ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣା : ଠିକାଦାର ସମେତ ବନ୍ଧା ହେଲେ ୪

ସାଇଣ୍ଟିଫିକ୍ ଟିମ୍ ଛାନ୍‌ଭିନ୍ କଲା, ବୈଷୟିକ ତଦନ୍ତ ହେବ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିସନରେଟ୍‌ ପୁଲିସ। ଛାତ ତଳେ ଚାପି ହୋଇ ଗୋଟିଏ ଜୀବନ ଚାଲିଯିବା ପାଇଁ କମିସନରେଟ୍‌ ପୁଲିସ ଠିକା ସଂସ୍ଥାର ଚରମ ଅବହେଳାକୁ ଦାୟୀ କରିଛି। ଏଥିପାଇଁ ଏୟାରପୋର୍ଟ ଥାନା ପୁଲିସ ଦିଲ୍ଲୀପ କନଷ୍ଟ୍ରକସନ୍‌ର ମାଲିକ ଦିଲୀପ ଖଟେଇଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ, ଦିଲୀପ କନ୍‌ଷ୍ଟ୍ରକସନ୍‌ର ସାଇଟ୍‌ ଇଞ୍ଜିନିୟର ଅଭିଳାଷ ସରକାର, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଯୁଗ୍ମ ପରିଚାଳକ ଗୌତମ ରାଏ ଓ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କର ସହକାରୀ ସାଧାରଣ ପରିଚାଳକ ଆଶିଷ ସରକାର। ମୃତକଙ୍କ ଭାଇ ନିରାକାର ଗୁରୁଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ହେବା ସହ ଏହି ଚାରି ଜଣଙ୍କୁ ଦଫା ୩୦୪/୩୪ ବଳରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଅପରପକ୍ଷରେ ଏହି ଦୁର୍ଘଟଣାର ବୈଷୟିକ ତଦନ୍ତ କରିବାକୁ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ଆଜି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ(ଏଏଆଇ) ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଖୁବ୍‌ ଶୀଘ୍ର ଏଏଆଇ ବୈଷୟିକ କମିଟି ଗଠନ କରି ତଦନ୍ତ ଆରମ୍ଭ କରିବ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ କହିଛନ୍ତି।

ଅନ୍ୟପକ୍ଷରେ ଗିରଫ ହୋଇଥିବା ଚାରି ଜଣଙ୍କୁ ଆଜି ସକାଳେ ଏୟାର‌ପୋର୍ଟ ଥାନାକୁ ଆଣି ପୁଲିସ ୬ ଘଣ୍ଟା ଧରି ମାରାଥନ୍‌ ଜେରା କରିଥିଲା। ପୂର୍ବରୁ ଦିଲ୍ଲୀପ ଖଟେଇ ଏହି ଅଘଟଣ ପାଇଁ ଶ୍ରମିକଙ୍କୁ ଦାୟୀ କରିଥିଲେ। ଶ୍ରମିକଙ୍କ ଅବହେଳା ଯୋଗୁ ଏଭଳି ଘଟିଲା ବୋଲି ଗଣମାଧ୍ୟମକୁ କହିବା ସହିତ ନିଜ ସଂସ୍ଥାର ଅବହେଳା ଉପରୁ ଦୋଷ ଖସାଇ ଦେଇଥିଲେ। ଏହାପରେ ଅତିରିକ୍ତ ପୁଲିସ କମିସନର ଅନୁପ କୁମାର ସାହୁ ଏହାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରିଥିଲେ। ପୂର୍ତ୍ତ, ଫରେନ୍‌ସିକ୍‌ ଓ ପୁଲିସ ଅଧିକାରୀଙ୍କୁ ନେଇ ଏହି ଟିମ୍‌ ତନାଘନା କରିଥିଲା। ସନ୍ଧ୍ୟାରେ ଏହି ଅବହେଳା ପାଇଁ ଯଥେଷ୍ଟ ପ୍ରମାଣ ଯୋଗାଡ଼ କଲା ପରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିଲା। ଗତ ରାତି ପ୍ରାୟ ୧୧ଟା ବେଳେ ଏହି ଅଘଟଣ ଘଟିଥିବା ବେଳେ ଆଜି ଅପରାହ୍ନ ସାଢ଼େ ୨ଟା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲା। ମୃତ ଶ୍ରମିକଙ୍କର ରକ୍ତ ନମୁନା ମଧ୍ୟ ସଂଗ୍ରହ କରିଛି।

ବିମାନବନ୍ଦର ନିର୍ଦ୍ଦେଶକ ଶ୍ରୀ ରାଓ କହିଛନ୍ତି ଯେ ବୈଷୟିକ କମିଟି ସମ୍ଭବତଃ ସପ୍ତାହକ ମଧ୍ୟରେ ଏହାର ଯାଞ୍ଚ କରି ରିପୋର୍ଟ ଦେବ। କମିଟି ରିପୋର୍ଟ ଦେବା ପରେ ଅନୁଧ୍ୟାନ କରାଯାଇ କାମ ଆରମ୍ଭ କରିବାକୁ ଯୋଜନା ଅଛି। ଭୁବନେଶ୍ବର ବିମାନବନ୍ଦରର ଅନ୍ତର୍ଜାତୀୟ ଟର୍ମିନାଲ ଓ ଘରୋଇ ଟର୍ମିନାଲକୁ ସଂଯୋଗ କରିବାକୁ ନିର୍ମାଣ ହେଉଥିବା କୋଠା ଅକ୍ଟୋବର, ୨୦୨୦ରେ ‌ସରିବାର ଅଛି। ଏହି ସଂଯୋଗକାରୀ କୋଠା ନିର୍ମାଣ ପାଇଁ ୮୭ କୋଟି ଖର୍ଚ୍ଚ ହେବାକୁ ଥିଲେ ହେଁ ଦିଲ୍ଲୀପ କନଷ୍ଟ୍ରକସନ୍ ୫୬କୋଟି ଟଙ୍କାର ସିଭିଲ୍‌ କାମ ନେଇଛି। ଏବେ ପ୍ରାୟ ୩ କୋଟି ଟଙ୍କା କାମ ହୋଇଛି। ଶୁକ୍ରବାର ରାତିରେ ଯେଉଁ ଛାତ ଭୁଶୁଡ଼ିଛି ତାହା ୨୦ ଲକ୍ଷ ଟଙ୍କାର କାମ ଥିଲା।

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନ୍ତର୍ଯ୍ୟାମୀ ଗୁରୁଙ୍କ ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ବ୍ୟବଚ୍ଛେଦ ହେଲା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ କୌଣସି ସରକାରୀ ସହାୟତା ଘୋଷଣା କରାଯାଇନି। ଆହତ ହୋଇଥିବା ଢେଙ୍କାନାଳର ନବକିଶୋର ସ୍ବାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର