ପୁଣେ: ଘର ଭିତରୁ ମିଳିଲା ପୂର୍ବତନ ଭାରତୀୟ କ୍ରିକେଟର ସଲୀଲ ଅଙ୍କୋଲାଙ୍କ ମା’ଙ୍କ ମୃତଦେହ । ବନ୍ଦ ଘରୁ ମୃତଦେହ ମିଳିଥିବା ବେଳେ ତାଙ୍କ ଗଳା କଟାଯାଇଥିବା କହିଛି ପୁଲିସ। ତେବେ ସେ ନିଜେ ନିଜର ଗଳା କାଟିଥିବା ପୁଲିସ ସନ୍ଦେହ କରୁଛି। ଘଟଣା ଘଟିବା ସମୟରେ ସେ ନିଜ ଘରେ ଏକା ଥିଲେ ବୋଲି ଜଣାଯାଇଛି । ମୃତକଙ୍କ ନାମ ମାଲା ଅଶୋକ ଅଙ୍କୋଲା।
ପୁଲିସର କହିବା ମୁତାବକ, ଶୁକ୍ରବାର ଘରେ କାମ କରୁଥିବା ଗୃହ ସହାୟିକା କାମ କରିବା ପାଇଁ ସକାଳେ ଘର ବାହାରେ ପହଞ୍ଚିବା ପରେ କବାଟ ଖୋଲିନଥିଲେ ମାଲା। କିଛି ସମୟ କବାଟ ବାଡାଇବା ପରେ ସେ ମାଲାଙ୍କ ସମ୍ପର୍କୀୟଙ୍କୁ ଫୋନ କରିଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେବାରୁ ପୁଲିସ ଆସି କବାଟ ଭାଙ୍ଗିଥିଲା। ଭିତରକୁ ଯିବା ପରେ ରକ୍ତାକ୍ତ ଅବସ୍ଥାରେ ମାଲା ତଳେ ପଡ଼ିଥିବା ଦେଖିବାକୁ ପାଇଥିଲା ପୁଲିସ। ପ୍ରାଥମିକ ତଦନ୍ତରୁ ମାଲା ନିଜେ ନିଜର ଗଳା କାଟିଥିବା ଜଣାପଡ଼ୁଥିବା ବେଳେ ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ କରିବ ବୋଲି କହିଛି। ମାଲାଙ୍କ ମାନସିକ ଅବସ୍ଥା ଭଲନଥିଲା ବୋଲି ପୁଲିସ ଜଣାଇଛି ।
ଯଦି ଆମେ ସଲୀଲଙ୍କ କଥା କହିବା ତେବେ ସେ ୧୯୮୯ରୁ ୧୯୯୭ମଧ୍ୟରେ ଗୋଟିଏ ଟେଷ୍ଟ ଏବଂ ୨୦ଟି ଓଡିଆଇ ଖେଳିଥିଲେ । ଏହା ପରେ ସେ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଅଭିନୟ କରିବା ଆରମ୍ଭ କରିଥିଲେ ।