ଆର୍ଚର, ରୟ ଓ ସର୍ଫରାଜଙ୍କୁ ଜରିମାନା

ନଟିଂହାମ୍‌: ଚଳିତ ବିଶ୍ବକପ୍‌ରେ ଇଂଲଣ୍ଡ ଦ୍ରୁତ ବୋଲର ଚୋଫ୍ରା ଆର୍ଚର ଏବଂ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଜାସନ୍‌ ରୟଙ୍କୁ ଜରିମାନା ଦଣ୍ଡ ମିଳିଛି। ସୋମବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବେଳେ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ସେମାନଙ୍କ ମ୍ୟାଚ୍‌ ପାଉଣାର ୧୫ ପ୍ରତିଶତ ଲେଖାଏଁ ଜରିମାନା କରାଯାଇଛି। ପାକିସ୍ତାନ ପାଳିର ୧୪ତମ ଓଭର ‌ବେଳେ ଖରାପ କ୍ଷେତ୍ରରକ୍ଷଣ ପରେ ରୟ ଖରାପ ଭାଷା ପ୍ରୟୋଗ କରିଥିଲେ। ସେହିପରି ଦଳର ୨୭ତମ ଓଭର ବୋଲିଂ କରୁଥିଲା ବେଳେ ଆର୍ଚର ଏକ ୱାଇଡ୍‌ ବଲ୍‌ ପକାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ମଧ୍ୟ ଭାଷା ସଂଜତ କରିପାରିନଥିଲେ। ଅନ୍ୟପକ୍ଷରେ ମନ୍ଥର ବୋଲିଂ ପାଇଁ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ମଧ୍ୟ ଦଣ୍ଡିତ ହୋଇଛନ୍ତି। ତାଙ୍କୁ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ ଜରିମାନା ଦଣ୍ଡ ମିଳିଛି। ସର୍ଫରାଜଙ୍କୁ ୨୦ ପ୍ରତିଶତ ଜରିମାନା ମିଳିଥିଲା ବେଳେ ଆଇସିସି ନିୟମ ଅନୁଯାୟୀ ତାଙ୍କ ଦଳର ଅନ୍ୟ ଖେଳାଳିମାନଙ୍କୁ ମ୍ୟାଚ୍‌ ପାଉଣାର ୧୦ ପ୍ରତିଶତ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନାଯୋଗ୍ୟ, ଏହି ମ୍ୟାଚ୍‌କୁ ପାକିସ୍ତାନ ୧୪ ରନ୍‌ରେ ଜିତି ଇଂଲଣ୍ଡର ବିଜୟ ଧାରାକୁ ରୋକିଥିଲା।

ସମ୍ବନ୍ଧିତ ଖବର