ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ସର୍ବବୃହତ୍ତ ବିଜୟ, ଅନ୍ତିମ ଟେଷ୍ଟରେ ୪୯୨ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ

ଜୋହନସ୍‌ବର୍ଗ: ଦକ୍ଷିଣ ଆଫ୍ରିକା ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଶୃଙ୍ଖଳାର ୪ର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ୫ମ ଦିନରେ ଅଷ୍ଟ୍ରେଲିଆକୁ ୪୯୨ ରନ୍‌ରେ ପରାସ୍ତ କରିଛି। ଏଥି ସହତ ଦକ୍ଷିଣ ଆଫ୍ରିକା ୪ଟି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୩-୧ରେ ନିଜର କରିପାରିଛି। ଦକ୍ଷିଣ ଆଫ୍ରିକା ୪ର୍ଥ ପାଳିରେ ଅଷ୍ଟ୍ରେଲିଆକୁ ୬୧୨ ରନ୍‌ର ବିଶାଳ ଲକ୍ଷ୍ୟ ଦେଇଥିଲା। ଭ୍ରମଣକାରୀ ଦଳ କେବଳ ୧୧୯ ରନ୍‌ ସଂଗ୍ରହ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ଏହା ହେଉଛି ଘରୋଇ ମାଟିରେ ସର୍ବଶ୍ରେଷ୍ଠ ବିଜୟ। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ୨୦୦୭ରେ ଜୋହନସ୍‌ବର୍ଗରେ ନ୍ୟୁଜିଲାଣ୍ଡକୁ ୩୫୮ ରନ୍‌ରେ ପରାସ୍ତ କରିଥିଲା।

ଟେଷ୍ଟ କ୍ରିକେଟର ଇତିହାସରେ ଏହା ହେଉଛି ୪ର୍ଥ ସର୍ବଶ୍ରେଷ୍ଠ ବିଜୟ। ରନ୍‌ ହିସାବରେ ସର୍ବଶ୍ରେଷ୍ଠ ବିଜୟ(୬୭୫) ଅଷ୍ଟ୍ରେଲିଆର ନାମରେ ଅଛି। ୧୯୨୮ରେ ବ୍ରିସ୍‌ବେନ୍‌ରେ ଖେଳାଯାଇଥିବା ଏହି ଟେଷ୍ଟରେ ଡନ ବ୍ରେଡମ୍ୟାନ୍‌ ପଦାର୍ପଣ କରିଥିଲେ।
-୬୭୫ ରନ୍‌ ଇଂଲଣ୍ଡ ବିରୋଧରେ ଅଷ୍ଟ୍ରେଲିଆ, ବ୍ରିସ୍‌ବେନ୍‌, ୧୯୨୮
-୫୬୨ ରନ୍‌ ଅଷ୍ଟ୍ରେଲିଆ ବିରୋଧରେ ଇଂଲଣ୍ଡ, ଓଭାଲ, ୧୯୩୪
-୫୩୦ ରନ୍‌ ଅଷ୍ଟ୍ରେଲିଆ ବିରୋଧରେ ଦକ୍ଷିଣ ଆଫ୍ରିକା, ମେଲବୋର୍ଣ୍ଣ, ୧୯୧୧
-୪୯୨ ରନ୍‌ ଅଷ୍ଟ୍ରେଲିଆ ବିରୋଧରେ ଦକ୍ଷିଣ ଆଫ୍ରିକା, ଜୋହନସବର୍ଗ, ୨୦୧୮

୪୮ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଟିମ୍‌ ଅଷ୍ଟ୍ରେଲିଆ ବିରୋଧରେ ଘରୋଇ ଟେଷ୍ଟ ଶୃଙ୍ଖଳା ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ୧୯୬୯-୭୦ରେ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ୪-ରେ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର