କର୍ମଜୀବୀ ମହିଳାଙ୍କ ଶିଶୁ ଯତ୍ନ ସ୍ବପ୍ନ

ଅାନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ଏକ ଅଧ୍ୟୟନରୁ ଜଣାପଡ଼ିଛି, ଭାରତରେ ଅଣଅାନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା ଶ୍ରମିକମାନେ ବିନା କୌଣସି ସାମାଜିକ ସୁରକ୍ଷା, କମ୍‌ ମଜୁରିରେ ବିପଦପୂର୍ଣ୍ଣ ଭାବରେ କାମ କରନ୍ତି। ମାତୃ ସ୍ବାସ୍ଥ୍ୟ ସୁବିଧା ପ୍ରତିଷ୍ଠା କରିବାରେ ଭାରତ ଅନେକ ଉନ୍ନତ ରାଷ୍ଟ୍ରଠାରୁ ଅାଗରେ ରହିଛି ଏବଂ ଏହାର ବିଧିଗତ ମାତୃତ୍ୱ ଛୁଟି ବିଶ୍ୱରେ ଶ୍ରେଷ୍ଠ ତିନି ମଧ୍ୟରେ ରହିଛି। ମାତୃତ୍ୱ ସୁବିଧା ସଂଶୋଧନ ଅଧିନିୟମ ୨୦୧୭, ମହିଳା କର୍ମଚାରୀଙ୍କ ପାଇଁ ୨୬ ସପ୍ତାହ ପର୍ଯ୍ୟନ୍ତ ଦରମାପ୍ରାପ୍ତ ଛୁଟି, ଏହି ଅବଧି ପରେ ନିଯୁକ୍ତିଦାତାଙ୍କ ସହ ପାରସ୍ପରିକ ଚୁକ୍ତିନାମା ଅନୁଯାୟୀ ଘରୁ କାମ କରିବାର ବିକଳ୍ପ ପ୍ରସ୍ତାବ ଦେବା ଓ କ୍ରେଚ୍ ସୁବିଧାକୁ ବାଧ୍ୟତାମୂଳକ କରାଯିବା ଇତ୍ୟାଦି ଯେଉଁ ଅନୁଷ୍ଠାନରେ ୫୦ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ମହିଳା କାର୍ଯ୍ୟ କରୁଥିବେ, ସେଠାରେ କ୍ରେଚ୍ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଅବଶ୍ୟ ଏହି ସୁବିଧାଗୁଡ଼ିକ ଅାନୁଷ୍ଠାନିକ କ୍ଷେତ୍ର ମହିଳା କର୍ମଚାରୀମାନେ ଉପଭୋଗ କରନ୍ତି। ଯାହାକି ମହିଳା କର୍ମଜୀବୀଙ୍କ ମଧ୍ୟରେ ୫%ରୁ କମ୍‌ ଅଟେ। ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଏକ ଅଧ୍ୟୟନରୁ ଜଣାଯାଏ ଯେ, ମହିଳାମାନେ କାର୍ଯ୍ୟ ବନ୍ଦ କରିବା, ଅଭାବ, ଅନଟନ ପରିସ୍ଥିତିରେ ସଂଘର୍ଷ କରିବା ଇତ୍ୟାଦି ଶିଶୁର ଯତ୍ନ ନେବାରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ଅସମାନତା ଯୋଗୁଁ ଘଟିଥାଏ। ଅଣଅାନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନେ କିପରି ଅଧିକ ଉପାର୍ଜନକ୍ଷମ ହୋଇପାରିବା ସହ ନିଜର ତଥା ନିଜ ଶିଶୁର ଯତ୍ନ ନେଇପାରିବେ ସେଥିପାଇଁ ତିନିଟି କାର୍ଯ୍ୟ ଉପରେ ଧ୍ୟାନ ଦିଅାଯାଇପାରେ: ସମନ୍ବିତ ଶିଶୁବିକାଶ ଯୋଜନା (ଆଇସିଡିଏସ୍‌)ର ଭିିତ୍ତିଭୂମିକୁ ବିସ୍ତାର କରିବା, ଜାତୀୟ କ୍ରେଚ୍‌ ଯୋଜନାକୁ ପୁନରୁଦ୍ଧାର କରିବା, ଏବଂ ମାତୃତ୍ୱ ସୁବିଧା ପ୍ରଦାନ କାର୍ଯ୍ୟକ୍ରମର ବିକାଶ କରିବା।

ମା’ ଓ ଶିଶୁକୁ ପୁଷ୍ଟିସୁରକ୍ଷା ଯୋଗାଇବା, ଏକ ସ୍ବଚ୍ଛ ସୁରକ୍ଷିତ ପରିବେଶ ସୃଷ୍ଟି କରିବା, ବାଲ୍ୟକାଳ ଶିକ୍ଷା ଦେବା ଇତ୍ୟାଦି ହେଉଛି ଆଇସିଡିଏସ୍‌ ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ପ୍ରାଥମିକ କାର୍ଯ୍ୟ। ଏହା ଯୋଗୁଁ ପ୍ରସବ ପରେ ଅଣଅାନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ପୁନଃ କାର୍ଯ୍ୟରେ ଯୋଗଦେବା ସହଜ ହୋଇଥାଏ। କିନ୍ତୁ ଏହି ଯୋଜନା ୨ଟି ସୀମା ମଧ୍ୟରେ ଅାବଦ୍ଧ। ପ୍ରଥମତଃ ଏଠାରେ ତିନିବର୍ଷରୁ ସାନ ଶିଶୁଙ୍କ ପାଇଁ କେବଳ ଟିଏଚ୍‌ଆର୍‌ (Take Home Ration) ଛଡ଼ା ଅନ୍ୟକୌଣସି ସୁବିଧା ନଥାଏ। ଦ୍ୱିତୀୟଟି ହେଲା ଏହା ମାତ୍ର କିଛି ଘଣ୍ଟା ପାଇଁ କାମ କରେ। ଏହି ସୁବିଧା ଏକ ସୀମିତ ସମୟ ସୀମା ମଧ୍ୟରେ ମିଳୁଥିବାରୁ ମହିଳାମାନଙ୍କୁ ସେମାନଙ୍କ ଶିଶୁକୁ ଅଙ୍ଗନୱାଡ଼ିରେ ଛାଡ଼ିବା-ନେବା, ଗର୍ଭବତୀ, ପ୍ରସୂତି ମାଆ ଓ ଛୋଟ ଶିଶୁଙ୍କ ପାଇଁ ଟିଏଚ୍‌ଆର୍‌ ଗ୍ରହଣ କରିବା ସୁବିଧାଜନକ ହୋଇ ନଥାଏ। ଯଦି ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ତିନିବର୍ଷ ପୂର୍ବରୁ ଗ୍ରହଣ କରାଯାଇଥାନ୍ତା ତେବେ ଅଣଅାନୁଷ୍ଠାନିକ କର୍ମଜୀବୀ ମହିଳାମାନଙ୍କୁ ସେମାନଙ୍କ କାର୍ଯ୍ୟକ୍ଷେତ୍ରକୁ ଯିବାକୁ ସୁବିଧା ହୋଇଥାନ୍ତା ଏବଂ ୨୦୨୦ରେ ୦-୬ ବର୍ଷ ଶିଶୁଙ୍କ ନିମନ୍ତେ ବାଧ୍ୟତାମୂଳକ କରାଯାଇଥିବା ଜାତୀୟ ଶିକ୍ଷାନୀତି ଅନୁଯାୟୀ ଅାଦ୍ୟ ବାଲ୍ୟା‌ବସ୍ଥା ଯତ୍ନ ଓ ଶିକ୍ଷା ମିଳିପାରନ୍ତା।

ଭାରତରେ ଅଣଅାନୁଷ୍ଠାନିକ କ୍ଷେତ୍ରରେ ପ୍ରାୟ ୯୫% ମହିଳା କାମ କରନ୍ତି କିନ୍ତୁ ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଓ ମାତୃତ୍ୱ ସୁବିଧା ବହୁତ କମ୍‌ ମିଳେ।

କର୍ମଜୀବୀ ମହିଳାମାନଙ୍କ ପାଇଁ ଜାତୀୟ କ୍ରେଚ୍‌ ଯୋଜନାରେ ବିଶେଷ ବ୍ୟବସ୍ଥା ରହିଛି। କିନ୍ତୁ ସରକାରୀ ଅର୍ଥ ବ୍ୟବସ୍ଥା ହ୍ରାସ ଯୋଗୁଁ ଏହା କାର୍ଯ୍ୟ କରିପାରୁନାହିଁ। କର୍ମକ୍ଷେତ୍ରରେ କାର୍ଯ୍ୟ ସମୟ ଓ କାର୍ଯ୍ୟକାରିତାର ଶୂନ୍ୟସ୍ଥାନକୁ ଦୂର କରିବା ଅାବଶ୍ୟକତା ରହିଛି। ଏହି ଯୋଜନାରେ ବ୍ୟବସ୍ଥାଗୁଡ଼ିକର ପୁନରୁଦ୍ଧାର କରିବା ଏବଂ ସର୍ବସାଧାରଣ କାର୍ଯ୍ୟ ସ୍ଥାନରେ କ୍ରେଚ୍‌ର ଏକ ନେଟ୍‌ୱର୍କ ଯୋଗ କରିବା ଅତ୍ୟନ୍ତ ଲାଭଦାୟକ ହୋଇପାରେ ଏବଂ ଏହା କାର୍ଯ୍ୟକ୍ଷେତ୍ର କ୍ଲଷ୍ଟର୍‌ରେ ପରିଚାଳିତ ହୋଇପାରିବ। ଯେପରିକି ଶିଳ୍ପକ୍ଷେତ୍ର, ବଜାର ହାଟ ଥିବା ସ୍ଥାନ, ସ୍ବଳ୍ପଅାୟକରୀ ଅାବାସିକ କ୍ଷେତ୍ର ଓ ଶ୍ରମିକମାନେ ବସବାସ କରୁଥିବା ସ୍ଥାନ। କର୍ମକ୍ଷେତ୍ରର ନିକଟରେ କ୍ରେଚ୍ ରହିଲେ ସମୟାନୁଯାୟୀ ସ୍ତନ୍ୟପାନ କରାଇବା ଏବଂ ଜରୁରୀକାଳୀନ ପରିସ୍ଥିତିରେ ପହଞ୍ଚିବା ପାଇଁ ସୁବିଧା ହୋଇଥାଏ।
ନିର୍ମାଣ କାର୍ଯ୍ୟ ଚାଲିଥିବା ସ୍ଥାନରେ କ୍ରେଚ୍‌ ବ୍ୟବସ୍ଥା କରିବା ପାଇଁ ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡ଼ର ବାଧ୍ୟତାମୂଳକ ପ୍ରାବଧାନ ରହିଛି, ଯେଉଁଥିରେ ନିର୍ମାଣ ସେସ୍‌ରୁ ଅାର୍ଥିକ ବ୍ୟବସ୍ଥା କରାଯାଇ କୋଠାବାଡ଼ି ତଥା ଅନ୍ୟାନ୍ୟ ନିର୍ମାଣସ୍ଥଳୀରେ କ୍ରେଚ୍‌ ଚଳାଇବାର ବ୍ୟବସ୍ଥା କରାଯିବା ପାଇଁ ନିୟମ କରାଯାଇଛି। ଶିଶୁଜନ୍ମ ଓ ଶିଶୁଯତ୍ନ ପାଇଁ ଅର୍ଥର ଅାବଶ୍ୟକତା ଅନେକ ମହିଳାଙ୍କୁ ଚିନ୍ତାଗ୍ରସ୍ତ କରିଥାଏ। ଯାହାଫଳରେ ସେମାନେ ପ୍ରସବର କିଛି ସପ୍ତାହ ମଧ୍ୟରେ ପୁନର୍ବାର କାର୍ଯ୍ୟରେ ଯୋଗ ଦିଅନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅାଇନ ୨୦୧୩ ପୂର୍ବରୁ ଅଣଅାନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାଙ୍କ ପାଇଁ କୌଣସି ମାତୃତ୍ୱ ସୁବିଧା ନଥିଲା। ଏନ୍‌ଏଫ୍‌ଏସ୍‌ଏ ୨୦୧୩ରେ ଗର୍ଭବତୀ ଓ ପ୍ରସୂତି ମା’କୁ ଅତି କମ୍‌ରେ ୬,୦୦୦ ଟଙ୍କା ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନାରେ ଦିଅାଯିବାର ବ୍ୟବସ୍ଥା କରାଗଲା। ଏହି ସୁବିଧା ପ୍ରଥମ ଦୁଇଟି ଶିଶୁଙ୍କ ପାଇଁ ମିଳିଥାଏ। ଅାର୍ଥିକ ଅସୁବିଧାକୁ କିଛି ପରିମାଣରେ ଦୂର କରିବା ପାଇଁ ଏହାଦ୍ୱାରା ପ୍ରଚେଷ୍ଟା କରାଯାଇଛି। ଓଡ଼ିଶାରେ ମଧ୍ୟ ଗର୍ଭବତୀ ମାଆମାନଙ୍କୁ ପୂର୍ବରୁ ୫ହଜାର ଟଙ୍କା ଦିଅାଯାଉଥିବା ବେଳେ ୨୦୨୪ ମାର୍ଚ୍ଚ ମାସଠାରୁ ଏହାକୁ ୧୦ ହଜାରକୁ ବୃଦ୍ଧି କରାଯାଇଛି। ସରକାରୀ, ରାଷ୍ଟ୍ରାୟତ୍ତ ଉ‌େଦ୍ୟାଗରେ କାମ କରୁଥିବା ମହିଳାମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ମହିଳା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଗର୍ଭବତୀ ମହିଳା ଉପଯୁକ୍ତ ପ୍ରମାଣପତ୍ର ସହ ଅଙ୍ଗନୱାଡ଼ି କେନ୍ଦ୍ରରେ ପଞ୍ଜୀକରଣ କରାଇ ଯୋଜନା ପାଇଁ ଥିବା ସମସ୍ତ ସର୍ତ୍ତଗୁଡ଼ିକ ପୂରଣ କଲେ ମମତା ଯୋଜନାର ସୁଫଳ ପାଇପାରିବେ।
ରିପୋର୍ଟ: ନିବେଦିତା ପଟ୍ଟନାୟକ, ଭୁବନେଶ୍ୱର

ତାମିଲନାଡୁ:
ଡକ୍ଟର ମୁଥୁଲକ୍ଷ୍ମୀ ମାତୃତ୍ୱ ସୁବିଧା ଯୋଜନା
ରାଜସ୍ଥାନ:
ଇନ୍ଦିରାଗାନ୍ଧୀ ମାତୃତ୍ୱ ପୁଷ୍ଟି ଯୋଜନା
ଓଡ଼ିଶା:
ମମତା ଯୋଜନା
ଗୁଜୁରାଟ:
କସ୍ତୁରବା ପୋଷଣ ସହାୟ ଯୋଜନା
ଛତିଶଗଡ଼:
କୌଶଲ୍ୟା ମାତୃତ୍ୱ ଯୋଜନା

 

ସମ୍ବନ୍ଧିତ ଖବର