ସନ୍ତୋଷ ଟ୍ରଫିର ଅସନ୍ତୋଷ:ଓଡ଼ିଶାର ବିଜୟ ଶୂନ୍ୟ ଅଭିଯାନ ଶେଷ

୧୦ ବର୍ଷ ପରେ ମିଳିଥିବା ସୁଯୋଗ ହାତଛଡ଼ା

କଟକ: କୋଲକାତାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ୍‌ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ଓଡ଼ିଶା ସମସ୍ତ ମ୍ୟାଚରେ ପରାସ୍ତ ହୋଇ ଅଭିଯାନ ଶେଷ କରିଛି। ପ୍ରାୟ ୧୦ ବର୍ଷ ପରେ ଓଡ଼ିଶା ଏହି ପର୍ଯ୍ୟାୟରେ ପ୍ରବେଶ କରିଥିଲେ ବି କୌଣସି ମ୍ୟାଚ ନ ଜିତି ଲଜ୍ଜାଜନକ ଭାବେ ନକ୍‌ଆଉଟ୍‌ ପୂର୍ବରୁ ବାଦ୍‌ ପଡ଼ିଛି। ପଞ୍ଜାବଠୁ ୨-୧ ଗୋଲରେ, ମିଜୋରାମ୍‌ଠୁ ୫-୦ ଗୋଲରେ ଏବଂ କର୍ଣ୍ଣାଟକଠୁ ୨-୧ ଗୋଲରେ ଓଡ଼ିଶା ହାରିବା ପରେ ନକ୍‌ଆଉଟ ଦୌଡ଼ ରାସ୍ତା ବନ୍ଦ ହୋଇଯାଇଥିଲା। ତଥାପି ଶେଷ ମ୍ୟାଚକୁ ଓଡ଼ିଶା ଜିତିବ ବୋଲି ଆଶା କରାଯାଉଥିଲେ ବି ସୋମବାର ଗୋଆଠୁ ୬-୧ ଗୋଲରେ ପରାସ୍ତ ହୋଇ ସବୁ ଆଶା ଧୂଳିସାତ୍‌ କରିଦେଇଥିଲା।
ପ୍ରାଥମିକ ପର୍ଯ୍ୟାୟରେ କୌଣସି ମତେ ଓଡ଼ିଶା ଚୂଡ଼ାନ୍ତ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଥିଲା। ଏହି ପର୍ଯ୍ୟାୟରେ ସିକିମ୍‌କୁ ୨-୦ ଗୋଲରେ ହରାଇଥିଲାବେଳେ ବିହାର ସହିତ ମ୍ୟାଚ ଅମୀମାଂସିତ ରହିଥିଲା। ଓଡ଼ିଶା ଫୁଟବଲ୍‌ର ଉନ୍ନତି ପାଇଁ ରାଜ୍ୟ ସଂଘ ଫାଓ ପକ୍ଷରୁ ଅନେକ ଯୋଜନା କରାଯାଉଛି, ନୂଆ ପ୍ରଶିକ୍ଷକଙ୍କୁ ସୁଯୋଗ ଦିଆଯାଉଛି। କିନ୍ତୁ ପ୍ରଦର୍ଶନରେ କୌଣସି ମତେ ଉନ୍ନତି ଆସୁଥିବା ପରିଲକ୍ଷିତ ହୋଇପାରୁନାହିଁ। ଯଦିଓ ପ୍ରାଥମିକ ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରି ଓଡ଼ିଶା ଦଳ ଓ ଫାଓ ବାହାବା ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦଳୀୟ ପ୍ରସ୍ତୁତି ଓ ଚୟନ ପ୍ରକ୍ରିୟାକୁ ନେଇ ସବୁବେଳେ ଅସନ୍ତୋଷ ଦେଖାଦେଇ ଆସିଛି। ଯେଉଁଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ କୌଣସି ଗୋଟିଏ ମ୍ୟାଚକୁ ଜିତିବାରେ ଓଡ଼ିଶା ସକ୍ଷମ ହେଲାନି। ଓଡ଼ିଶାରେ ଆନ୍ତର୍ଜାତିକସ୍ତରର ପ୍ରଶିକ୍ଷକ, ପୂର୍ବତନ ଖେଳାଳି ରହିଥିଲେ ବି ଦଳୀୟ ପ୍ରସ୍ତୁତି ବେଳେ ସେମାନଙ୍କ ମତାମତକୁ ବି ଏଡ଼ାଇ ଦିଆଯାଇଥିଲା। ତେଣୁ ମ୍ୟାଚରେ ତାହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ ପୂର୍ବତନ ଆନ୍ତର୍ଜାତିକ ଖେଳାଳି ଆର୍‌ପି ସିଂହ ଉଭୟ ଖେଳାଳି ଓ ପ୍ରଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି। ପ୍ରତିଯୋଗିତାରେ ସେମାନେ ଶତପ୍ରତିଶତ ଚେଷ୍ଟା କରୁଛନ୍ତି, କିନ୍ତୁ ସୋମାନଙ୍କ ସ୍ତରଠୁ ଅଧିକ ମଜବୁତ୍‌ ଦଳକୁ ହରାଇବା ଏତେ ସହଜ ନୁହେଁ। ଆମ ପାଖରେ ପେସାଦାର ଦଳ କିମ୍ବା ଖେଳାଳି ନାହାନ୍ତି, ତେଣୁ ଖେଳାଳିଙ୍କ ଭିତରେ ଲଢୁଆ ମନୋଭାବ ଆସିବା ସମ୍ଭବ ନୁହେଁ। ପ୍ରାରମ୍ଭିକ ସ୍ତରରୁ ଅଧିକ ପ୍ରତିଯୋଗିତା ହେଲେ ସେଥିରୁ ଗୁଣାତ୍ମକ ଖେଳାଳି ବାହାରିବେ ଏବଂ ସୋମାନଙ୍କୁ ସେହି ଧରଣର ପ୍ରଶିକ୍ଷଣ ଦେଲେ, ସେହି ଖେଳାଳିମାନେ ଉଚ୍ଚ ସ୍ତରରେ ଭଲ ସଂଘର୍ଷ କରିପାରିବେ। କିନ୍ତୁ କନିଷ୍ଠ ଖେଳାଳିମାନଙ୍କୁ ସନ୍ତୋଷ ଟ୍ରଫିରେ ହଠାତ୍‌ ଖେଳାଇଲେ ପ୍ରଦର୍ଶନରେ ନିଶ୍ଚିତ ଫରକ ଆସିବ। ଏହାବ୍ୟତୀତ ଖେଳାଳିମାନଙ୍କୁ ଖେଳ ବ୍ୟତୀତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ନଦେଲେ ଖେଳ ପ୍ରତି ସକରାତ୍ମକ ମନୋଭାବ ଆସିବ ନାହିଁ ବୋଲି ଆର୍‌.ପି. ସିଂହ କହିଛନ୍ତି।
ସେହିପରି ଓଡ଼ିଶାର ପୂର୍ବତନ ଗୋଲରକ୍ଷକ ଗୋପବନ୍ଧୁ ସାହୁ କହିଛନ୍ତି ଯେ, ସନ୍ତୋଷ ଟ୍ରଫି ପାଇଁ ପ୍ରସ୍ତୁତି ପର୍ଯ୍ୟାୟ ୪/୬ମାସ ପୂର୍ବରୁ ହେଲେ ଖେଳାଳିମାନେ କଠିନ ଅଭ୍ୟାସ କରିପାରିବେ। ସେହି ଅନୁସାରେ ଅନ୍ତଃ ଜିଲ୍ଲା କିମ୍ବା ଅନ୍ତଃ କ୍ଲବ୍‌ କରାଯାଇ ଖେଳାଳି ବାହାର କରିବାକୁ ହେବ। ଯେତେ ଅଭ୍ୟାସ ମ୍ୟାଚ ଖେଳିବେ ଦଳର ପ୍ରଦର୍ଶନ ସେତେ ଉନ୍ନତି ହେବ। ତଥାପି ବର୍ତ୍ତମାନ ଓଡ଼ିଶାର ପ୍ରଦର୍ଶନ କାହିଁକି ଏମିତି ହେଲା, ତାହା ଦଳର ପ୍ରଶିକ୍ଷକ ଓ ଖେଳାଳିଙ୍କ ସହିତ ଆଲୋଚନା କଲେ ସବିଶେଷ ଜାଣିହେବ ବୋଲି ଗୋପବନ୍ଧୁ କହିଛନ୍ତି। ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ୍‌ ପାଲ୍‌ ଓଡ଼ିଶାର ଏହି ପ୍ରଦର୍ଶନକୁ ନୈରାଶ୍ୟଜନକ ବୋଲି ସ୍ୱୀକାର କରିଛନ୍ତି। ଚୂଡ଼ାନ୍ତ ପର୍ଯ୍ୟାୟ ପୂର୍ବରୁ ଦୁଇଟି ଏକ୍ସପୋଜର ମ୍ୟାଚ ଖେଳାଇଥିଲୁ। ତଥାପି ଆସନ୍ତାବର୍ଷ ବାହାର ଦଳଙ୍କ ସହିତ ଅଧିକ ମ୍ୟାଚ ଖେଳାଇବାକୁ ଚେଷ୍ଟା କରିବୁ। ବଡ଼ ଦଳ ସହିତ ଖେଳିବାକୁ ହେଲେ ଅଧିକ ଏକ୍ସପୋଜର ଆବଶ୍ୟକତା ଥିବା ଅଭିଜିତ୍‌ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର