ଜମ୍ମୁର ଏ ଦୁଇ ମନ୍ଦିରକୁ ନ ଦେଖି ପର୍ଯ୍ୟଟକ ଫେରନ୍ତି ନାହିଁ!

ଜମ୍ମୁର ଦୁଇଟି ମନ୍ଦିର ବେଶ୍‌ ପ୍ରସିଦ୍ଧ।ଏ ଦୁଇ ମନ୍ଦିରକୁ ନ ଦେଖି ପର୍ଯ୍ୟଟକ ଫେରନ୍ତି ନାହିଁ। ଏ ଦୁଇ ମନ୍ଦିରର ନାମ ହେଲା-‘ରଘୁନାଥ ମନ୍ଦିର’ଏବଂ ‘ବୁଢ଼ା ଅମରନାଥଙ୍କର ମନ୍ଦିର’।
ବୁଢ଼ା ଅମରନାଥଙ୍କର ଦର୍ଶନ ବିନା ଅମରନାଥ ଯାତ୍ରା ଏବଂ କଥା ସଂପୂର୍ଣ୍ଣ ହୁଏନି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ହିନ୍ଦୁମାନଙ୍କର ଦର୍ଶନସ୍ଥଳୀ ହେଲେ ମଧ୍ୟ ଏହି ମନ୍ଦିର ପାଖରେ କୌଣସି ହିନ୍ଦୁମାନଙ୍କର ବାସସ୍ଥାନ ନାହିଁ । ଏହି ମନ୍ଦିରର ଦେଖାଶୁଣା ପାଖରେ ରହୁଥିବା ମୁସଲିମ୍‌ ପରିବାର ତଥା ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜବାନ୍‌ମାନେ କରନ୍ତି । ତିନି ପଟେ ପାକିସ୍ତାନ ସୀମା ଘେରି ରହିଥିବା ପୁଂଛ ଘାଟୀର ଉତ୍ତର ଭାଗରେ ପୁଂଛ ସହର ରୁ ୨୩ କି.ମିରେ ଦୂରରେ ଥିବା ବୁଢ଼ା ଅମରନାଥଙ୍କର ମନ୍ଦିର ସାଂପ୍ରଦାୟିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବହନ କରୁଛି । କୁହାଯାଏ ଯେ ଭଗବାନ୍‌ ଶିବ କାଶ୍ମୀର ସ୍ଥିତ ଅମରନାଥଙ୍କର ଗୁମ୍ଫାରେ ମାତା ପାର୍ବତୀଙ୍କୁ ଯେଉଁ କଥା ଶୁଣାଉଥିଲେ ତାହାର ଆରମ୍ଭ ବୁଢ଼ା ଅମରନାଥଙ୍କର ସ୍ଥାନରୁ ଆରମ୍ଭ କରିଥିଲେ । ଏଣୁ ଲୋକମାନେ ଏହା ମାନନ୍ତି ଯେ ଏହି ମନ୍ଦିରର ଦର୍ଶନ ବିନା ଅମରନାଥଙ୍କର ଯାତ୍ରା ସଂପୂର୍ଣ୍ଣ ହୁଏନି ।

photo-dailyexcelsior.com

ମନ୍ଦିର ନଗରୀ ଜମ୍ମୁ ଠାରୁ ୨୪୬ କି.ମି ଦୂରରେ ଥିବା ପୁଂଛ ଘାଟୀର ରାଜପୁରା ମଣ୍ଟି କ୍ଷେତ୍ରକୁ ଯେଉଁଠାକୁ ପହଞ୍ଚିବା ପାଇଁ ପଦଯାତ୍ରା କରିବାକୁ ପଡେନି । କାଶ୍ମିରର ସୁନ୍ଦର ଲୋଇନ୍‌ ଘାଟୀରେ ସ୍ଥିତ ବୁଢା ଅମରନାଥଙ୍କର ମନ୍ଦିର ଚକ୍‌ମକ୍‌ ପଥରରେ ତିଆରି ହୋଇଛି । ଅନ୍ୟ ସମସ୍ତ ଶିବ ମନ୍ଦିର ଠାରୁ ଏହା ସଂପୂର୍ଣ୍ଣ ଭିନ୍ନ । ମନ୍ଦିରର ଚାରିକାନ୍ଥ କାଠରେ ତିଆରି କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଯାହା ଖୁବ୍‌ ପୁରୁଣା । ପୀରପଞ୍ଜାଳ ପର୍ବତ ଶୃଙ୍ଖଳର ପାଦଦେଶରେ ସ୍ଥିତ ମନ୍ଦିର ପାଖରେ ଥିବା ପାହାଡ଼ ବର୍ଷସାରା ବରଫ ଦ୍ୱାରା ଆଚ୍ଛାଦିତ । ଯାହାର ସୌନ୍ଦର୍ଯ୍ୟ ଖୁବ୍‌ ଚମତ୍କାର । ବରଫ ଦ୍ୱାରା ଆଚ୍ଛାଦିତ ପର୍ବତ ଶ୍ରେଣୀ, ତା ପାଖରେ ବହିଯାଉଥିବା ନଦୀରୁ ଥଣ୍ଡା ଜଳ, ଚାରିପଟେ ଘେରି ରହିଥିବା ଉଚ୍ଚନିଚ୍ଚ ପର୍ବତ କାରଣରୁ ଏହି ଅଞ୍ଚଳ ଏକ ରମଣୀୟ ହିଲ୍‌ଷ୍ଟେସନ୍‌ ଠାରୁ କିଛି କମ୍‌ ନୁହେଁ । ବୁଢା ଅମରନାଥଙ୍କର ଦର୍ଶନ ପାଇଁ କୌଣସି ଜାତି, ଧର୍ମ, ବର୍ଣ୍ଣର ଭେଦଭାବ ନ ଥାଏ ।

photo-media-cdn.tripadvisor.com

‘ରଘୁନାଥ ମନ୍ଦିର’:- ଜମ୍ମୁର ରଘୁନାଥ ବଜାରରେ ସ୍ଥିତ ଏହି ମନ୍ଦିରରେ ଶାଳଗ୍ରାମରେ ନିର୍ମିତ ମୂର୍ତ୍ତିଥିବା ଯୋଗୁଁ ବେଶ୍‌ ଚର୍ଚ୍ଚିତ।ଏଠାରେ ମୁଖ୍ୟତଃ ଶ୍ରୀରାମ,ଲକ୍ଷ୍ମଣ,ସୀତା ଏବଂ ହନୁମାନଜୀଙ୍କର ପ୍ରତିମୂର୍ତ୍ତୀ ରହିଛି। ଭକ୍ତମାନେ ଏଠାକୁ ଆସି ଏହି ଚାରିଜଣଙ୍କର ପୂଜାର୍ଚ୍ଚନା କରିଥା’ନ୍ତି।ତେବେ ଏଠାରେ ଆଉ ଏକ ଅଦ୍ୱିତୀୟ ପାଠ ମଧ୍ୟ ରହିଛି। ଏହି ମନ୍ଦିର ପରିସରରେ ସ୍ଫଟିକ ଶିବଲିଙ୍ଗ ମଧ୍ୟ ରହିଛି। ରଘୁନାଥ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ବିଶେଷ ବିଧାନ ରହିଛି।ପର୍ଯ୍ୟଟକମାନେ ରାମନବମୀ ଓ ହନୁମାନ ଜୟନ୍ତୀ ଅବସରରେ ଏଠାକୁ ବିଶେଷ ପୂଜନ ପାଇଁ ଆସିଥା’ନ୍ତି। ରଘୁନାଥ ମନ୍ଦିରର ପ୍ରତିଷ୍ଠା କେବେ ହୋଇଥିଲା,ସେ ସଂପର୍କରେ ବିଶେଷ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର