ଟଙ୍କା ଲୋଭରୁ ଅଘଟଣ : ଦାନ୍ତ ଓପାଡ଼ିବା ବେଳେ ଜୀବନ ଚାଲିଗଲା

ଭୁବନେଶ୍ୱର : କେତେକ ଘରୋଇ ହସ୍‌ପିଟାଲ ଓ କ୍ଲିନିକ୍‌ ବିରୋଧରେ ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟିବା ଅଭିଯୋଗ ନୂଆ କଥା ନୁହେଁ। କିନ୍ତୁ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦାନ୍ତ ଓପାଡ଼ିବା ବେଳେ ଜଣେ ମହିଳାଙ୍କର ପ୍ରାଣବାୟୁ ଉଡ଼ି ଯାଇଛି। ଟଙ୍କା ଲୋଭରେ ଡାକ୍ତର ଜୀବନ ନେଇଗଲେ ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି। କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ଭୁବନେଶ୍ବରର ଗଙ୍ଗନଗରରେ ଥିବା ଏକ ଘରୋଇ କ୍ଲିନିକ୍‌ରେ ଆଜି ଅପରାହ୍‌ଣରେ ଏହି ଅଘଟଣ ଘଟିଛି। ରୋଗୀଙ୍କ ନାକରେ ମାତ୍ରାଧିକ ଆନାସ୍ଥେସିଆ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାରବର୍ଗଙ୍କ ପକ୍ଷରୁ ଏୟାରପୋର୍ଟ ଥାନାରେ ଏତଲା ଦିଆଯାଇଛି। ଏତଲାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ୟାପିଟାଲ ଓ ଏୟା‌ରପୋର୍ଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାରବର୍ଗଙ୍କୁ ବୁଝାଶୁଝା କରିଥିଲେ। ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍‌ପିଟାଲ୍‌ ଅଣାଯାଇଥିଲା।

ପୁଲିସ ଠାରୁ ମିଳିଥିବା ସୂଚନା ମୁତାବକ, ଝାରପଡ଼ା ଜେଲ୍‌ ନିକଟରେ ରହୁଥିବା ରାଜକିଶୋର ପଟ୍ଟନାୟକଙ୍କ ପତ୍ନୀ ପାର୍ବତୀ ପଟ୍ଟନାୟକଙ୍କର ଦାନ୍ତରେ ଯନ୍ତ୍ରଣା ହେଉଥିଲା। ଆଜି ଅପରା‌ହ୍ନରେ ତାଙ୍କୁ ଏହି ଘରୋଇ ଡେଣ୍ଟାଲ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଦାନ୍ତ ଦେଖିବା ପରେ ଏକାଧିକ ଦାନ୍ତ ନଷ୍ଟ ହୋଇ ଯାଇଥିବା କହିଥିଲେ। ଏହି ଖରାପ ଦାନ୍ତଗୁଡ଼ିକୁ ଉପାଡ଼ି ନୂଆ ଦାନ୍ତ ଲଗାଇବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଲକ୍ଷାଧିକ ଟଙ୍କା ଲାଗିବ ବୋଲି କହିଥିଲେ। ତେବେ ଯନ୍ତ୍ରଣା ହୋଇଥିବାରୁ ପରିବାରବର୍ଗ ସେଥିରେ ରାଜି ହୋଇଥିଲେ। ଆନାସ୍ଥେସିଆ ଦିଆଯିବା ପରେ ପ୍ରଥମ ଦାନ୍ତ ଉପୁଡ଼ା ଆରମ୍ଭ ହୋଇଥିଲା। ପ୍ରକ୍ରିୟା ଆରମ୍ଭ ହେଉ ହେଉ ପାର୍ବତୀ ଚିତ୍କାର କରିବା ସହ ପ୍ରାଣବାୟୁ ଉଡ଼ି ଯାଇଥିଲା।

ସୁସ୍ଥ ପାର୍ବତୀ ଘରୁ ଗାଡ଼ିରେ ଆସି ହସ ଖୁସିରେ ‌କ୍ଲିନିକ୍‌ ଯାଇଥିଲେ। ପରିବାରବର୍ଗ ମଧ୍ୟ ବାହାରେ ଅପେକ୍ଷା କରି ବସିଥିଲେ। ନୂଆ ଦାନ୍ତ ଲାଗିବ। ଆଗରୁ ଯାହା ଖାଇପାରୁ ନ ଥିଲେ ତାହା ଏବେ ସେ ଖାଇ ପାରିବେ ବୋଲି ଆଲୋଚନା ହେଉଥିଲା। ହେଲେ ମୋଟା ଅଙ୍କର ଟଙ୍କା ଲୋଭରେ ଡାକ୍ତର ପାର୍ବତୀଙ୍କ ଜୀବନ ନେଇଗଲେ ବୋଲି ତାଙ୍କ ଭାଇ କହିବା ବେଳେ କାନ୍ଦି ପକାଇଛନ୍ତି। ଅନ୍ୟପଟେ ଏୟାରପୋର୍ଟ ଥାନା ଆଇଆଇସି ଉମାକାନ୍ତ ପ୍ରଧାନ କହିଛନ୍ତି, ଅଭିଯୋଗ ଆସିଛି। ଆମେ ତଦନ୍ତ କରୁଛୁ। କେଉଁ ପରିସ୍ଥିତିରେ ଜଣେ ସୁସ୍ଥ ଲୋକର ମୃତ୍ୟୁ ହୋଇଗଲା? ଏଥିପାଇଁ କିଏ ଦାୟୀ? ଏ ସବୁ ତଦନ୍ତ ପରେ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର