ବନ୍ଦେ ଭାରତକୁ ପଥର ମାଡ଼: ମେରାମଣ୍ଡଳି-ବୁଢ଼ାପଙ୍କ ମଧ୍ୟରେ ଭାଙ୍ଗିଲା ଝରକା

ଭୁବନେଶ୍ବର: ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ୍‌(୨୦୮୩୫)କୁ ପଥରମାଡ଼। ଭୁବନେଶ୍ୱର-ସମ୍ବଲପୁର ରେଳ ଲାଇନ୍‌ର ଢେଙ୍କାନାଳ-ଅନୁଗୁଳ ସେକ୍ସନର ମେରାମଣ୍ଡଳି ଓ ବୁଢ଼ାପଙ୍କ ମଧ୍ୟରେ ଏକ୍ସପ୍ରେସ୍‌କୁ ପଥର ମାଡ଼ ଦ୍ବାରା ଏଜୁକ୍ୟୁଟିଭ୍ କ୍ଲାସ୍ କୋଚ୍‌ର ୱିଣ୍ଡୋ ପେନ୍‌ ନଷ୍ଟ ହୋଇଛି। କର୍ତ୍ତବ୍ୟରତ ଆରପିଏଫ୍ ଏସକର୍ଟିଂ ଷ୍ଟାଫ୍‌ଙ୍କଠାରୁ ଦ୍ୱାରା ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୂର୍ବତଟ ରେଳପଥର ସୁରକ୍ଷା ୱିଙ୍ଗ୍‌ ଏହାକୁ ଗୁରୁତ୍ବର ସହ ନେଇଛି। ରେଳ ସୁରକ୍ଷା ବଳ(ଆରପିଏଫ୍‌) ଓ ସରକାରୀ ରେଳ ପୁଲିସ(ଜିଆରପି)କୁ ସତର୍କ କରାଯିବା ସହ କଟକରୁ ଆରପିଏଫ୍‌ର ସହକାରୀ ସୁରକ୍ଷା ଆୟୁକ୍ତଙ୍କୁ ଘଟଣା ସ୍ଥଳକୁ ପଠାଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଛି। ପଥର ଫିଙ୍ଗିବା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ପୁଲିସ ସହ ସମନ୍ୱୟ ରକ୍ଷା କରି ପୂର୍ବତଟ ରେଳପଥର ଉଭୟ ସୁରକ୍ଷା ୱିଙ୍ଗ୍‌ ଅପରାଧୀଙ୍କୁ ଖୋଜିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି।

ଏଭଳି ଘଟଣା ଦେଶରେ ପ୍ରଥମ ନୁହେଁ। ପୂର୍ବରୁ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ତେବେ ଆଜି ପର୍ଯ୍ୟନ୍ତ ପଥର ମାଡ଼ ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇ ନ ଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଭାରତୀୟ ରେଳ, ବିଶେଷକରି ପୂର୍ବତଟ ରେଳପଥ କ୍ରମାଗତ ଭାବରେ ଜନସାଧାରଣଙ୍କୁ ସଚେତନ କରାଉଛି। ରେଳ ଲାଇନ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଟ୍ରେନ୍‌ ଉପରକୁ ପଥର ନ ପକାଇବା ଓ ଯାତ୍ରୀଙ୍କୁ କ୍ଷତି ନପହଞ୍ଚାଇବାକୁ ପ୍ରବର୍ତ୍ତା ଯାଉଛି। ଅଭିଯାନ ‘ସାଥୀ’ ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ନିୟମିତ ଭାବରେ ରେଳ ଟ୍ରାକ୍ ନିକଟରେ ଥିବା ଜନବହୁଳ ଅଞ୍ଚଳରେ ଚାଲିଛି। ପଥର ଫିଙ୍ଗିବା ଓ ଏହାର ପରିଣାମ ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି। ପ୍ରଭାବିତ ସ୍ଥାନଗୁଡ଼ିକରେ ନିୟମିତ ଅଭିଯାନ କରାଯାଇ ମଦ୍ୟପ, ଅସାମାଜିକ ଓ ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ ନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି। ତୁରନ୍ତ ସହାୟତା ପାଇଁ ଯାତ୍ରୀମାନେ ରେଳ ମାଦଦ ପୋର୍ଟାଲରେ ସିଧାସଳଖ କିମ୍ବା ହେଲ୍ପଲାଇନ୍‌ ନମ୍ବର ୧୩୯(ଜାତୀୟ ଜରୁରୀକାଳୀନ ନମ୍ବର ୧୧୨ ସହ ସମ୍ପୃକ୍ତ) ମାଧ୍ୟମରେ ଅଭିଯୋଗ କରିପାରିବେ। ଏକ୍ସ, ଫେସବୁକ୍, କୋ ଭଳି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ରେଳବାଇ ଯାତ୍ରୀଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଛି। ସେମାନଙ୍କ ସୁରକ୍ଷା ଚିନ୍ତାଧାରାକୁ ସମାଧାନ କରିବା ଦିଗରେ ପଦ‌କ୍ଷେପ ନିଆଯାଉଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର