଉନାହିଁ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଶିଳ୍ପପତି ବନ୍ଧୁମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ସୂଚାଉଛି ଯେ ତାଙ୍କ ଚେୟାର ପ୍ରତି ବିପଦ ରହିଛି। ସମୟ ବଦଳୁଛି। ବନ୍ଧୁମାନେ ଆଉ ବନ୍ଧୁ ନୁହନ୍ତି! ତିନି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଆଜି ପ୍ରଧାନମନ୍ତ୍ରୀ ନିଜ ବନ୍ଧୁଙ୍କୁ ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ଏହା ହିଁ ଫଳାଫଳର ପ୍ରକୃତ ଧାରା ବୋଲି ଖଡ଼ଗେ କହିଛନ୍ତି।

ସମ୍ବନ୍ଧିତ ଖବର