ହାତ ଖୋଲିଲେ ଅଶ୍ବିନୀ: ଓଡ଼ିଶାକୁ ୧୦,୫୩୬ କୋଟି, ୩ ବର୍ଷ ହେଲା ହାରାହାରି ୧୦ ହଜାର କୋଟି ମିଳୁଛି

ମାର୍ଚ୍ଚରେ ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌, ୨୦୨୬ ଅଗଷ୍ଟରେ ଚାଲିବ ବୁଲେଟ୍‌ ଟ୍ରେନ୍‌

ନୂଆଦିଲ୍ଲୀ/ଭୁବନେଶ୍ବର: ଆଗକୁ ସାଧାରଣ ନିର୍ବାଚନ। ତା’ ପୂର୍ବରୁ କେନ୍ଦ୍ର ସରକାର ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅର୍ଥ ଅଜାଡ଼ି ଦେଇଛନ୍ତି। ରେଳ ବଜେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ରେକର୍ଡ ପରିମାଣର ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ପୂର୍ବରୁ କୌଣସି ବି କେନ୍ଦ୍ର ସରକାର ସମୟରେ ଓଡ଼ିଶାକୁ ଏତେ ଟଙ୍କା ମିଳି ନ ଥିଲା। ୨୦୨୨, ୨୦୨୩ ଓ ୨୦୨୪ର ଅନୁଦାନକୁ ଦେଖିଲେ ରେଳ ବଜେଟ୍‌ରେ ଓଡ଼ିଶାକୁ ହାରାହାରି ୧୦ ହଜାର କୋଟି ଟଙ୍କା ମିଳିଥିବା ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଲେ, ୧୦ ବର୍ଷ ତଳେ ରେଲବାଇ ପ୍ରକଳ୍ପ ଅର୍ଥ ଓଡ଼ିଶାରେ କେବଳ କିଛି ଟ୍ରେନ୍‌ ଚଳାଇବା, ରହଣି ସୁବିଧା ପରି ବ୍ୟବସ୍ଥା ହେଉଥିଲା। ସୁରକ୍ଷା, କ୍ଷମତା ବଢ଼ାଇବା, ନୂଆ ପ୍ରକାର ଟ୍ରେନ୍‌ ଓ ଟେକ୍ନୋଲୋଜି ଉପରେ ଆଦୌ ଫୋକସ୍‌ ଦିଆଯାଉ ନ ଥିଲା। ମାତ୍ର ୨୦୧୪ ପରଠାରୁ ‌ମୋଦୀ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଓଡ଼ିଶାରେ ବନ୍ଦେ ମେଟ୍ରୋ ଟ୍ରେନ୍‌ ଚଲାଇବାକୁ ଯୋଜନା ହୋଇଛି। ପ୍ରଥମ ପର୍ଯ୍ୟାୟରେ କଟକ-ଭୁବନେଶ୍ବର-ପୁରୀ ମଧ୍ୟରେ ଏହା ଚାଲିବ। ତା’ପରେ ସମ୍ବଲପୁର-ରାଉରକେଲା, ସମ୍ବଲପୁର-ଝାରସୁଗୁଡ଼ା, ତାଳଚେର-ଅନୁଗୁଳ, ବାଲେଶ୍ବର-ଭଦ୍ରକ-କଟକ-ଭୁବନେଶ୍ବର ଚଳାଚଳ କରିବ। କେନ୍ଦ୍ର ରେଳମନ୍ତ୍ରୀ କହିଥିଲେ, ୨୦୦୯ରୁ ୨୦୧୪ ଅର୍ଥାତ୍‌ ୟୁପିଏ ସରକାର ସମୟରେ ଓଡ଼ିଶାକୁ ରେଳ ବଜେଟ୍‌ରେ ମାତ୍ର ୮୩୮ କୋଟି ଟଙ୍କା ମିଳୁଥିଲା। ଆବଣ୍ଟନ କରାଯାଉଥିବା ଅର୍ଥରେ ବର୍ଷକୁ ମାତ୍ର ୫୦ କିମି ଲାଇନ ବିଛା ଯାଉଥିଲା। ମାତ୍ର ଏବେ ବାର୍ଷିକ ୪୭୩ କିଲୋମିଟର ନୂଆ ରେଳ ଲାଇନ ବିଛାଯାଉଛି। ଯଦି ରାଜ୍ୟ ସରକାର ଶୀଘ୍ର ଜମି ଅଧିଗ୍ରହଣ କରି ହସ୍ତାନ୍ତର କରନ୍ତେ ତାହା ‌ହେଲେ କାମ ଆହୁରି କ୍ଷୀପ୍ର ବେଗରେ ହୋଇପାରନ୍ତା। ତେବେ ମନ୍ଥର ଗତିରେ ଚାଲିଥିବା ଖୋର୍ଦ୍ଧାରୋଡ-ବଲାଙ୍ଗୀର, ତାଳଚେର-ବିମଳାଗଡ ଭଳି ରେଳ ପ୍ରକଳ୍ପ ବେଶ୍‌ ଅଗ୍ରଗତି ହୋଇଥିବା ମନ୍ତ୍ରୀ କହିଥିଲେ। ସେହିଭଳି ଜୁନାଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଭଦ୍ରାଚଳମ୍‌
ପରି ଅଞ୍ଚଳକୁ ରେଳ ସଂଯୋଗ ହୋଇଛି। ଶତ ପ୍ରତିଶତ ବିଦ୍ୟୁତ୍‌କରଣ ହୋଇସାରିଥିବା ବେଳେ ୧୦ ବର୍ଷ ମଧ୍ୟରେ ୪୦୯ ରେଲୱେ ପୋଲ ତିଆରି ହୋଇଛି। ଓଡ଼ିଶାରେ ନୂଆ ପ୍ରକଳ୍ପ ପାଇଁ ପ୍ରାୟ ୫୨ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଏଥିସହ ରେଳ ସୁରକ୍ଷାକୁ ଅଧିକ ଫୋକସ ଦିଆଯିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ସେ ଆହୁରି କହିଥିଲେ ଯେ ଦେଶରେ ୧୦ ବର୍ଷ ମଧ୍ୟରେ ୨୬ ହଜାର କିଲୋମିଟର ନୂଆ ଟ୍ରାକ୍‌ ନିର୍ମାଣ କରିଛନ୍ତି। ଗତବର୍ଷ ୫୨୦୦ କିମି ରେଲବାଇ ଟ୍ରାକ୍‌ ଯୋଡ଼ି ହୋଇଛି, ଯାହାକି ସୁଇଜରଲ୍ୟାଣ୍ଡର ରେଳ ନେଟୱାର୍କ ସହ ସମକକ୍ଷ। ଏବର୍ଷ ୫ ହଜାର ୫୦୦ ରେଲୱେ ଟ୍ରାକ୍‌ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାର ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖୁଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଲୋକପ୍ରିୟତା ହାସଲ କରିଛି। ଓଡ଼ିଶାକୁ ଦୁଇଟି ବନ୍ଦେ ଭାରତ ଦିଆଯାଇଛି। ଉତ୍ତର ପୂର୍ବ ରାଜ୍ୟ, ଉତ୍ତରାଖଣ୍ଡ, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ ଆଦି ରାଜ୍ୟକୁ ବନ୍ଦେ ଭା‌ରତ ଏକ୍ସପ୍ରେସ୍‌ ମିଳିଛି। ଏମିତି କୌଣସି ରାଜ୍ୟ ନାହିଁ, ଯାହାକୁ ବନ୍ଦେ ଭାରତ ମିଳି ନାହିଁ। ଏବେ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ବନ୍ଦେ ଭାରତ ତିଆରି ହେଉଛି। ବନ୍ଦେ ଭାରତ ସ୍ଲିପର କ୍ଲାସ ଟ୍ରେନ୍‌ ପ୍ରସ୍ତୁତ ହେଉଛି। ମାର୍ଚ୍ଚ ମାସରେ ତାହା ଦେଶରେ ଗଡ଼ିବ। ଯେଉଁଠି ଦୁଇ ଲାଇନ୍‌ ରହିଛି ତାହାକୁ ୪ ଲାଇନ୍‌ କରାଯିବ। ଯେଉଁଠି ୪ ଲାଇନ୍‌ ରହିଛି ତାହାକୁ ୬ ଲାଇନ୍‌ କରାଯାଉଛି। ଯେଉଁ ୩ଟି ନୂଆ କ୍ୟାଡର କରିବାକୁ ନିଷ୍ପତ୍ତି ହୋଇଛି, ସେଥିରେ ୪୦ ହଜାର କିମିର ନୂଆ ରେଳ ଲାଇନ୍‌ ନିର୍ମାଣ କରାଯାଇପାରିବ। ୪୦ ହଜାର କୋଚ୍‌କୁ ନୂଆ ରୂପ ଦିଆଯିବ। ଅମୃତ ଭାରତ ଟ୍ରେନ୍‌ ଲୋକପ୍ରିୟ ହୋଇଛି। ୧୩୦୦ ନୂଆ ଷ୍ଟେସନ ତିଆରି ଚାଲିଛି। ୨୦୨୬ ଅଗଷ୍ଟ ମାସରେ ଦେଶରେ ବୁଲେଟ୍‌ ଟ୍ରେନ୍‌ ଚଳାଇବାକୁ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ।

ଖୁବ୍‌ଶୀଘ୍ର ସମ୍ବଲପୁର ଷ୍ଟେସନ କାମ
ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୮ଟି ଷ୍ଟେସନର ବିକାଶ କାର୍ଯ୍ୟ ଜାରି ରହିଛି। ପୁରୀ, ଭୁବନେଶ୍ବର ଓ କଟକ ରେଳ ଷ୍ଟେସନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଖୁବ୍‌ଶୀଘ୍ର ସମ୍ବଲପୁର ରେଳ ଷ୍ଟେସନ କାମ ଆରମ୍ଭ ହେବାକୁ ଯାଉଛି। ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ସୁବିଧା ସୁଯୋଗ ହେଉଛି। ଐତିହ୍ୟକୁ ପ୍ରାଥମିକତା ଦିଆଯାଇ ଷ୍ଟେସନର ରୂପରେଖ ପ୍ରସ୍ତୁତ ହୋଇଛି।

୮୨୭ କିମି କବଚ କାମ ସରିଛି
ସୁରକ୍ଷା ବ୍ୟବସ୍ଥା ପାଇଁ କବଚ ବ୍ୟବସ୍ଥା ହେଉଛି। ୨୦୧୬ରେ ରେଳ କ୍ଷେତ୍ରରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା କବଚ ବ୍ୟବସ୍ଥା ୨୦୨୦ ଓ ୨୦୨୧ରେ କୋଭିଡ୍‌ ଯୋଗୁଁ ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ଏବେ ସୁଦ୍ଧା ରେଳ ନେଟୱାର୍କରେ ୩,୦୪୦ କିମିର ଅପ୍ଟିକାଲ ଫାଇବର କାର୍ଯ୍ୟ ହୋଇଛି। ୧୮୬ଟି ଷ୍ଟେସନରେ ୨୬୯ଟି ଟେଲିକମ୍‌ ଟାୱାର, ୮୨୭ ଟ୍ରାକ୍‌ କିମି କବଚ କାର୍ଯ୍ୟ ଶେଷ ହୋଇଛି। ରେଲୱେ ଟ୍ରାକ୍‌ରେ ହାତୀ ମୃତ୍ୟୁ ପାଇଁ ଇଣ୍ଟ୍ରୁଜନ୍‌ ‌ଡିଟେକ୍ସନ୍‌ ସିଷ୍ଟମ(ଆଇଡିଏସ୍‌) କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯାଉଥିବା କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ।

କେଉଁ ରାଜ୍ୟକୁ କେତେ ମିଳିଲା(କୋଟିରେ)
ଉତ୍ତର ପ୍ରଦେଶ-୧୯,୫୭୫
ମହାରାଷ୍ଟ୍ର-୧୫,୫୫୪
ମଧ୍ୟପ୍ରଦେଶ-୧୫,୧୪୩
ପଶ୍ଚିମବଙ୍ଗ-୧୩,୮୧୦
ନର୍ଥ ଇଷ୍ଟ-୧୦,୩୬୯
ଓଡ଼ିଶା-୧୦,୫୩୬
ରାଜସ୍ଥାନ-୯,୭୮୨
ବିହାର-୧୦,୦୩୨
ଅନ୍ଧ୍ରପ୍ରଦେଶ-୯,୧୩୮
ଗୁଜୁରାଟ-୮,୫୮୭
କର୍ଣ୍ଣାଟକ-୭,୫୨୪
ତାମିଲନାଡୁ-୬,୩୩୧
ଛତିଶଗଡ଼-୬,୮୯୬
ଜମ୍ମୁ କାଶ୍ମୀର-୩,୬୭୭
ଝାଡ଼ଖଣ୍ଡ-୭,୨୩୪
ଉତ୍ତରାଖଣ୍ଡ-୫,୧୨୦
ପଞ୍ଜାବ-୪,୯୩୩
ତେଲେଙ୍ଗାନା-୫,୦୭୧
ଦିଲ୍ଲୀ-୨,୫୭୭
ହରିଆନା-୨,୮୬୧
କେରଳ-୨,୭୪୪
ହିମାଚଳ ପ୍ରଦେଶ-୨,୬୮୧

ସମ୍ବନ୍ଧିତ ଖବର