୨୩ଶିଶୁଙ୍କୁ ପଣବନ୍ଦୀ କରି ରଖିଥିବା ଅପରାଧୀର କନ୍ୟାକୁ ଆଇପିଏସ୍‌ ଅଧିକାରୀ କୋଳକୁ ନେଇ କହିଲେ, ‘ପାଠପଢ଼ାଇ ଝିଅକୁ ଆଇପିଏସ୍‌ କରିବି’

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫାରୁକାବାଦ ଜିଲ୍ଲାର ମହମ୍ମଦାବାଦ ଅଞ୍ଚଳର ସୁବାସ ବାଥମ ନାମକ ଜଣେ ଅପରାଧୀର ଝିଅକୁ ଆଇପିଏସ୍‌ ଅଧିକାରୀ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ତେବେ ଅପରାଧୀ ସୁବାଷ ହେଉଛି ସିଏ, ଯିଏକି ଜାନୁଆରି ୩୦ ତାରିଖରେ ୨୩ଜଣ ପିଲାମାନଙ୍କୁ ନିଜ ଝିଅ ଜନ୍ମଦିନରେ ଘରକୁ ଡାକି ନେଇ ୧୨ଘଣ୍ଟା ପଣବନ୍ଦୀ କରି ରଖିଥିଲା। ପଣବନ୍ଦୀ ଥିବା ଶିଶୁ ଓ ମହିଳାଙ୍କୁ ଯିଏ ଉଦ୍ଧାର କରିବାକୁ ଉଦ୍ୟମ କରୁଥିଲା ତାଙ୍କ ଉପରକୁ ସେ ଗୁଳି ଚଳାଉଥିଲା।

zeenews.india

ଏଭଳି ଘଟଣା ବିଷୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସୁବାସ ବାଥମ ଘରକୁ ଘେରାଉ କରି ଅପରାଧୀ ଉପରକୁ ଗୁଳିମାଡ଼ କରିଥିଲା। ଫଳରେ ଘଟଣାସ୍ଥଳରେ ସୁବାସର ମୃତ୍ୟୁ ହୋଇଯାଇଥିଲା। କେବଳ ଏତିକି ନୁହେଁ ପିଲାଙ୍କୁ ପଣବନ୍ଦୀ କରି ରଖିଥିବା ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ସୁବାସର ପତ୍ନୀଙ୍କୁ ବି ନିସ୍ତୁକମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍‌ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ଘୋଷଣା କରିଥିଲେ। ସୁବାସ ଓ ତାର ପତ୍ନୀର ମୃତ୍ୟୁ ପରେ ଏହି ଦମ୍ପତିଙ୍କ ୧ବର୍ଷର ଝିଅ ଗୌରୀ ଅନାଥ ହୋଇଯାଇଥିଲା।

କାନପୁର ରେଞ୍ଜ ଆଇଜି ମୋହିତ ଅଗ୍ରଓ୍ଵାଲ ଅପରାଧୀ ସୁବାସର ଝିଅ ଗୌରୀର ଏଭଳି ଅବସ୍ଥା ଦେଖି ପାରି ନଥିଲେ। ତାଙ୍କ ହୃଦୟ ତରଳି ଯାଇଥିଲା। ସେ ଗୌରୀକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ତାର ସମସ୍ତ ଦାୟିତ୍ୱ ନିଜେ ବହନ କରିବେ ବୋଲି କହିଥିଲେ।

ମୋହିତ ଅଗ୍ରଓ୍ଵାଲଙ୍କ କହିବାନୁସାରେ, ‘ସୁବାସ ଓ ତାର ପତ୍ନୀ ରୁବିଙ୍କ ମୃତ୍ୟୁ ପରେ ଗୌରୀ ପୂରାପୂରି ଏକା ହାଇଯାଇଥିଲା। ଘଟଣାକୁ ଦୁଇଦିନ ବିତି ଯାଇଥିଲେ ବି ସୁବାସର କୌଣସି ସମ୍ପର୍କୀୟ ଗୌରୀକୁ ନେବାକୁ ଆସି ନଥିଲେ। ସେ ଅନାଥ ଓ ଆଶ୍ରୟହୀନ ହୋଇ ଯାଇଥିଲା। ଗୌରୀ ଏବେ ବହୁତ ଛୋଟ ଅଛି। ସେ କେବେ ବି ନିଜକୁ ଅନାଥ ନ ଭାବୁ ଏହା ଉପରେ ମୁଁ ବିଶେଷ ଧ୍ୟାନ ଦେବି। ଗୌରୀର ଏଭଳି ଅବସ୍ଥା ଦେଖି ତାକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବାର ନିଷ୍ପତ୍ତି ନେଇଥିଲି। ଗୌରୀକୁ ଏକ ଭଲ ସ୍କୁଲରେ ପାଠପଢ଼ାଇ ଭଲ ମଣିଷ ସହିତ ଆଇପିଏସ୍‌ ଅଫିସର କରିବାର ଲକ୍ଷ୍ୟ ରଖିଛି ବୋଲି କହନ୍ତି ମୋହିତ ଅଗ୍ରଓ୍ଵାଲ।

ସମ୍ବନ୍ଧିତ ଖବର