ହ୍ୟାଟ୍ରିକ୍ ଟେଷ୍ଟ ଗଦା, ଲଗାତାର ତୃତୀୟ ବର୍ଷ ପାଇଁ ଭାରତ ଶ୍ରେଷ୍ଠ

ଦୁବାଇ: ଭାରତୀୟ କ୍ରିକେଟ୍ ଦଳ ଲଗାତାର ତୃତୀୟ ବର୍ଷ ପାଇଁ ଟେଷ୍ଟ ମାନ୍ୟତାର ପ୍ରଥମ ସ୍ଥାନରେ ବର୍ଷ ଶେଷ କରିଛି। ଫଳରେ ଆଇସିସି ଗଦାକୁ ନିଜ ପାଖରେ ରଖିଛି। ତା’ ସହ ଏକ ନିୟୁତ ଡଲାରର ପୁରସ୍କାର ରାଶି ମଧ୍ୟ ଜିତି ନେଇଛି। ଏପ୍ରିଲ ୧ ଶେଷ ତାରିଖ ସୁଦ୍ଧା ଭାରତ ଟେଷ୍ଟ ମାନ୍ୟତାର ପ୍ରଥମ ସ୍ଥାନରେ ଥିଲା ବେଳେ ନ୍ୟୁଜିଲାଣ୍ଡ ଦ୍ବିତୀୟ ଏବଂ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି। ସେପଟେ ନ୍ୟୁଜିଲାଣ୍ଡ ମଧ୍ୟ ସ୍ଥିର ପ୍ରଦର୍ଶନ ଦେଇଥିଲା। ଘରୋଇ ପରିବେଶରେ ବାଂଲାଦେଶକୁ ହରାଇ ନ୍ୟୁଜିଲାଣ୍ଡ ଦ୍ବିତୀୟରୁ ତୃତୀୟକୁ ଉନ୍ନୀତ ହୋଇଥିଲା। ଦ୍ବିତୀୟ ସ୍ଥାନ ପାଇଁ ନ୍ୟୁଜିଲାଣ୍ଡ ୫ ଲକ୍ଷ ଡଲାର ପାଇଥିଲା ବେଳେ ଦକ୍ଷିଣ ଆଫ୍ରିକା ୨,୦୦,୦୦୦ ଡଲାର ହାସଲ କରିଛି। ଇଂଲଣ୍ଡକୁ ଦଶମିକ ତିନି ସ୍ଥାନରେ ପଛରେ ପକାଇ (ଉଭୟ ୧୦୪ ପଏଣ୍ଟରେ ରହିଛନ୍ତି) ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିବା ସହ ୧,୦୦,୦୦୦ ଡଲାର ପାଇଛି। ଭାରତ ଗତବର୍ଷ ମାର୍ଚ ୩୧ରୁ ଚଳିତ ବର୍ଷର ଏପ୍ରିଲ ପହିଲା ମଧ୍ୟରେ ଭାରତ ଘରୋଇ ପରିବେଶରେ ଆଫଗାନିସ୍ତାନକୁ ୧-୦, ୱେଷ୍ଟଇଣ୍ଡିଜକୁ ୨-୦ ହରାଇଥିଲା। ଇଂଲଣ୍ଡଠାରୁ ୧-୪ରେ ହାରିବା ସହ ଅଷ୍ଟ୍ରେଲିଆକୁ ତା ମାଟିରେ ପ୍ରଥମ ଥର ପାଇଁ ୨-୧ରେ ପରାସ୍ତ କରିଥିଲା। ଭାରତ ସଂପ୍ରତି ୧୧୬ ପଏଣ୍ଟରେ ଅଛି। ଯାହା ନ୍ୟୁଜିଲାଣ୍ଡଠାରୁ ପୂରା ୮ ପଏଣ୍ଟ ଅଧିକ। ଅଧିନାୟକ ବିରାଟ କୋହଲି ଭାରତର ଏହି ସଫଳତାର ଶ୍ରେୟ ବ୍ୟାଟିଂକ୍ରମରେ ଥିବା ଗଭୀରତାକୁ ଦେଇଛନ୍ତି। ସେ କହିଛନ୍ତି ପୁଣି ଥରେ ଆଇସିସି ଗଦା ନିଜ ପାଖରେ ରଖିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଆମ ଦଳ ତିନିଟି ଯାକ ଫର୍ମାଟରେ ଭଲ କରି ଆସୁଛି। ଟେଷ୍ଟ ମାନ୍ୟତାର ପ୍ରଥମ ସ୍ଥାନରେ ରହିବା କିନ୍ତୁ ଅତିରିକ୍ତ ଆନନ୍ଦ ଦେଇଛି। ଆମ ଦଳରେ ବହୁ ଗଭୀରତା ରହିଛି। ଆଇସିସି ବିଶ୍ବ ପ୍ରତିଯୋଗିତାରେ ଏହା ଆମକୁ ବେଶ୍ ସହାୟ ହେବ ବୋଲି ଆଶା କରୁଛି। ସୂଚନାଯୋଗ୍ୟ ଯେ ତୃତୀୟରୁ ଦଶମ ସ୍ଥାନରେ ଥିବା ଦଳଗୁଡ଼ିକ ମଧ୍ୟରେ ଦକ୍ଷିଣ ଆଫ୍ରିକା ୧୦୫, ଅଷ୍ଟ୍ରେଲିଆ ୧୦୪, ଇଂଲଣ୍ଡ ୧୦୪, ଶ୍ରୀଲଙ୍କା ୯୩, ପାକିସ୍ତାନ ୮୮, ୱେଷ୍ଟଇଣ୍ଡିଜ୍ ୭୭, ବାଂଲାଦେଶ ୬୮ ଓ ଜିମ୍ବାୱେ ୧୩ ପଏଣ୍ଟ୍‌ରେ ରହିଛି।

ସମ୍ବନ୍ଧିତ ଖବର