ଆଜି ମୋହନ ବାଗାନକୁ ଭେଟିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଏଏଫ୍‌ସି କପ୍‌ରେ ମାଳଦ୍ବୀପର ମାଜିୟା ଏସ୍‌ ଆଣ୍ଡ୍‌ ଆର୍‌ସି ବିପକ୍ଷ ଉଭୟ ଘର ଓ ବାହାର ମ୍ୟାଚ୍‌ ଜିତିଥିବା ଭୁବନେଶ୍ବର ଭିତ୍ତିକ ଦଳ ଫୁଟ୍‌ବଲ୍‌ କ୍ଲବ୍‌ ଓଡ଼ିଶା ଏଫ୍‌ସି ସୋମବାର କୋଲ୍‌କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଘରୋଇ ଦଳ ମୋହନ ବାଗାନ ସୁପର ଜାଏଣ୍ଟକୁ ଭେଟିବ। ଏଏଫ୍‌ସି କପ୍‌ରେ ଘରୋଇ ମୁକାବିଲାରେ ଓଡ଼ିଶା ଦଳ ୦-୪ ଗୋଲ୍‌‌ରେ ମୋହନ ବାଗାନ ସୁପର ଜାଏଣ୍ଟଠୁ ହାରିଯାଇଥିଲା। ସୋମବାର ଏହାର ପ୍ରତିଶୋଧ ସହ ପୂରା ୩ ପଏଣ୍ଟ କରାୟତ୍ତ କରିବାକୁ ଚେଷ୍ଟା କରିବ ଓଡ଼ିଶା। ଅନ୍ୟପକ୍ଷରେ ମୋହନ ବାଗାନ ସୁପର ଜାଏଣ୍ଟ ଏଏଫ୍‌ସି କପ୍‌ ଆରମ୍ଭ ଭଲ କରିଥିଲା। ହେଲେ ବସୁନ୍ଧରା କିଙ୍ଗ୍ସ ବିପକ୍ଷ ଗତ ମ୍ୟାଚ୍‌ରେ ଏହି ଦଳ ୧-୨ରେ ଗୋଲ୍‌ରେ ପରାସ୍ତ ହୋଇଥିଲା। ଏବେ ଏହି ଦଳ ଘରୋଇ ସୁବିଧାକୁ ଉପଯୋଗ କରି ବିଜୟ ଧାରାକୁ ଫେରିବାକୁ ଚାହିବ।

ସଂପ୍ରତି ଗ୍ରୁପ୍‌-ଡି’ରେ ଓଡ଼ିଶା ଏଫ୍‌ସି ୪ରୁ ୨ ବିଜୟ ୨ ପରାଜୟରୁ ୬ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ଥିଲା ବେଳେ ମୋହନ ବାଗାନ ସୁପର ଜାଏଣ୍ଟ୍‌ ସମାନ ମ୍ୟାଚ୍‌ ଖେଳି ୨ ବିଜୟ ୧ ଲେଖାଏଁ ଓ ଅମୀମାଂସିତରୁ ୭ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି। ‘‘ମୁଁ ଭାବୁଛି ଏହି ମ୍ୟାଚ୍‌ ଚମତ୍କାର ହେବ। ବାସନ୍ଦ ଓ ଆହତ ସମସ୍ୟା ସତ୍ତ୍ବେ ସେମାନେ ଭଲ ଦଳ। ଆମେ ଭଲ ଏକାଦଶ ନେଇ ପଡ଼ିଆକୁ ଓହ୍ଲାଇବୁ, ଗତ ମ୍ୟାଚ୍‌ର ଦ୍ବିତୀୟାର୍ଦ୍ଧ ଆମ ପାଇଁ କଷ୍ଟକର ଥିଲା। କିନ୍ତୁ ପ୍ରଥମାର୍ଦ୍ଧରେ ଆମେ ସେମାନଙ୍କୁ କଡ଼ା ଟକ୍କର ଦେଇଥିଲୁ। ଦ୍ବିତୀୟାର୍ଦ୍ଧରେ ୧୦ ଖେଳାଳି ହୋଇଯିବାରୁ ଅସୁବିଧା ହୋଇଥିଲା। ଏବେ ନୂଆ ଆଶା ନେଇ ଆ‌ମ ଖେଳାଳି ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି’’ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍‌ସିର ମୁଖ୍ୟ ପ୍ରଶିକ୍ଷକ ସର୍ଜିଓ ଲୋବେରା କହିଛନ୍ତି। ଓଡ଼ିଶା ଏଫ୍‌ସିର ଖେଳାଳି ‌ଲେନି ରଡ୍ରିଗୁଏଜ କହିଛନ୍ତି ଯେ ‘‘ଆମେ ଏଠାକୁ ମ୍ୟାଚ୍‌ ଜିତିବାକୁ ଆସିଛୁ ଏବଂ ନିଶ୍ଚିତ ପ୍ରତିଦ୍ବନ୍ଦ୍ବିତା ଭଲ ହେବ। ମୋହନ ବାଗାନ ବହୁତ ଭଲ ଦଳ। ଆସନ୍ତାକାଲି ଆମେ ଆମର ଶ୍ରେଷ୍ଠ ଦେବୁ ଏବଂ ବିଶ୍ବାସ ଅଛି ପୂରା ୩ ପଏଣ୍ଟ୍‌ କରାୟତ୍ତ କରିବୁ’’।

ସମ୍ବନ୍ଧିତ ଖବର