ପୋତି ହୋଇଗଲାଣି ମାର୍କଣ୍ଡି ମୁହାଣ: ବିପଦରେ ୧୦ଟି ଗାଁର ମତ୍ସ୍ୟଜୀବୀ ପରିବାର

ମୁହାଣ ଖନନ ପାଇଁ ୯୩ କୋଟି ଟଙ୍କାର ବଜେଟ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ମାର୍କଣ୍ଡି ମୁହାଣ ଆଖପାଖ ମତ୍ସ୍ୟଜୀବୀ ଗ୍ରାମବାସୀଙ୍କ ଜୀବିକା ଏବେ ବିପଦରେ। ମୁହାଣ ପୋତି ହୋଇଯିବା ଫଳରେ ସମୁଦ୍ର ଭିତରକୁ ଡଙ୍ଗା ନେବା ଓ ଆଣିବା ସମ୍ଭବ ହେଉନାହିଁ। ଗତ କିଛିବର୍ଷ ଭିତରେ ମୁହାଣ ପୋତି ହେବାରେ ଲାଗିଛି। ଫଳରେ ମୁହାଣ ଇଲାକାରେ ବସବାସ କରୁଥିବା ୧୦ଟି ଗାଁର ମତ୍ସ୍ୟଜୀବୀ ଏବେ ଚିନ୍ତାରେ। ଫଳରେ ପେଟପାଟଣା ପାଇଁ ବାଧ୍ୟ ହୋଇ ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ମାର୍କଣ୍ଡିର ମତ୍ସ୍ୟଜୀବୀ ନେତା ବି. ରାମେୟା କହିଛନ୍ତି।

ଜୀବିକା ବଞ୍ଚାଇବା ପାଇଁ ତୁରନ୍ତ ମୁହାଣ ଖନନ କରିବାକୁ ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି। ସେପଟେ ଏହାର ପୁନରୁଦ୍ଧାର ପାଇଁ ପ୍ରାୟ ୯୩ କୋଟି ଟଙ୍କାର ଏକ ବଜେଟ୍‌ ପ୍ରସ୍ତୁତ କରାଯାଇଛି। ମୁହାଣ ଦେଇ ସମୁଦ୍ରକୁ ସୁବିଧାରେ ଡଙ୍ଗା ଯିବା ଆସିବା ପାଇଁ ଏକ ପଥର ବନ୍ଧ ନିର୍ମାଣ କରାଯିବ। ଏଥିପାଇଁ ସିଆର୍‌ଜେଡ୍‌ ଅନୁମତି ମିଳି ସାରିଛି। ଖୁବଶୀଘ୍ର ଟେଣ୍ଡର୍‌ ଆହ୍ବାନ କରାଯିବ ବୋଲି ଡ୍ରେନେଜ୍‌ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ବିଷ୍ଣୁପ୍ରସାଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ ମୁହାଣରେ ଏକ ଜେଟି ତିଆରି କରାଯାଇଛି। ସେହିପରି ଗୋଦାମ ଗୃହ ସହିତ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇଛି। ହେଲେ ସମୁଦ୍ରକୁ ଯିବା ପାଇଁ ରହିଥିବା ମୁହାଣ ପୋତି ହୋଇ ଯାଇଥିବାରୁ ମତ୍ସ୍ୟଜୀବୀ ନାନା ହଇରାଣ ହେଉଛନ୍ତି।

ମୁହାଣ ରାସ୍ତାରେ ସମୁଦ୍ରକୁ ଡଙ୍ଗା ନେଲେ ବାଲି, ଘାସରେ ଲାଗି ଯାଉଛି। ଫଳରେ ଯେଉଁ ଡଙ୍ଗା ସମୁଦ୍ରକୁ ଯାଉଛି, ତାକୁ ମତ୍ସ୍ୟଜୀବୀ ସମୁଦ୍ର ଭିତରେ ଲଙ୍ଗର ପକାଇ ରଖୁଛନ୍ତି। ଏହାଦ୍ବାରା ବିଭିନ୍ନ ସମୟରେ ସାମୁଦ୍ରିକ ଝଡ଼ବାତ୍ୟାରେ ସମୁଦ୍ର ଅଶାନ୍ତ ହେଲେ କିମ୍ବା ବଡ଼ ଲହଡ଼ି ଆସିଲେ ଡଙ୍ଗାଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବା ରାମେୟା କହିଛନ୍ତି। ଏହି ମୁହାଣ ଉପରେ ମାର୍କଣ୍ଡି, ଗାରାମପେଟା, ନୂଆ ଗୋଳାବନ୍ଧ, ପୁରୁଣା ଗୋଳାବନ୍ଧ, ପୁରୁଣା ବାଇସେଲି, ନୂଆ ବାଇସେଲି, ଭେଙ୍କଟରାୟପୁର, ଦିଗିପୁର ଓ ଗୋପାଳପୁର ପ୍ରଭୃତି ଅଞ୍ଚଳର ମତ୍ସ୍ୟଜୀବୀ ପରିବାର ନିର୍ଭର କରୁଛନ୍ତି।

ସମ୍ବନ୍ଧିତ ଖବର