ଓଡ଼ିଶା, ହକି ଓ ଅଲିମ୍ପିକ୍ସ

‘ଓଡ଼ିଶା, ହକି, ଅଲିମ୍ପିକ’ ଏହି ତିନିଟି ଶବ୍ଦର ପରସ୍ପର ମଧ୍ୟରେ ବେଶ ଘନିଷ୍ଟ ସମ୍ପର୍କ ଥିଲା ଭଳି ମତେ ମନେ ହୁଏ। ଈଶ୍ୱରଙ୍କ ଆଶୀର୍ବାଦ ଓ ମୋର କଠିନ ପରିଶ୍ରମ ଯୋଗୁଁ ପ୍ରଥମ ଥର ପାଇଁ ମତେ ୧୯୯୬ ମସିହାରେ ଆଟଲାଣ୍ଟା ଅଲିମ୍ପିକ୍ସରେ ଦେଶ ପାଇଁ ଖେଳିବାର ସୁଯୋଗ ମିଳିଥିଲା। ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସିଡ଼ନୀ ଅଲିମ୍ପିକ୍ସ ଓ ୨୦୦୪ ମସିହାରେ ଏଥେନ୍ସ ଅଲିମ୍ପିକ୍ସ ଖେଳିବାର ସୁଯୋଗ ମିଳିଛି। ମୋ ସହ ଓଡ଼ିଶାର ଲାଜାରୁସ ବାର୍ଲା, ଇଗ୍ନେସ ତିର୍କି, ୱିଲିୟମ୍ ଖାଲକୋ ଭଳି ପ୍ରତିଭାବାନ ଖେଳାଳି ଦେଶ ପାଇଁ ଅଲିମ୍ପିକ୍ସ ଖେଳିବାର ଧାରାକୁ ଆଗକୁ ନେଲେ। ୧୯୯୬ ମସିହାରୁ ଆରମ୍ଭ ହୋଇଥିବା ଏହି ଗୌରବମୟ ଯାତ୍ରା ଆଜି ମଧ୍ୟ ବଜାୟ ରହିଛି। ଟୋକିଓ ଅଲିମ୍ପିକ୍ସରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କା ଦେଶ ପାଇଁ ଖେଳିବେ, ତେଣୁ ମୁଁ ବହୁତ ଖୁସି। ସେହିପରି ବୀରେନ୍ଦ୍ର ଓ ଦୀପଗ୍ରେସଙ୍କୁ ଉପଅଧିନାୟକର ଦାୟିତ୍ୱ ମଧ୍ୟ ମିଳିଛି। ଯାହା ଆମ ପାଇଁ ଗୌରବର କଥା।

ମୁଁ ଯେବେ ଖେଳରୁ ଅବସର ନେଲି ସେ ସମୟରେ ରାଜ୍ୟରେ ହକି ପାଇଁ ଭିତ୍ତିଭୂମିର ଅଭାବ ଥିଲା। ୨୦୦୮ରେ ଭାରତ ହକିରେ ଅଲିମ୍ପିକ୍ସ୍ସ ପାଇଁ ଯୋଗ୍ୟତା ହାସଲ ନକରିବା ଓ ଓଡ଼ିଶାର କୌଣସି ଖେଳାଳି ଅଲିମ୍ପିକ୍ସ୍ସରେ ଭାଗ ନନେବା ମତେ ବେଶ ବ୍ୟଥିତ କରିଥିଲା। ରାଜ୍ୟରେ ପ୍ରତିଭାର ଅଭାବ ନାହିଁ କିନ୍ତୁ ଭିତ୍ତିଭୂମିର ଅଭାବ ଯୋଗୁଁ ରାଜ୍ୟରୁ ରାଜ୍ୟରୁ ହକି ଅଲମ୍ପିଆନ ବାହାରିବେ କି ନାହିଁ ସେଥି ପାଇଁ ମୋ ମନରେ ସନ୍ଦେହ ଥିଲା। ଜଣେ ପୂର୍ବତନ ହକି ଖେଳାଳି ଭାବେ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେଇ ସେମାନଙ୍କୁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ଦେବା ମୋର ଦାୟିତ୍ୱ। ଏଥି ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରିଛି ଓ ମୋର ଶେଷ ନିଶ୍ୱାସ ଯାଏଁ ଚେଷ୍ଟା କରିବି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହକି ଖେଳ ପ୍ରତି ଭଲ ପାଇବା ମୋର ସବୁ ସନ୍ଦେହ ଦୂର କରିଦେଲା। ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓଡ଼ିଶା ତଥା ହକିକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ତାଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଓଡ଼ିଶା ଆଜି ବିଶ୍ୱ ହକିର ପ୍ରାଣକେନ୍ଦ୍ର। ଆଜି ଓଡ଼ିଶାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ମୁଁ ଗର୍ବିତ। ହକି ବିଶ୍ୱକପ ସମେତ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ସେହିପରି ମୋ ନିଜ ଜିଲ୍ଲା ସୁନ୍ଦରଗଡ଼ରେ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ ହେଉଛି। ଭୁବନେଶ୍ୱର ସମେତ ରାଉରକେଲାରେ ୨୦୨୩ ମସିହାର ହକି ବିଶ୍ୱକପର ଅନେକ ମ୍ୟାଚ ସେଠାରେ ଆୟୋଜିତ ହେବ। ଜଣେ ସୁନ୍ଦରଗଡ଼ିଆ ତଥା ଓଡ଼ିଆ ହିସାବରେ ଏହା ମୋ ପାଇଁ ନିହାତି ଗର୍ବ ଓ ଗୌରବର ବିଷୟ।

ବୁଧବାର ଅଲିମ୍ପିକ୍ସ ଦିବସ ଅବସରରେ, ଜଣେ ପୂର୍ବତନ ହକି ଅଲମ୍ପିଆନ ହିସାବରେ ୨୫-୩୦ ବର୍ଷ ପଛକୁ ଚାହେଁ, ତେବେ ୨୦୦୮ ମସିହାର ବେଜିଂ ଅଲିମ୍ପିକ୍ସ ଦୁଃଖକୁ ଛାଡିଦେଲେ ଅଲିମ୍ପିକ୍ସ୍ସରେ ଓଡ଼ିଶାର ହକି ଖେଳାଳିଙ୍କ ଯୋଗଦାନ ସନ୍ତୋଷଜନକ ରହିଛି। ୨୦୧୬ ମସିହାରେ ବୀରେନ୍ଦ୍ର ଲାକ୍ରା ଆହତ ସମସ୍ୟା ଯୋଗୁଁ ରିଓ ଅଲିମ୍ପିକ୍ସ ଖେଳି ପାରିନଥିଲେ, ତେଣୁ ଭାରତୀୟ ପୁରୁଷ ହକି ଦଳର କୌଣସି ଓଡ଼ିଆ ସ୍ଥାନ ନପାଇବା ମୋ ପାଇଁ ଆଉ ଏକ ଦୁଃଖର ବିଷୟ ଥିଲା। କିନ୍ତୁ ସେହି ବର୍ଷ ଦୀର୍ଘ ୩୬ ବର୍ଷ ପରେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ଓ ଓଡିଶାରୁ ୪ ଜଣ ସେହି ଦଳରେ ସ୍ଥାନ ପାଇବା ଆମ ରାଜ୍ୟ ପାଇଁ ଏକ ବିରାଟ ଉପଲବ୍ଧି ଥିଲା। ଆଜି ରାଜ୍ୟରେ ଥିବା ହକି ଭିତ୍ତିଭୂମି ବିଶ୍ୱରେ ଶ୍ରେଷ୍ଠ। ଆଜି ରାଜ୍ୟରେ ତୃଣମୂଳ ସ୍ତରରେ ପ୍ରତିଭା ଅନ୍ୱେଷଣ ଓ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଭଳି କାର୍ଯ୍ୟ କରାଯାଉଛି ତାହା ବେଶ ପ୍ରଶଂସନୀୟ। ରାଜ୍ୟରେ ତୃଣମୂଳ ସ୍ତରରେ ହକିର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ହକି ଇଣ୍ଡିଆ ମତେ ଦାୟିତ୍ୱ ଦେଇଛନ୍ତି ତାହାକୁ ମୁଁ ନିଷ୍ଠାର ସହ ନିର୍ବାହ କରୁଛି ଓ କରିବି। ମୋର ବିଶ୍ୱାସ ଭବିଷ୍ୟତରେ ଆମ ରାଜ୍ୟ ଆହୁରି ଅନେକ ହକି ଅଲିମ୍ପିଆନ ସୃଷ୍ଟି କରିବ। ଜାତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଆହୁରି ବଢିବ। ୧୯୯୬ ମସିହାରୁ ଆରମ୍ଭ ହୋଇଥିବା ଯାତ୍ରା ନିରବିଚ୍ଛିନ୍ନ ଭାବେ ଆଗକୁ ବଢିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।
-ଦିଲୀପ ତିର୍କି, ପୂର୍ବତନ ଭାରତୀୟ ହକି ଅଧିନାୟକ

ସମ୍ବନ୍ଧିତ ଖବର