ପ୍ରଖ୍ୟାତ ବୈଜ୍ଞାନିକ ଷ୍ଟିଫେନ୍‌ ହକିଂଙ୍କ ଜୀବନଯାତ୍ରା

ଜାନୁଆରୀ ୨, ୧୯୪୨ : ପ୍ରଖ୍ୟାତ ବୈଜ୍ଞାନିକ ଷ୍ଟିଫେନ୍‌ ହକିଂ ୧୯୪୨ ମସିହା ଜାନୁଆରି ୮ ତାରିଖରେ ଇଂଲଣ୍ଡର ଅକ୍ସଫୋର୍ଡରେ ଜନ୍ମଗ୍ରହଣ କରିଥିଲେ। ଜୀବ ବିଜ୍ଞାନୀ ଫ୍ରାଙ୍କ ହକିିଂ ଏବଂ ମେଡିକାଲ ଗବେଷଣା ସଚିବ ଇସୋବେଲ ହକିଂଙ୍କ ଔରଷରୁ ଜନ୍ମିତ ୪ ସନ୍ତାନଙ୍କ ମଧ୍ୟରୁ ଷ୍ଟିଫେନ୍‌ ସବୁଠୁ ବଡ଼।

୧୯୫୨ : ଷ୍ଟିଫେନ୍‌ ସେଣ୍ଟ ଆଲବନ୍ସ ସ୍କୁଲ୍‌ରେ ଯୋଗ ଦେଲେ।
୧୯୫୯: ୟୁନିଭର୍ସିଟି କଲେଜ ଅକ୍ସଫୋର୍ଡରେ ଯୋଗ ଦେବାଲାଗି ସେ ସ୍କଲାରସିପ୍‌ ଗ୍ରହଣ କଲେ ଏବଂ ଅକ୍ସଫୋର୍ଡରୁ ମଧ୍ୟ ସେ ପ୍ରକୃତି ବିଜ୍ଞାନରେ ଜଣେ ଗ୍ରାଜୁଏଟ୍‌ ।
୧୯୬୨ : କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ବ୍ରହ୍ମାଣ୍ଡ ବିଜ୍ଞାନ ଉପରେ ଗ୍ରାଜୁଏଟ୍‌ ରିସର୍ଚ୍ଚ ଆରମ୍ଭ କଲେ।
୧୯୬୩ : ମାତ୍ର ୨୧ ବର୍ଷ ବୟସରେ ସେ ଡିଜେନେରେଟିଭ ନ୍ୟୁରୋ ଡିଜଅର୍ଡର-ଏଏଲଏସରେ ପୀଡ଼ିତ ହେଲେ ଏବଂ ସେ ମାତ୍ର ୨ ବର୍ଷ ବଞ୍ଚିପାରିବେ ବୋଲି କୁହାଯାଇଥିଲା।
ଜୁଲାଇ ୧୪, ୧୯୬୫ : ଜାନେ ଓ୍ଵିଲ୍ଡେଙ୍କୁ ସେ ବିବାହ କଲେ। ଆଧୁନିକ ଭାଷା ବିଦ୍ୟାର୍ଥୀ ଓ୍ଵିଲ୍ଡେଙ୍କୁ ସେ କ୍ୟାମ୍ବ୍ରିଜ୍‌ରେ ଭେଟିଥିଲେ।
୧୯୬୭ : ପ୍ରଥମ ସନ୍ତାନ ରବର୍ଟଙ୍କ ଜନ୍ମଗ୍ରହଣ।
୧୯୭୦ : କନ୍ୟା ସନ୍ତାନ ଲୁସିର ଜନ୍ମ।
୧୯୭୪ : ମାତ୍ର ୩୨ ବର୍ଷ ବୟସରେ ସେ ରୟାଲ ସୋସାଇଟିର ଫେଲୋ ଭାବେ ନିର୍ବାଚିତ ହେଲେ। ଏଭଳି ସମ୍ମାନ ପାଇବାର ସବୁଠୁ କନିଷ୍ଠ ଅଧିକାରୀ ସେ।
୧୯୭୯ : କ୍ୟାମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଗଣିତ ପ୍ରଫେସର ହୋଇଥିଲେ। ସାର ଆଇଜାକ୍‌ ନ୍ୟୁଟନଙ୍କ ପରେ ଏଭଳି ସମ୍ମାନସ୍ପଦ ପଦର ଅଧିକାରୀ ହୋଇଥିଲେ ସେ। ୨୦୦୯ ମସିହା ପର୍ଯ୍ୟନ୍ତ ସେ ଏହି ପଦର ଅଧିକାରୀ ଥିଲେ। ୧୯୭୯ ମସିହାରେ ତୃତୀୟ ସନ୍ତାନ ତିମୋଥିର ଜନ୍ମ।
୧୯୮୫ : ନ୍ୟୁମୋନିଆରେ ପୀଡ଼ିତ ହୋଇ ଜେନେଭାର ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ। ଅପରେସନ ଦ୍ୱାରା ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ ବି ନିଜର ବାକ୍‌ଶକ୍ତି ହରାଇ ବସିଥିଲେ। ତା’ ପରବର୍ଷ ସେ ଇଲେକ୍ଟ୍ରୋନିକ୍‌ ଭଏସ ସିନ୍ଥେସାଇଜର ଦ୍ୱାରା କଥା କହିବା ଆରମ୍ଭ କରିଥିଲେ।
୧୯୮୮ : ବ୍ରହ୍ମାଣ୍ଡ ବିଜ୍ଞାନ ଉପରେ ଏକ ପୁସ୍ତକ ‘ଏ ବ୍ରିଫ ହିଷ୍ଟ୍ରି ଅଫ୍‌ ଟାଇମ୍‌’ ପ୍ରକାଶ ପାଇଲା ।
୧୯୯୫ : ନର୍ସ ଇଲାଇନ୍‌ ମାସନଙ୍କୁ ବିବାହ। 8୨୦୦୭ : ଷ୍ଟିଫେନ୍‌ ଇଲାଇନ ମାସନ୍‌ଙ୍କୁ ଛାଡ଼ପତ୍ର ଦେଲେ ।
୨୦୧୪ : ଓସ୍କାର ଓ୍ଵିନିଂ ବାୟୋପିକ୍‌ ‘ ଦି ଥିଓରି ଅଫ୍‌ ଏଭ୍ରିଥିଙ୍ଗ୍‌’ରେ ଷ୍ଟିଫେନ୍‌ଙ୍କ ଜୀବନର ସୁନ୍ଦର ପର୍ଯ୍ୟାଲୋଚନା ହୋଇଥିଲା।

ମତ ଓ ସିଦ୍ଧାନ୍ତ

ନୂଆଦିଲ୍ଲୀ : ଜଣେ ପଦାର୍ଥ ବିଜ୍ଞାନୀ ତଥା ଗବେଷକ ଭାବେ ଷ୍ଟିଫେନ୍‌ ହକିଂ ଅନେକ ଗବେଷଣାଦ୍ୱାରା ପାଇଥିବା ସିଦ୍ଧାନ୍ତ ସାରା ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ସିଦ୍ଧାନ୍ତ ବଳରେ ନୂତନ ପିଢ଼ିର ବୈଜ୍ଞାନିକ ଉନ୍ନତ ଗବେଷଣା କରିବାରେ ସଫଳ ହେଉଛନ୍ତି। ତେବେ ତାଙ୍କର ଏଭଳି କିଛି ମତାମତ ମଧ୍ୟ ରହିଛି ଯାହା ବିବାଦ ଘେରକୁ ଚାଲିଆସିଛି। ଭୌତିିକ ବିଜ୍ଞାନରୁ ବେଶ୍‌ ଦୂରରେ ରହିଥିବା ମାଧ୍ୟାକର୍ଷଣ, ବ୍ରହ୍ମାଣ୍ଡ ବିଜ୍ଞାନ, ସୂଚନା ସିଦ୍ଧାନ୍ତ, କ୍ୱାଣ୍ଟମ ଥିଓରିଓ ଥର୍ମୋଡାଇନାମିକ୍ସ ଭଳି ପ୍ରସଙ୍ଗରେ ଭିନ୍ନ ମତ ପୋଷଣ କରିଥିଲେ। ଷ୍ଟିଫେନ୍‌ଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଓ ରୋମାଞ୍ଚକର ମତ ଓ ସିଦ୍ଧାନ୍ତ….

ବିଜ୍ଞାନ ଓ ଦର୍ଶନ: ୨୦୧୧ ମସିହାରେ ଗୁଗଲର ଜିଟ୍‌ଜେଷ୍ଟ ସମ୍ମିଳନୀରେ ଯୋଗ ଦେଇ ଷ୍ଟିଫେନ୍‌ କହିଥିଲେ ଯେ, ‘ଦର୍ଶନ ମୃତ’। ତାଙ୍କ ମତରେ ଦାର୍ଶନିକମାନେ ବିଜ୍ଞାନର ଉନ୍ନତି ସହ ଜଡ଼ିତ ନୁହନ୍ତି ଏବଂ ସେହି ଦର୍ଶନ ଜ୍ଞାନ ଆଧାରିତ ବୈଜ୍ଞାନିକମାନେ ନୂତନ ଆବିଷ୍କାର ଓ ଉଦ୍ଭାବନ ଦିଗରେ ପ୍ରତିବନ୍ଧକ। ସେ କହିଥିଲେ ବିଜ୍ଞାନ ଦ୍ୱାରା ଦାର୍ଶନିକ ପ୍ରଶ୍ନର ସମସ୍ତ ଉତ୍ତର ଦେବା ସମ୍ଭବ କିନ୍ତୁ ଦର୍ଶନ ଦ୍ୱାରା ବିଜ୍ଞାନ ପ୍ରଶ୍ନର ଉତ୍ତର ଦେବା ମୁର୍ଖାମୀ।

ଧର୍ମ, ଈଶ୍ୱର ଓ ଐଶ୍ୱରିକ ଚିନ୍ତାଧାରା ସବୁ ମିଛ: ଷ୍ଟିଫେନ୍‌ଙ୍କ ମତରେ ଧର୍ମ ବୋଲି କିଛି ନାହିଁ,ଏହି ପୃଥିବୀରେ ଯାହା ବି ହେଉଛି ତାହା କେବଳ ବିଜ୍ଞାନର ନିୟମ ପାଇଁ ହିଁ ସମ୍ଭବ ହେଉଛି। ଏଠାରେ ଈଶ୍ୱରଙ୍କ କୌଣସି ନିର୍ଦ୍ଦେଶ କାର୍ଯ୍ୟ କରେନି କିନ୍ତୁ ବିଜ୍ଞାନର ପ୍ରତିଟି ନିର୍ଦ୍ଦେଶ କାର୍ଯ୍ୟ କରିବାକୁ ବାଧ୍ୟ। ଈଶ୍ୱର ବୋଲି କେହି ନାହାନ୍ତି କି ସେଭଳି କୌଣସି ବ୍ୟକ୍ତି ଆମର ମାର୍ଗଦର୍ଶକ ହୋଇପାରିବେନି। ସେ ସବୁବେଳେ କହୁଥିଲେ ଯେ, ଧର୍ମ ଓ ବିଜ୍ଞାନ ମଧ୍ୟରେ ବିଜ୍ଞାନ ହିଁ ଚିର ସତ୍ୟ, କାରଣ ଏହାକୁ ଆମେ ଦେଖିପାରୁ, ଅନୁଭବ କରିପାରୁ। ଯଦି ଲୋକେ କହୁଛନ୍ତି ତେବେ ଈଶ୍ୱର ସୃଷ୍ଟିକର୍ତ୍ତା ହୋଇଥାଇ ପାରନ୍ତି କିନ୍ତୁ ସେ ସୃଷ୍ଟିର ନିୟମ ଭାଙ୍ଗନ୍ତି ନାହିଁ। ଆମେରିକାର ଏକ ଟିଭି ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ମଣିଷର ମୃତ୍ୟୁ ପରେ ସେ ସ୍ୱର୍ଗ ବା ନର୍କ ଭଳି କୌଣସି ସ୍ଥାନକୁ ଯିବା ଆଦୌ ଯୁକ୍ତିଯୁକ୍ତ ନୁହେଁ କି ଅନ୍ଧାର ସ୍ଥାନରେ ଭୂତ ପ୍ରେତ ରହିବା ମଧ୍ୟ ବିଶ୍ୱାସଯୋଗ୍ୟ ନୁହେଁ।

କୃଷ୍ଣଗର୍ତ୍ତ ଥିଓରି: ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା କୃଷ୍ଣଗର୍ତ୍ତ ସମ୍ବନ୍ଧରେ ଷ୍ଟିଫେନ୍‌ ଅନେକ ଗବେଷଣା କରିଛନ୍ତି। ୧୯୬୯ ମସିହାରେ ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢିବା ସମୟରେ ଷ୍ଟିଫେନ୍‌ ଏହି ବିଷୟରେ ଅନୁସନ୍ଧାନ ଆରମ୍ଭ କରିଥିଲେ। ଆମେମାନେ ବିଜ୍ଞାନ ବହିରେ ପଢୁ ଯେ, ମହାକାଶରେ ଗାଢ଼ କଳାରଙ୍ଗର ଗର୍ତ୍ତ ସଦୃଶ ଥିବା ଏକ ସ୍ଥାନ ହେଉଛି କୃଷ୍ଣ ଗର୍ତ୍ତ , କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ। ଷ୍ଟିଫେନ୍‌ଙ୍କ ମତରେ ମହାକାଶର ଯେଉଁସ୍ଥାନରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ଅଧିକ ରହିଥାଏ, ସେହିସ୍ଥାନରେ ଆଲୋକ ମଧ୍ୟ ଗତି କରିପାରୁ ନଥିବାରୁ ଆଖିକୁ କଳା ରଙ୍ଗର ଦେଖାଯାଇଥାଏ। କିନ୍ତୁ ପ୍ରକୃତରେ ଆମେ ପଢୁଥିବା ଭଳି କୌଣସି ଗର୍ତ୍ତ ମହାକାଶରେ ନାହିଁ।

ବିଗ୍‌ ବ୍ୟାଙ୍ଗ୍‌ ଥିଓରି: ପୃଥିବୀର ସୃଷ୍ଟି ସମ୍ବନ୍ଧରେ ପ୍ରମାଣ ଖୋଜୁଥିବା ବିଗ୍‌ ବ୍ୟାଙ୍ଗ୍‌ ଥିଓରିରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ତାଙ୍କ ମତରେ ୧୪ ବିଲିଅନ୍‌ ବର୍ଷ ପୂର୍ବେ ପୃଥିବୀ କେବଳ ଏକ ଅଣୁ ଭଳି ରହିଥିଲା। ଯେଉଁଥିରୁ କି ଏତେ ବିଶାଳ ପୃଥିବୀ ଓ ଜୀବ ଜଗତ ସୃଷ୍ଟି ହୋଇପାରିଛି। ଏହି ବିଗ୍‌ ବ୍ୟାଙ୍ଗ ଥିଓରୀ ଯାହା ସମଗ୍ର ମାନଜାତିକୁ ଅତି ସାଧାରଣ ପ୍ରଶ୍ନ’ ମଣିଷକୁ ସୃଷ୍ଟି କରିଛି କିଏ’ର ଉତ୍ତର ଦେଇପାରିବ ବୋଲି ସେ ସବୁବେଳେ କହୁଥିଲେ।

ସତରେ ଅଛନ୍ତି ଏଲିଅନ୍‌: ଅନ୍ୟ ଗ୍ରହ ଜୀବ ବା ଏଲିଅନ୍‌ଙ୍କ ସ୍ଥିତିକୁ ନେଇ ଅନେକ ବୈଜ୍ଞାନିକଙ୍କ ମତଠାରୁ ଷ୍ଟିଫେନ୍‌ଙ୍କର ମତ ଭିନ୍ନ। ତାଙ୍କ କହିବାନୁସାରେ ଅନ୍ୟ ଗ୍ରହରେ ମଧ୍ୟ ଜୀବଜଗତ ସମ୍ଭବ ଓ ମହାକାଶରେ ଏଲିଅନ୍‌ ରହିଛନ୍ତି। ଏନେଇ ପ୍ରମାଣ ଖୋଜିବାକୁ ଷ୍ଟିଫେନ ଆରମ୍ଭ କରିଥିବା ମିସନ୍‌କୁ ମଧ୍ୟ ଏଲିଅନ୍‌ଙ୍କର କିଛି ସଂକେତ ମିଳିପାରିଛି। ଷ୍ଟିଫେନ୍‌ଙ୍କ ଏହି ସିଦ୍ଧାନ୍ତ ନେଇ ଅନେକ ଚଳଚ୍ଚିତ୍ର ନର୍ମାଣ ହୋଇଛି।

ସମ୍ବନ୍ଧିତ ଖବର