କଳାହାଣ୍ଡି କପ୍‌ ସୁପରଲିଗ୍‌ ଆରମ୍ଭ: ଶେଖରଙ୍କ ହ୍ୟାଟ୍ରିକ୍‌

କଟକ: କଳାହାଣ୍ଡି କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସୁପରଲିଗ୍‌ର ଟ୍ବେଣ୍ଟି-୨୦ ପର୍ଯ୍ୟାୟ ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ଇକୋର୍ସା, ଓଡ଼ିଶା ବ୍ଲୁ, କଟକ ଏ’, ଓଡ଼ିଶା ଭାଓଲେଟ, ଓଡ଼ିଶା‌ ରେଡ୍‌, ଓଡ଼ିଶା ଗ୍ରିନ୍‌ ବିଜୟୀ ହୋଇଛନ୍ତି।
ଏସ୍‌ସିବି ମେଡିକାଲ ପଡ଼ିଆରେ ଇକୋର୍ସା ୩ ୱିକେଟ୍‌ରେ ସୁନ୍ଦରଗଡ଼କୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ସୁନ୍ଦରଗଡ଼ ୧୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୦୬ ରନ୍‌ ସଂଗ୍ରହ କରିଥିଲା। ଇକୋର୍ସାର ବାମହାତୀ ସ୍ପିନର ଜୟନ୍ତ ବେହେରା ସର୍ବାଧିକ ୪ ୱିକେଟ‌୍‌ ନେଇଥିଲା ବେଳେ ରାଜେଶ ମହାନ୍ତି ୨, ଅଙ୍କିତ ଯାଦବ, ମଳୟ ଜେନା, ଲଗ୍ନଜିତ ସାମଲ ପ୍ରତ୍ୟେକ ୧ ୱିକେଟ୍‌ ଲେଖାଏଁ ପାଇଥିଲେ। ୧୦୭ ରନ୍‌ର ଲକ୍ଷ୍ୟକୁ ଇକୋର୍ସା ୩ଟି ବଲ୍‌ ପୂର୍ବରୁ ୭ ୱିକେଟ୍‌ ହରାଇ ହାସଲ କରିଥିଲା। ପ୍ରଶାନ୍ତ ସାହୁ ୩୦, ଅଙ୍କିତ ଯାଦବ ୩୦ ରନ୍‌ କରି ଦଳକୁ ଜିତାଇବାରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ।

ସନ୍‌ସାଇନ୍‌ ପଡ଼ିଆରେ ଓଡ଼ିଶା ବ୍ଲୁ ୩୩ ରନ୍‌ରେ ଖୋର୍ଦ୍ଧାକୁ ହରାଇଛି। ଖୋର୍ଦ୍ଧା ଟସ୍‌ ଜିତି ବୋଲିଂ କରିଥିଲା ବେଳେ ବ୍ଲୁ’ ୫ ୱିକେଟ୍‌ ବିନିମୟରେ ୧୫୦ ରନ୍‌ ସଂଗ୍ରହ କରିଥିଲା। ସୁକେଶ ହୀରା ୪୪, ଆକାଶ ଚନ୍ଦ୍ର ନାୟକ ୩୨ ରନ୍‌ର ଯୋଗଦାନ କରିଥିଲା ବେଳେ ପ୍ରତିପକ୍ଷର ସୁମିତ ମହାରଣା ୩, ମୃତ୍ୟୁଞ୍ଜୟ ମାନସିଂହ ୨ ୱିକେଟ୍‌ ନେଇଥିଲେ। ଏହା ଜବାବରେ ଖୋର୍ଦ୍ଧା ଭଲ ଆରମ୍ଭ କରିଥିଲେ ବି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଅଧିକ ସମୟ ବ୍ୟାଟିଂ କରିପାରିନଥିଲେ। ସିଦ୍ଧାନ୍ତ ଜେନା ୩୦, ଜ୍ୟୋତି ରଂଜନ ବେହେରା ୪୧ ରନ୍‌ କରି ଆଉଟ ହୋଇଥିଲେ। ଦଳ ୧୭.୪ ଓଭର ବେଳକୁ ୧୧୭ ରନ୍‌ କରିଥିଲା ବେଳେ ସମସ୍ତ ୱିକେଟର ପତନ ଘଟିଥିଲା। ବିଜୟୀ ଦଳର ବି.ଶିବା ୨, ନିଲୁ ପ୍ରଧାନ ୩ ୱିକେଟ୍‌ ଅକ୍ତିଆର କରିଥିଲେ।

ରେଭେନ୍ସା ପଡ଼ିଆରେ କଟକ ଏ’ ୭ ୱିକେଟ୍‌ରେ ଝାରସୁଗୁଡ଼ାକୁ ପରାସ୍ତ କରିଛି। ଝାରସୁଗୁଡ଼ା ବ୍ୟାଟିଂ ଆରମ୍ଭ କରି ନିୟମିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୮୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବିପ୍ଲବ ସାମନ୍ତରାୟ ୪, ଜାମଲା ଭଞ୍ଜନ ମହାପାତ୍ର ୩, ଶିବାଶିଷ ସାହୁ ୧ ୱିକେଟ୍‌ ପାଇଥିଲେ। ୮୪ ରନ୍‌ ସହଜସାଧ୍ୟ ଲକ୍ଷ୍ୟକୁ କଟକ ୧୬.୧ ଓଭରରେ ୩ ୱିକେଟ୍‌ ହରାଇ ହାସଲ କରିଥିଲା। ଅଭିଷେକ ରାଉତ ୨୭, ରାମଚନ୍ଦ୍ର ବେହେରା ୨୬ ରନ୍‌ ସଂଗ୍ରହ କରିଥିଲେ। ବିଡ଼ାନାସୀ ପଡ଼ିଆରେ ଓଡ଼ିଶା ଭାଓଲେଟ୍‌ ୬ ୱିକେଟ୍‌ରେ ଓଡ଼ିଶା ପିଙ୍କ୍‌କୁ ହରାଇଛି। ପିଙ୍କ୍‌ ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ନିର୍ଧାରିତ ଓଭର ସୁଦ୍ଧା ୪ ୱିକେଟ୍‌ ବିନିମୟରେ ୧୫୧ ରନ୍‌ ସଂଗ୍ରହ କରିଥିଲା। ବିଶ୍ବଭୂଷଣ ବିହାରୀ ୪୭, ଶୁଭମ ଶତ୍ରୁଜିତ ୪୪ ରନ୍ ସଂଗ୍ରହ କରିଥିଲା ବେଳେ ପ୍ରତିପକ୍ଷର ସର୍ବେଶ୍ବର ମହାନ୍ତି ଏହି ସମସ୍ତ ୱିକେଟ୍‌ ହାତେଇଥିଲେ। ତେବେ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆଦିତ୍ୟ ରାଉତଙ୍କ ୪୦, ମରାଜୁ ପ୍ରଶାନ୍ତଙ୍କ ୪୭ ରନ୍‌ ସହାୟତାରେ ଭାଓଲେଟ ଶେଷ ଓଭରର ପ୍ରଥମ ବଲ୍‌ରେ ବିଜୟୀ ହୋଇଥିଲା।

ରେଭେନ୍ସା ୨ ନମ୍ବର ପଡ଼ିଆରେ ଓଡ଼ିଶା ରେଡ୍‌ ୬ ୱିକେଟ୍‌ରେ ରାଉରକେଲାକୁ ପରାସ୍ତ କରିଛି। ରାଉରକେଲା ବ୍ୟାଟିଂ ଆରମ୍ଭ କରିଥିଲା ବେଳେ ସ୍ବସ୍ତିକ ସାମଲଙ୍କ ୪୨, ଶୁଭଙ୍କର ବିଶ୍ବାସଙ୍କ ୩୬ ରନ୍‌ ସହାୟତାରେ ଦଳ ୧୯.୫ ଓଭର ବେଳକୁ ସମସ୍ତ ୱିକେଟ ହରାଇ ୧୧୮ ରନ୍‌ ସଂଗ୍ରହ କରିଥିଲା। ଶେଖର ମାଝୀ ୩.୫ ଓଭର ବୋଲିଂ କରିଥିଲା ବେଳେ ୧ ମେଡେନ୍‌ ଓ ୨୧ରନ୍‌ ବ୍ୟୟ କରି ୫ ୱିକେଟ୍‌ ଅକ୍ତିଆର କରିଥିଲେ। ସେ ତାଙ୍କର ଏହି ୫ ୱିକେଟ୍‌ ମଧ୍ୟରେ ଶେଷ ତିନୋଟି ୱିକେଟ୍‌କୁ ଲଗାତାର ବଲ୍‌ରେ ସଂଗ୍ରହ କରିଥିଲେ। ଶେଷ ଓଭରର ତୃତୀୟ ବଳରେ ଗୋବିନ୍ଦ ତାଣ୍ଡିଆ, ଚତୁର୍ଥ ବଲ୍‌ରେ ଶୁଭଙ୍କର ବିଶ୍ବାସ ଓ ପଞ୍ଚମ ବଲ୍‌ରେ ଉମେଶ ଯାଦବ ଏହି ହ୍ୟାଟ୍ରିକ ୱିକେଟର ଶିକାର ହୋଇଥିଲେ। ୧୧୯ ରନ୍‌ର ଲକ୍ଷ୍ୟକୁ ରେଡ୍‌ ପିଛା କରିବାକୁଯାଇ ୧୮.୨ ଓଭର ସୁଦ୍ଧା ୪ ୱିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତିପାରିଥିଲା। ଅନୁରାଗ ଷଡ଼ଙ୍ଗୀ ୪୫, କାର୍ତ୍ତିକ ବିଶ୍ବାଳ ୩୩ ରନ୍‌ର ଯୋଗଦାନ କରିଥିଲେ।

ନିମପୁର ପଡ଼ିଆରେ ଓଡ଼ିଶା ଗ୍ରିନ୍‌ ୩୭ରନ୍‌ରେ ଓଡ଼ିଶା ୟେଲୋକୁ ହରାଇଛି। ୟେଲୋ ଟସ୍‌ ଜିତି ବୋଲିଂ କରିଥିଲା। ଅଂଶୁମାନ ରଥଙ୍କ ୩୬, ପ୍ରତୀକ ଦାସଙ୍କ ୪୪ ରନ୍‌ ସହାୟତାରେ ଗ୍ରିନ୍‌ ୧୭ ଓଭର ସୁଦ୍ଧା ୪ ୱିକେଟ୍‌ ହରାଇ ୧୨୦ ରନ୍‌ରେ ସୀମିତ ରହିଥିଲା। ସଂଜୟ ପାତ୍ର ୩ ଓ ସୌମେନ୍ଦ୍ର ଦାସ ୧ ୱିକେଟ୍‌ ନେଇଥିଲେ। ୟେଲୋ ପାଇଁ ମଧ୍ୟ ବିଜୟ ଲକ୍ଷ୍ୟ ପରିବର୍ତ୍ତିତ ହୋଇଥିଲା ବେଳେ ୧୭ ଓଭର ସୁଦ୍ଧା ୧୨୫ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ୟେଲୋ ନିୟମିତ ଭାବେ ୱିକେଟ୍‌ ହରାଇ ନିର୍ଧାରିତ ଓଭର ସୁଦ୍ଧା ୯ ୱିକେଟ୍‌ ବିନିମୟରେ ୮୭ ରନ୍‌ କରିପାରିଥିଲା। ବିଜୟୀ ଦଳର ଦେବବ୍ରତ ପ୍ରଧାନ ୩, ପ୍ରୟାସ ସିଂହ ୩, ସୁଧାଂଶୁ ସେନାପତି ୨ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର