ଚନ୍ଦ୍ରଶେଖରପୁର : ଯୁବକଙ୍କୁ ମାରି ଟାଙ୍ଗି ଦେଲେ!

କମ୍ପାନି କଞ୍ଚାମାଲ୍ ଚୋରି କରୁଥିବା ଶ୍ରମିକଙ୍କୁ ଧରିଥିଲେ
ଜୀବନ ପ୍ରତି ବିପଦ ଥିବା ପରିବାର ଲୋକଙ୍କୁ ଫୋନରେ ଜଣାଇଥିଲେ
ଉତ୍ତେଜନା, ଥାନା ଘେରାଉ, ଜଣେ ଅଟକ

ଚନ୍ଦ୍ରଶେଖରପୁର/ଭୁବନେଶ୍ୱର : ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନିର କଞ୍ଚାମାଲ ଚୋରି ଘଟଣା ମାଲିକଙ୍କୁ ଅବଗତ କରାଇବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଇନ୍‌ଫୋସିଟି ଥାନାରେ ଅଭି‌ଯୋଗ ହୋଇଛି। ମୃତକ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବାଲିଚୁଆଁର ଚିନ୍ମୟ ସ୍ବାଇଁ ଓରଫ ବୁଟୁ (୨୭)। ଚିନ୍ମୟଙ୍କ ଡାହାଣ କାନମୁଣ୍ଡା ଉପରେ ଶକ୍ତ ଆଘାତ ଲାଗିଥିବା ବେଳେ ଗାଲ ଓ ବେକରେ ରାଞ୍ଚୁଡ଼ା ଦାଗ ରହିଛି। ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଝୁଲାଇ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିବା ପରିବାରଲୋକ ଅଭିଯୋଗ କରିଛନ୍ତି। ଅପରପକ୍ଷେ ପୁଲିସ୍‌ ଚିନ୍ମୟଙ୍କ ମୃତଦେହକୁ ତରବରିଆ ଭାବେ ହସ୍ପିଟାଲ ନେଇଯିବା ଓ ତଦନ୍ତରେ ବିଳମ୍ବ କରିବା ଅଭିଯୋଗରେ ଆଜି ତାଙ୍କ ପରିବାରଲୋକେ ଇନ୍‌ଫୋସିଟି ଥାନା ଘେରାଉ କରିଥିଲେ। ଏହି ଘଟଣାରେ ପୁଲିସ୍‌ ଚିନ୍ମୟଙ୍କ ସହ ଗୋଟିଏ ରୁମ୍‌ରେ ରହୁଥିବା ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅନ୍ୟ ଜଣେ ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

ଚିନ୍ମୟଙ୍କ ଭାଇ ରତିକାନ୍ତଙ୍କ ଅଭିଯୋଗ ଅନୁସାରେ, ଇନ୍‌ଫୋସିଟି‌ ଅଞ୍ଚଳରେ ଥିବା ଏକ ସିଭିଲ୍ କନଷ୍ଟ୍ରକ୍‌ସନ୍ କମ୍ପାନିରେ ତାଙ୍କ ଭାଇ ଚିନ୍ମୟ ସୁପରଭାଇଜର୍‌ ଭାବେ କାମ କରୁଥିଲେ। ସେଠାରେ କମ୍ପାନି ପକ୍ଷରୁ ଯୋଗାଇ ଦିଆଯାଇଥିବା ଘରେ ଦୁଇଜଣ ଶ୍ରମିକମାନଙ୍କ ସହ ଏକାଠି ହୋଇ ରହୁଥିଲେ। ପ୍ରାୟ ୧୫ଦିନ ତଳେ ଦୁଇ ଶ୍ରମିକ କମ୍ପାନିର ତମ୍ବା ତାର ଓ କିଛି କଞ୍ଚାମାଲ ଚୋରି କରି ବିକ୍ରି କରିଦେଇଥିଲେ। ଏନେଇ ଚିନ୍ମୟ କମ୍ପାନି କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ନେଇ ଘରକୁ ଫୋନ୍ କରି କହିଥିଲେ। ଏପରିକି ତାଙ୍କ ରୁମରେ ରହୁଥିବା ଦୁଇ ଶ୍ରମିକ ଘଟଣା ସମ୍ପର୍କରେ ଆଉ କାହା ଆଗରେ ନ କହିବା ପାଇଁ ବିଭିନ୍ନ ସମୟରେ ଧମକଚମକ ଦେଉଥିଲେ। ସେମାନଙ୍କ ମଧ୍ୟରେ ଗତକାଲି ସକାଳେ ବଚସା ହୋଇଥିଲା ବୋଲି ଚିନ୍ମୟ ଘରଲୋକଙ୍କ ସହ କଥା ହେଉଥିବା ବେଳେ ଜଣାଇଥିଲେ। ଅପରାହ୍‌ଣରେ ଚିନ୍ମୟଙ୍କ ମୃତଦେହ ଝୁଲୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପୁଲିସ୍‌କୁ ସୂଚନା ଦେଇଥିଲେ।

ପୁଲିସ୍ କହିବା ଅନୁଯାୟୀ, ଗତକାଲି ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଚିନ୍ମୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଯାଇଥିଲା। ହେଲେ ପରିବାରଲୋକଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା। କମ୍ପାନିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କଠାରୁ ଖବର ପାଇ ସେମାନେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଚିନ୍ମୟଙ୍କ ବାପା ଦୁଲାଳ ସ୍ବାଇଁଙ୍କ ଅଭିଯୋଗ ଅନୁଯାୟୀ, ପୁଅକୁ କିଛି ଲୋକ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରୁଥିବା ଫୋନ୍‌ ଯୋଗେ ପୁଅଠାରୁ ଶୁଣିଥିଲେ। ଚିନ୍ମୟ କମ୍ପାନି ଚୋରି ରୋକିବାରୁ ଯୁବକମାନେ ଏକାଠି ହୋଇ ତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପାଇଁ ଚେଷ୍ଟା କରିଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି ପରିବାରଲୋକ। ଅନ୍ୟପକ୍ଷ‌ରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ଘଟଣାର ତଦନ୍ତ କରୁଥିବା ପ୍ରକାଶ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୂରା ଘଟଣାର ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର