କୋରିଆ ଓପନ୍‌ ଜିତିଲେ ସାତ୍ତ୍ବିକ-ଚିରାଗ

ୟିଓସୁ (କୋରିଆ): ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଜୟ ଧାରା ଜାରି ରଖି କୋରିଆ ଓପନ୍‌ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟ୍ରଫି କରାୟତ୍ତ କରିଛନ୍ତି। ରବିବାର ଫାଇନାଲ୍‌ରେ ବିଶ୍ବର ୩ ନମ୍ବର ଏହି ଭାରତୀୟ ଯୋଡ଼ି ୧୭-୨୧, ୨୧-୧୩, ୨୧-୧୪ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆର ଫାଜର ଅଲ୍‌ଫିଆନ୍‌ ଓ ମହମ୍ମଦ ରିଆନ୍‌ ଅର୍ଦିଆନ୍ତୋଙ୍କୁ ପରାସ୍ତ କରିଥିଲେ। ଦୁଇ ଥରର ବିଶ୍ବ ପ୍ରତିଯୋଗିତା କାଂସ୍ୟ ବିଜେତା ଯୋଡ଼ିଙ୍କ ବିପକ୍ଷରେ ପ୍ରଥମ ସେଟ୍‌ କଡ଼ା ସଂଘର୍ଷ କରି ହାରିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ସାତ୍ତ୍ବିକ-ଚିରାଗ ସଫଳ ପ୍ରତ୍ୟାବର୍ତ୍ତନ ସହ ପରବର୍ତ୍ତୀ ଦୁଇ ‌ସେଟ୍‌ ଜିତି ଟ୍ରଫି କବ୍‌ଜା କରି ନେଇଥିଲେ। ଏହି ଭାରତୀୟ ଯୋଡ଼ି ଚଳିତ ବର୍ଷ ସ୍ବିସ୍‌ ଓପନ୍‌, ଏସୀୟ ଚାମ୍ପିଅନ୍‌ସିପ୍‌ ଓ ଇଣ୍ଡୋନେସିଆ ଓପନ୍‌ ପରେ ଚତୁର୍ଥ ଟ୍ରଫି ନିଶ୍ଚିତ କରିଥିଲେ। ସାତ୍ତ୍ବିକ-ଚିରାଗ ମଧ୍ୟ ଏହି ଇଣ୍ଡୋନେସିଆ ଯୋଡ଼ି ବିପକ୍ଷରେ ଲଗାତାର ତୃତୀୟ ବିଜୟ ପାଇଛନ୍ତି। କୋରିଆ ଓପନ୍‌ ପୂର୍ବରୁ ସେ ରାଜ୍ୟଗୋଷ୍ଟୀ ସ୍ବର୍ଣ୍ଣ, ଥୋମାସ କପ୍‌ ସ୍ବର୍ଣ୍ଣ, ବିଶ୍ବ ପ୍ରତିଯୋଗିତାରେ ‌କାଂସ୍ୟ ଏବଂ ୨ଟି ଲେଖାଏଁ ସୁପର ୩୦୦ (ସୟେଦ ମୋଦୀ, ସ୍ବିସ୍‌ ଓପନ୍‌) ଓ ସୁପର ୫୦୦ (ଥାଇଲାଣ୍ଡ, ଇଣ୍ଡିଆନ୍‌ ଓପନ୍‌), ଗୋଟିଏ ଲେଖାଏଁ ସୁପର ୭୫୦ (ଫ୍ରେଞ୍ଚ ଓପନ୍‌) ଓ ସୁପର ୧୦୦୦ (ଇଣ୍ଡୋନେସିଆ ଓପନ୍‌) ଟ୍ରଫି ଜିତିଥିଲେ। ଫାଜର-ଅର୍ଦିଆନ୍ତୋଙ୍କୁ ହରାଇବା ପରେ ସାତ୍ତ୍ବିକ-ଚିରାଗ କୋର୍ଟରେ ଗାଙ୍ଗନାମ ଷ୍ଟାଇଲ ନାଚ ନାଚି ବିଜୟ ଉତ୍ସବ ପାଳନ କରିଥିଲେ।

ସମ୍ବନ୍ଧିତ ଖବର