ଏସୀୟ ପାରା କ୍ରୀଡ଼ା ଉଦ୍‌ଘାଟିତ: ଆଜିଠୁ ଜୟନ୍ତୀଙ୍କ ଅଭିଯାନ

ହାଂଝୌ: ଚତୁର୍ଥ ଏସୀୟ ପାରା କ୍ରୀଡ଼ା ରବିବାର ହାଂଝୌ ସ୍ପୋର୍ଟ୍ସ ପାର୍କ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ପାରା ସଟଲର ପାରୁଲ ପାରମର ଓ ପାରା କ୍ଲବ୍‌ ଥ୍ରୋର ଅମିତ ସାରୋହା ତ୍ରିରଙ୍ଗା ଧରିଥିଲେ। ଏମାନଙ୍କ ସହ ମାର୍ଚ ପାଷ୍ଟରେ ପ୍ରତ୍ୟେକ ଭାରତୀୟ ଖେଳାଳି ଓ ଅଫିସିଆଲ୍‌ ଯାଇଥିଲେ। ୪୩ ‌ଦେଶକୁ ନେଇ ଆୟୋଜିତ ଏହି ବିବିଧକ୍ରୀଡ଼ା ବିଶିଷ୍ଟ ଏହି ମହାଦେଶୀୟ ପ୍ରତିଯୋଗିତା ଆୟୋଜିତ ହେଉଛି। ଏହା ଆସନ୍ତା ଶନିବାର ପର୍ଯ୍ୟନ୍ତ ଚାଲିବ। ଏହି କ୍ରୀଡ଼ା ଲାଗି ଭାରତ ୩୦୩ (୧୯୧ ପୁରୁଷ ଓ ୧୧୨ ମହିଳା) ଖେଳାଳିଙ୍କୁ ପଠାଇଛି। ଗତ ଜାକର୍ତ୍ତା ସଂସ୍କରଣରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୭୨ ପଦକ (୧୫ ସ୍ବର୍ଣ୍ଣ, ୨୪ ରୌପ୍ୟ ଓ ୩୩ କାଂସ୍ୟ) ପଦକ ଜିତିଥିଲା। ଚଳିତ ବର୍ଷ ଏହାକୁ ଟପିବା ସହ ୧୦୦ ପଦକ ଅତିକ୍ରମ କରିବାର ଲକ୍ଷ୍ୟ ରଖିଛି। ଅଲିମ୍ପିକ୍‌ ବିଜେତା ପ୍ରମୋଦ ଭଗତ, ଏକତା ଭୂୟାଁ ଓ ସୁୟାଶ ଯାଦବ ନିଜ ନିଜର ମୁକୁଟ ବଜାୟ ରଖିବାକୁ ଚେଷ୍ଟା କରିବେ। ଟୋକିଓ ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ଆଭାନି ଲେଖାରା, ସୁମିତ ଅନ୍ତିଲ ଏସୀୟ କ୍ରୀଡ଼ାରେ ପଦକ ଅଶାରେ ରହିଛନ୍ତି। ଭାରତୀୟ ଦଳରେ ଓଡ଼ିଶାରୁ ୭ ଜଣ ପ୍ରମୋଦ ଭଗତ (ବ୍ୟାଡ୍‌ମିଣ୍ଟନ), ସୌନ୍ଦର୍ଯ୍ୟ କୁମାର ପ୍ରଧାନ (ଦୃଷ୍ଟିହୀନ ଚେସ୍‌), ଜୟନ୍ତୀ ବେହେରା (ଦୌଡ଼କୁଦ), ରାଖାଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଓ ପୂଜାସ୍ବିନୀ ନାୟକ (ହ୍ବିଲ୍‌ଚେୟାର୍‌ ଅସିଚାଳନା)।

ଆଜିଠୁ ଜୟନ୍ତୀଙ୍କ ଅଭିଯାନ
ଓଡ଼ିଶାର ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ର ମୋଦ ଭଗତ ଦୁଇ ଦିନ ହେ‌ଲା ଏସୀୟ କ୍ରୀଡ଼ାରେ ଅଭିଯାନ ଆରମ୍ଭ କରି ସାରିଲେଣି। ନିଜର ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଜିତି ସେ ମଧ୍ୟ ଆଗକୁ ବଢ଼ିଛନ୍ତି। ସୋମବାର ଅନ୍ୟ ଜଣେ ଓଡ଼ିଆ ଖେଳାଳି ଜୟନ୍ତୀ ବେହେରା ନିଜର ଅଭିଯାନ ଆରମ୍ଭ କରିବେ। ସେ ପ୍ରଥମ ଦିନରେ ୨୦୦ମି ଦୌଡ଼ରେ ଦେଶ ପାଇଁ ପ୍ରତିନିଧତ୍ୱ କରିବେ। ଗତ ସଂସ୍କରଣରେ ଜୟନ୍ତୀ କାଂସ୍ୟ ପଦକ ହାସଲ କରିଥିଲେ। ଚଳିତ ବର୍ଷ ପଞ୍ଚମ ଅନ୍ତର୍ଜାତୀୟ ଓପନ୍‌ ଓ ବିଶ୍ବ କ୍ରୀଡ଼ା ୨୦୨୨‌ରେ ୨୦୦ ମିଟର ବର୍ଗରେ ସ୍ବର୍ଣ୍ଣ ଜିତିଥିଲେ। ତେଣୁ ସେ ସ୍ବର୍ଣ୍ଣ ଜିତିବାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର