ଭାରତ-ଜିମ୍ବାୱେ ଦ୍ବିତୀୟ ଦିନିକିଆ ଆଜି

ହରାରେ : ଜିମ୍ବାୱେ ବିପକ୍ଷ ଅବଶିଷ୍ଟ ଦୁଇ ଦିନିକିଆରେ ଭାରତ ନିଜ ପାଇଁ ନିଜ ଆହ୍ବାନର ସୀମା ବଢ଼ାଇବା ଯୋଜନାରେ ରହିଛି। ଦୁଇ ଦେଶ ମଧ୍ୟରେ ମୁକାବିଲା ବେଳେ ଭାରତ ଏକତରଫା ଜିତୁଥିବାରୁ କେ‌ଏଲ୍ ରାହୁଲଙ୍କ ଦଳ ଶନିବାର ବ୍ୟାଟିଂର ଭରପୁର ଫାଇଦା ଉଠାଇବାକୁ ଚାହୁଁଛି। ସମ୍ପୂର୍ଣ୍ଣ ୫୦ ଓଭର ବ୍ୟାଟିଂ କରିବାର ସୁଯୋଗ ଖୋଜୁଛି ଦଳ। ଏଥିପାଇଁ ଭାରତକୁ ଟସ୍ ଜିତିବାର ଆବଶ୍ୟକତା ରହିଛି, ନତୁବା ଜିମ୍ବାୱେ ଦ୍ବାରା ପ୍ରଥମେ ବ୍ୟାଟିଂ କରିବାର ଆମନ୍ତ୍ରଣ ଆବଶ୍ୟକତା ରହିଛି। ପ୍ରଥମ ଦିନିକିଆକୁ ଶୁକ୍ରବାର ଭାରତ ଏକତରଫା ଭାବେ ୧୦ ୱିକେଟ୍‌ରେ ଜିତି ୩ ମ୍ୟାଚ୍‌ ଶୃଙ୍ଖଳାରେ ଆଗୁଆ ହୋଇଛି। ଶନିବାର ଓ ସୋମବାର ଅବଶିଷ୍ଟ ଦୁଇ ମ୍ୟାଚ୍‌ ଖେଳାଯିବ। ସେହି ଦୃଷ୍ଟିରୁ କେଏଲ୍ ରାହୁଲଙ୍କ ଦଳ ପାଇଁ ପ୍ରଥମ ଲକ୍ଷ୍ୟ ରହିଛି ଟସ୍ ଜିତିବା। ଜିମ୍ମି ଆଣ୍ଡରସନ୍‌ କି ଜୋସ୍ ହାଜେଲଉଡ୍‌ଙ୍କ ଭଳି ବୋଲର ନଥିଲେ ମଧ୍ୟ ଭାରତ ପାଇଁ ହରାରେର ପରିବେଶରେ ବ୍ୟାଟିଂ କରିବା ଏକମାତ୍ର ପରୀକ୍ଷା ରହିଛି।

ପ୍ରଥମ ମ୍ୟାଚ୍‌ ପରେ ଦୀପକ ଚହର କହିଥିଲେ, ଏଠାକାର୍ ପିଚ୍‌ରେ ବୋଲରଙ୍କ ପାଇଁ ବିଶେଷ କିଛି ନାହିଁ। କେବଳ ପ୍ରଥମ ଘଣ୍ଟାକ ‌ଖେଳରେ ବ୍ୟାଟରଙ୍କ ପାଇଁ ଆହ୍ବାନ ରହିଥାଏ। ଏସିଆ କପ୍‌ରେ ସାହିନ୍ ସାହା ଆଫ୍ରିଦିଙ୍କ ଭଳି ବୋଲରଙ୍କୁ ଭେଟିବା ପୂର୍ବରୁ ଭାରତୀୟ ଖେଳାଳିମା‌‌ନେ ହରାରେରେ ସକାଳ ଘଣ୍ଟାକର ଆହ୍ବାନକୁ ପ୍ରତିହତ କରିବାକୁ ପସନ୍ଦ କରିବେ। ଦୀପକ ହୁଦା, ସଞ୍ଜୁ ସାମସନ୍‌ଙ୍କ ପାଳି ଗଢ଼ିବା କାର୍ଯ୍ୟ ଏହି ଶୃଙ୍ଖଳାରେ ଗୁରୁତ୍ବପୂର୍ଣ୍ଣ ହେବ। ଶୃଙ୍ଖଳା ଜିତିବା ପରେ କିନ୍ତୁ କିଛି ପରୀକ୍ଷା ନିରୀକ୍ଷା କରିବା ସପକ୍ଷରେ ରହିଛନ୍ତି କାମଚଳା ପ୍ରଶିକ୍ଷକ ଭିଭିଏସ୍‌ ଲକ୍ଷ୍ମଣ। ତେବେ ପ୍ରଥମ ମ୍ୟାଚ୍‌ର ଶେଷ ଆଡକୁ ସାମାନ୍ୟ ଆହତ ଶିଖର ଧାୱନ ‌ଖେଳି ନପାରିଲେ ବାମ-ଡାହାଣ ଯୋଡ଼ି ବଜାୟ ରଖିବାକୁ ଈଶାନ କିଶନ-କେଏଲ୍ ରାହୁଲଙ୍କୁ ପାଳି ଆରମ୍ଭ ସୁଯୋଗ ମିଳିପାରେ।

ସମ୍ଭାବ୍ୟ ଭାରତ: ଶୁବମନ ଗିଲ୍, ଶିଖର ଧାୱନ, ଈଶାନ କିଶନ, କେଏଲ୍ ରାହୁଲ (ଅଧିନାୟକ), ସଞ୍ଜୁ ସାମସନ୍, ଦୀପକ ହୁଦା, ଅକ୍ଷର ପଟେଲ, ଦୀପକ ଚହର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ।

ସମ୍ଭାବ୍ୟ ଜିମ୍ବାୱେ: ଇନୋସେଣ୍ଟ କାଇଆ, ତାଡିୱାନସେ ମାରୁମନି/ତାକୁଜ୍ବାନ୍‌ସେ କାଇତାନୋ, ୱେସଲି ମାଧେଭେରେ, ସିକନ୍ଦର ରାଜା, ସିନ୍ ୱିଲିୟମ୍ସ, ରେଗିସ୍ ଚକଭା (ଅଧିନାୟକ), ରୢାନ୍ ବୁର୍ଲ, ଲୁକ୍ ଜଙ୍ଗୱେ, ବ୍ରାଡ୍ ଇଭାନ୍ସ, ରିଚାର୍ଡ ଏନଗରଭା, ଭିକ୍ଟର ନାଉଚି।

ସମ୍ବନ୍ଧିତ ଖବର