ବୁମ୍‌ରାଙ୍କ ବୋଲିଂର ସମ୍ମୁଖୀନ ହେବାକୁ ଚାହେଁନାହିଁ: କୋହଲି

ମେଲ୍‌ବର୍ନ: ଭାରତର ମେଲବର୍ନ ବିଜୟରେ କର୍ଣ୍ଣଧାର ସାଜିଥିବା ଯଶ୍‌ପ୍ରୀତ୍ ବୁମରାଙ୍କୁ ଅଧିନାୟକ ବିରାଟ କୋହଲି ଉଚ୍ଚ ପ୍ରଶଂସା କରିଛନ୍ତି। ବୁମ୍‌ରାଙ୍କୁ ଉଲ୍ଲେଖନୀୟ ଦ୍ରୁତ ବୋଲର ଦର୍ଶାଇ କୋହଲି କହିଛନ୍ତି, ତାଙ୍କୁ ସମ୍ମୁଖୀନ ହେବାକୁ ବିଶ୍ବର ସବୁ ବ୍ୟାଟସମ୍ୟାନ ଭୟ କରୁଛନ୍ତି। ୨୫ ବର୍ଷୀୟ ଏହି ଦ୍ରୁତ ବୋଲର ମେଲବର୍ନରେ ଖେଳ ଜୀବନର ଶ୍ରେଷ୍ଠ (୬/୩୩) ସହିତ ମୋଟ ୯ ୱିକେଟ୍ ନେଇଥିଲେ। ପଦାର୍ପଣ ବର୍ଷରେ ବି ୩ ଥର ୫ ୱିକେଟ୍ ସଫଳତା ପାଇଛନ୍ତି। ତାଙ୍କୁ ସମ୍ମୁଖୀନ ହେବା ଲାଗି ଏବେ ବିଶ୍ବର ଅନ୍ୟ ବ୍ୟାଟସମ୍ୟାନ୍‌ ଭୟ କରୁଛନ୍ତି, ଯାହାକି ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। ସେ ଜଣେ ଦୃଢ଼ମନା କ୍ରିକେଟର। ଟେଷ୍ଟ୍ କ୍ରିକେଟର୍ ଭାବେ ସେ ଯେଭଳି ପରିପକ୍ବ ହୋଇଛନ୍ତି ତାହା ବଡ଼ କଥା। ତାଙ୍କ ଭଳି ବୋଲରଙ୍କୁ ମୁଁ ବି ସମ୍ମୁଖୀନ ହେବାକୁ ଚାହେଁନାହିଁ। ବିଶେଷ କରି ପର୍ଥ ଭଳି ପିଚ୍‌ରେ ତ ଆଦୌ ନୁହେଁ। ଥରେ ସେ ଲୟକୁ ଆସିଗଲେ ଘାଇଲା କରିଦେବେ। ପର୍ଥ ଟେଷ୍ଟ୍ ପରାଜୟ ପରେ ଏଠାରେ ଆମେ ପ୍ରତ୍ୟାବର୍ତନ କରିଛୁ। ଶୃଙ୍ଖଳାରେ ଭଲ ଆରମ୍ଭ କରିଥିବାରୁ ଏହା ଆମର ମାନସିକତାକୁ ଦୃଢ଼ ରଖିଥିଲା। ବୋଲରମାନଙ୍କୁ ମେଲବର୍ନରେ ବହୁ‌ ଓଭର ବୋଲିଂ କରିବାକୁ ପଡ଼ିଥିବାରୁ‌ ସେମାନଙ୍କୁ ସଲାମ ବୋଲି ମଧ୍ୟ କୋହଲି କହିଛନ୍ତି। ଅନ୍ୟପକ୍ଷରେ ନିଲମ୍ବିତ ଡେଭିଡ ୱାର୍ନର ଏବଂ‌ ଷ୍ଟିଭେନ୍ ସ୍ମିଥ୍‌ଙ୍କ ପାଇଁ ଅଷ୍ଟ୍ରେଲିଆକୁ ସଂଘର୍ଷ କରିବାକୁ ପଡୁଛି‌ ବୋଲି କହିଛନ୍ତି ଘରୋଇ ଦଳ ଅଧିନାୟକ ଟିମ୍‌ ପେନ୍‌।

ସମ୍ବନ୍ଧିତ ଖବର