ଆଜିଠୁ ଦ୍ବିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ବିଶାଖାପାଟଣା: ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇ ଚାପରେ ଥିବା ଘରୋଇ ଭାରତକୁ ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଇଂଲଣ୍ଡର ‘ବାଜ୍‌ବଲ୍‌’କୁ ସାମ୍ନା କରିବା ପାଇଁ ଭିନ୍ନ ରଣକୌଶଳ ପ୍ରସ୍ତୁତ କରିବାକୁ ପଡ଼ିବ। ଘରୋଇ ମ୍ୟାଚ୍‌ରେ ଭାରତ ଅଧିକାଂଶ ସମୟରେ ଭଲ ପ୍ରଦର୍ଶନ କରିଥାଏ। କିନ୍ତୁ ହାଇଦ୍ରାବାଦରେ ଯେଭଳି ଶୋଚନୀୟ ପରାଜୟର ସାମ୍ନା କରିଥିଲା, ଖେଳାଳିଙ୍କୁ ଏଥିରୁ ମୁକୁଳିବାକୁ ବାଟ ବାହାର କରିବାକୁ ପଡ଼ିବ। କିନ୍ତୁ କେଏଲ୍‌ ରାହୁଲ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଅନୁପସ୍ଥିତିରେ ଖେଳାଳିଙ୍କ କାମ ପୂର୍ବାପେକ୍ଷା କଠିନ ହୋଇଯିବ। ତେବେ ତିନିବର୍ଷ ତଳେ ଭାରତ ଯେପରି ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିଲେ ହେଁ ଶୃଙ୍ଖଳାକୁ ଜିତିପାରିଥିଲା, ଠିକ୍‌ ସେମିତି ଭାରତୀୟଙ୍କୁ ଖେଳିବାକୁ ପଡ଼ିବ। କିନ୍ତୁ ସେତେବେଳେ ଜୋ ରୁଟ୍‌ଙ୍କ ନେତୃତ୍ବାଧିନ ଦଳ ଅପେକ୍ଷା ଏବେକାର ବେନ୍‌ ଷ୍ଟୋକ୍ସଙ୍କ ଆକ୍ରମଣାତ୍ମକ ଦଳକୁ ଟକ୍କର ଦେବା ସହଜ ହେବନି।

ଜାଡ଼େଜାଙ୍କ ଅନୁପସ୍ଥିତିରେ ରବିଚନ୍ଦ୍ରନ ଅଶ୍ବିନଙ୍କ କାନ୍ଧରେ ଗୁରୁ ଦାୟିତ୍ବ ରହିବ। ଅଶ୍ବିନ ଏବେ ୫୦୦ ଟେଷ୍ଟ ୱିକେଟ୍‌ଠୁ ୪ ୱିକେଟ୍‌ ଦୂରରେ ଅଛନ୍ତି। ଅକ୍ଷର ପଟେଲ୍‌ଙ୍କୁ ମଧ୍ୟ ତାଙ୍କ ଯୋଜନାକୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ପ୍ରଥମ ମ୍ୟାଚ୍‌ର ନାୟକ ଓଲି ପୋପ୍‌ ଯେଉଁଭଳି ଆରାମଦାୟକ ଭାବେ ସୁଇପ୍‌ ଓ ରିଭର୍ସ ସୁଇପ୍‌ ଖେଳିଥିଲେ ବୋଲରଙ୍କ ପାଇଁ ସେ ସତର୍କଘଣ୍ଟି ହୋଇଛନ୍ତି। ଜାଡ଼େଜାଙ୍କ ଅନୁପସ୍ଥିତିରେ କୁଲଦୀପ ଯାଦବ ଖେଳିବା ସମ୍ଭାବନା ବଢ଼ିଯାଇଛି। ୱାସିଂଟନ୍‌ ସୁନ୍ଦର ଓ ସୌରଭ କୁମାର ମଧ୍ୟ ବିକଳ୍ପ ରହିଛନ୍ତି। କିନ୍ତୁ ବୋଲରମାନେ ସୁଯୋଗ ସୃଷ୍ଟି କରିଲେ ମଧ୍ୟ ବ୍ୟାଟର୍‌ ଦ୍ବିତୀୟ ପାଳିରେ ଆତ୍ମସମର୍ପଣ କରିବାରୁ ଭାରତ ପରାଜିତ ହୋଇଥିଲା। କେବଳ ରୋହିତଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଦାୟିତ୍ବହୀନ ଖେଳ ପ୍ରଦର୍ଶନ କରିଥିଲେ। ତେଣୁ ଏହି ମ୍ୟାଚ୍‌ରେ ଗିଲ୍‌, ଶ୍ରେୟସ ଆୟରଙ୍କ ଉପରେ ଅଧିକ ଚାପ ରହିବ। କାରଣ ବିରାଟ କୋହଲି ତୃତୀୟ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବାକୁ ଥିବାରୁ ଗିଲ୍‌ ଓ ଶ୍ରେୟସଙ୍କ ମଧ୍ୟରୁ ‌ଯିଏ ଶ୍ରେଷ୍ଠ ପ୍ରଦର୍ଶନ ଦେବ ସେ ଦଳରେ ରହିବା ନିଶ୍ଚିତ ହୋଇଯିବ। ରାହୁଲଙ୍କ ସ୍ଥାନ ରଜତ ପଟିଦାର ନେବେ। ଘରୋଇ ମ୍ୟାଚ୍‌ରେ ଶତକ ମାରି ଜାତୀୟ ଦଳକୁ ମନୋନୀତ ହୋଇଥିବା ସର୍ଫରାଜ ଖାନ୍‌ ମଧ୍ୟ ମଧ୍ୟକ୍ରମରେ ଖେଳିପାରନ୍ତି।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍‌, ଶ୍ରେୟସ ଆୟର, ରଜତ ପଟିଦାର/ସର୍ଫରାଜ ଖାନ୍‌, କେଏସ୍‌ ଭରତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମ୍‌ରା, କୁଲଦୀପ ଯାଦବ/ୱାସିଂଟନ୍‌ ସୁନ୍ଦର।

ଇଂଲଣ୍ଡ ଦଳରେ ୨ ପରିବର୍ତ୍ତନ; ଫେରିଲେ ଆଣ୍ଡରସନ୍‌ ଦ୍ବିତୀୟ ଟେଷ୍ଟ୍ ପୂର୍ବରୁ ଇଂଲଣ୍ଡ ତାହାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଏହି ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆହତ ଜ୍ୟାକ୍‌ ଲିଚ୍‌ଙ୍କ ସ୍ଥାନରେ ନବାଗତ ସ୍ପିନର ସୋଏବ୍‌ ବଶିର ଏବଂ ଦ୍ରୁତ ବୋଲର ମାର୍କ ଉଡ୍‌ଙ୍କ ବଦଳରେ ଜେମ୍ସ ଆଣ୍ଡରସନ୍‌ ଖେଳିବାକୁ ଚୟନ ହୋଇଛନ୍ତି। ଏହାଫଳରେ ୪୧ ବର୍ଷିୟ ଆଣ୍ଡରସନ୍‌ଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଶେଷ ଥର ପାଇଁ ଗତବର୍ଷ ଜୁଲାଇରେ ଦ ଓଭାଲ୍‌ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଖେଳିଥିଲେ। ଇଂଲଣ୍ଡ ଏହି ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ସ୍ପିନ୍‌ ଆକ୍ରମଣ ସହ ଯିବାକୁ ନିଷ୍ପତ୍ତି ନେଇଥିବାରୁ ବଶିର ପଦାର୍ପଣ କରିବାକୁ ଯାଉଛନ୍ତି। ତାଙ୍କ ବ୍ୟତୀତ ଅନ୍ୟତମ ସ୍ପିନର ରେହାନ ଅହମଦ, ଟମ୍‌ ହାର୍ଟଲି, ଜୋ ରୁଟ୍‌ ଏହି ମ୍ୟାଚ୍‌ରେ ଖେଳିବେ।

ଇଂଲଣ୍ଡ ଏକାଦଶ: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ବେନ୍‌ ଡକେଟ୍‌, ଜ୍ୟାକ୍‌ କ୍ରଲି, ଜୋ ରୁଟ୍‌, ଓଲି ପୋପ୍‌, ଜନି ବେୟାରଷ୍ଟୋ, ବେନ୍‌ ଫୋକ୍ସ, ରୋହାନ ଅହମଦ, ‌ଟମ୍‌ ହାର୍ଟଲି, ସୋଏବ୍‌ ବଶିର, ଜେମ୍ସ ଆଣ୍ଡରସନ୍‌।

ସମ୍ବନ୍ଧିତ ଖବର