ବିହାରୀ ଶତକ, ବୁମ୍‌ରା ହ୍ୟାଟ୍ରିକ୍

ଈଶାନ୍ତଙ୍କ ପ୍ରଥମ ଅର୍ଧଶତକ: ଭାରତ ୪୧୬

ଜାମାଇକା: କିଙ୍ଗଷ୍ଟନ୍‌ ଟେଷ୍ଟ୍‌ର ପ୍ରଥମ ପାଳିରେ ଭାରତ ୪୧୬ ରନ୍‌ର ସମ୍ମାନଜନକ ସ୍କୋର କରିଛି। ଅଲରାଉଣ୍ଡର ହନୁମା ବିହାରୀଙ୍କ ପ୍ରଥମ ଶତକ ସହ ଈଶାନ୍ତ ଶର୍ମାଙ୍କ ପ୍ରଥମ ଅର୍ଧଶତକ ପାଇଁ ୩୦୨ ରନ୍‌ରେ ୭ ୱିକେଟ୍ ହରାଇ ସାରିଥିବା ଭାରତ ୪୦୦ ରନ୍ ଟପିଛି। ବିହାରୀ ୨୦୦ ବଲ୍‌ରୁ ଲଢ଼ୁଆ ଶତକ ଏବଂ ଈଶାନ୍ତ ୬୯ ବଲ୍‌ରୁ ଉପଯୋଗୀ ଅର୍ଧଶତକ ଅର୍ଜନ କରି ଇଣ୍ଡିଜ୍ ବୋଲରଙ୍କୁ ୨୮ରୁ ଅଧିକ ଓଭର ପର୍ଯ୍ୟନ୍ତ ନୟାନ୍ତ କରିଥିଲେ। ଉଭୟ ଅଷ୍ଟମ ୱିକେଟ୍‌ରେ ୧୧୪ ରନ୍ ଯୋଡ଼ିଥିଲେ। ଈଶାନ୍ତଙ୍କ ସ୍ମରଣୀୟ ପାଳି ୫୭ ରନ୍‌ରେ ଶେଷ ହୋଇଥିଲା। ବିହାରୀ ଭାରତର ‌‌ଶେଷ ୱିକେଟ୍ ଭାବେ ୧୧୧ ରନ୍‌ରେ ଆଉଟ୍ ହୋଇଥିଲେ। ଦୁଇ ଜଣ ଯାକ କିନ୍ତୁ ଟେଷ୍ଟ୍‌ କ୍ରିକେଟ୍‌ରେ ନିଜ ନିଜର ସର୍ବାଧିକ ବ୍ୟକ୍ତିଗତ ରନ୍ କରିଥିଲେ। ୨୬ ବର୍ଷୀୟ ବିହାରୀ ନର୍ଥସାଉଣ୍ଡରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍‌ରେ ନର୍ଭସ ନାଉଣ୍ଟିର ଶିକାର ହୋଇଥିଲେ। କିଙ୍ଗଷ୍ଟନ୍‌ରେ କିନ୍ତୁ ଅସୀମ ଏକାଗ୍ରତାର ପରିଚୟ ଦେଇ ପ୍ରଥମ ଥର ପାଇଁ ତିନି ଅଙ୍କ ଛୁଇଁଥିଲେ ସେ। ଏହା ପୂର୍ବରୁ ଈଶାନ୍ତଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୩୧* ଥିଲା। ସେହିଭଳି ନର୍ଥସାଉଣ୍ଡରେ ଖେଳା ଯାଇଥିବା ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ କରିଥିବା ୯୩ ରନ୍ ଏହା ପୂର୍ବରୁ ବିହାରୀଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା।

ଏହାର ଜବାବ‌େର ଯଶପ୍ରୀତ ବୁମ୍‌ରାଙ୍କ ଅଗ୍ନିବର୍ଷୀ ବୋଲିଂରେ ଘାଇଲା ହୋଇ ଇଣ୍ଡିଜ୍ ୨୩ ଓଭରରେ ୫ ୱିକେଟ୍ ହରାଇ ମାତ୍ର ୧୪ ରନ୍ କରିଛି। ଚାରିଟି ଯାକ ୱିକେଟ୍ ବୁମରା ନେଇଛନ୍ତି। ସପ୍ତମ ଓଭରର ଚତୁର୍ଥ ବଲ୍‌ରେ ଜନ୍ କ୍ୟାମ୍ପବେଲ (୨)ଙ୍କୁ ଆଉଟ୍ କରି ବୁମ୍‌ରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ନବମ ଓଭରର ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ବଲ୍‌ରେ ଡାରେନ୍ ବ୍ରାଭୋ (୪), ସମରା ବ୍ରୁକ୍ସ(୦) ଓ ରଷ୍ଟନ ଚେଜ୍‌ (୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ।

ଭାରତ ଆଜି ୨୬୪/୫ରୁ ଖେଳ ଆରମ୍ଭ କରି ପ୍ରଥମ ବଲ୍‌ରେ ହିଁ ୱିକେଟ୍ ରକ୍ଷକ ଋଷବ ପନ୍ତ (୨୭)ଙ୍କୁ ହରାଇଥିଲା। ପନ୍ତ ପୁଣି ଥରେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ରୂପାନ୍ତର କରିବାରେ ବିଫଳ ହୋଇଥିଲେ। ବିଳମ୍ବରେ ଭିତରକୁ ଘୂରିଥିବା ଜାସନ୍‌ ହୋଲ୍‌ଡରଙ୍କ ଲେନ୍ଥ୍‌ ବଲ୍‌କୁ ବୁଝି ନପାରି ସେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଅନ୍ୟପକ୍ଷରେ ୪୨ ରନ୍‌ରେ ଅପରାଜିତ ଥିବା ବିହାରୀ ସେହି ହୋଲ୍ଡରଙ୍କୁ ଚୌକା ମାରି ଅର୍ଧଶତକ ପୂରଣ କରିଥିଲେ। ‌ଏହାପରେ ରବୀନ୍ଦ୍ର ଜାଦେଜା (୧୬)ଙ୍କୁ ସାଥୀ କରି ସପ୍ତମ ୱିକେଟ୍‌ରେ ମହତ୍ବପୂର୍ଣ୍ଣ ୩୮ ରନ୍ ଯୋଡ଼ିଥିଲେ। ଚେତେଶ୍ବର ପୂଜାରାଙ୍କ ପରେ ଜାଦେଜା ଇଣ୍ଡିଜ୍‌ର ପଦାର୍ପଣକାରୀ ତଥା ଓଜନିଆ ସ୍ପିନର ରାଖିମ କର୍ନୱାଲଙ୍କ ଦ୍ବିତୀୟ ଶିକାର ହୋଇଥିଲେ। କର୍ନୱାଲ ତାଙ୍କୁ ଡାରେନ୍ ବ୍ରଭୋଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ବିହାରୀ-ଈଶାନ୍ତ କିନ୍ତୁ ୨୮.୩ ଓଭର ପର୍ଯ୍ୟନ୍ତ ଇଣ୍ଡିଜ୍ ବୋଲରଙ୍କୁ ୱିକେଟ୍ ଦେଇ ନଥିଲେ। ଭାରତର ସ୍କୋର ୪୧୪ ଥିଲା ବେଳେ ଈଶାନ୍ତଙ୍କୁ କ୍ରେଗ୍ ବ୍ରାଥୱେଟ୍ ସିମରନ୍ ହେଟମେରଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିଥିଲେ। ମହମ୍ମଦ ସାମି (୦) ମାତ୍ର ୨ ରନ୍ ପରେ କର୍ନୱାଲଙ୍କ ତୃତୀୟ ଶିକାର ହୋଇଥିଲେ। ସେ ବି ଲଗାତାର ଷଷ୍ଠ ଥର ପାଇଁ ଖାତା ଖୋଲି ପାରି ନଥିଲେ। ଶେଷ ୱିକେଟ୍ ଭାବେ ବିହାରୀଙ୍କୁ ଇଣ୍ଡିଜ୍ ଅଧିନାୟକ ଜାସନ ହୋଲ୍ଡର ଆଉଟ୍ କରିଥିଲେ। ଏହା କରି ସେ ଷଷ୍ଠ ଥର ପାଇଁ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ। ଶୁକ୍ରବାର ପ୍ରଥମ ଦିନରେ ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି (୭୬) ଓ ଯୁବ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ (୫୫) ‌ଇଣ୍ଡିଜ୍ ‌ବୋଲରଙ୍କୁ ସାହସର ସହ ମୁକାବିଲା କରି ଅର୍ଧଶତକ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର