ସ୍ଥିତିବାନ ନୀତିର ଲାଭ ପାଉନାହାନ୍ତି ୪୦% ରାଜଧାନୀବାସୀ: ଜମି ମାଲିକ େହବା ସ୍ବପ୍ନ

୫୦ ବର୍ଷ ପୂରିଗଲା, ଆଉ କେତେ ଦିନ? ୧୦ ଡିସିମିଲ ଜମିର କିସମ ପରିବର୍ତ୍ତନ ଦେୟ ୧.୨ କୋଟି

ଭୁବନେଶ୍ବର: ଗତ ଜାନୁଆରି ୨୩ ତାରିଖରେ ରାଜ୍ୟ କ୍ୟାବିନେଟ୍‌ରେ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଗୃହ ନିର୍ମାଣ ସଂସ୍ଥା(ଓଏସ୍‌ଏଚ୍‌ବି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଙ୍କ ଦ୍ୱାରା ଦୀର୍ଘ ମିଆଦି ଲିଜ୍ ସୂତ୍ରରେ ଆବଣ୍ଟିତ ଜମିଗୁଡ଼ିକର କିସମ ପରିବର୍ତ୍ତନ (ସ୍ଥିତିବାନ) କରିବା ପାଇଁ ଦେୟ ରାଶିର ପରିମାଣକୁ ୭ ପ୍ରତିଶତ ହ୍ରାସ କରି ଦିଆଯାଇଛି। ଅର୍ଥାତ୍‌ ସ୍ଥିତିବାନ କିସମ କରିବା ପାଇଁ ଏଥର ଲିଜଧାରୀମାନେ ଜମିର ବଜାର ମୂଲ୍ୟର ୧୦ ପ୍ରତିଶତ ପରିବର୍ତ୍ତେ ୩ ପ୍ରତିଶତ ଅର୍ଥରାଶି ଦେବେ। କିନ୍ତୁ ଏହି ସୁଯୋଗ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ୧୯୫୪ ରୁ ୧୯୭୦ ମସିହା ମଧ୍ୟରେ ଆବଣ୍ଟିତ ଜମି ଲିଜ୍‌ଧାରୀଙ୍କ ପାଇଁ ନାହିଁ। ଫଳରେ ଦୀର୍ଘ ୫୦ରୁ ୭୦ ବର୍ଷ ତଳେ ଜମି ପାଇ କିସମ ପରିବର୍ତ୍ତନ କରିବାକୁ ଅପେକ୍ଷାରତ ଆବଣ୍ଟନଗ୍ରାହୀ ହତାଶ ହୋଇଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଆବଣ୍ଟିତ ଜମି ସମସ୍ତ ଲିଜ ଜମିର ୪୦ ରୁ ୫୦ ପ୍ରତିଶତ। ଏହି ଜମିରେ ରାଜଧାନୀର ୪ ରୁ ୫ ଲକ୍ଷ ଲୋକ ବାସ କରୁଛନ୍ତି। ଭୁବନେଶ୍ୱର ଜନସଂଖ୍ୟାର ଏହା ୪୦ ପ୍ରତିଶତ। ଅର୍ଥାତ୍‌ ସରକାରଙ୍କର ଏହି ନୂଆ ସ୍ଥିତିବାନ ନୀତିର ଲାଭ ଭୁବନେଶ୍ବରର ୪୦ ପ୍ରତିଶତ ବାସିନ୍ଦା ପାଇ ପାରୁନାହାନ୍ତି। ୧୯୫୪ ରୁ ୧୯୭୦ ମସିହାରେ ଆବଣ୍ଟିତ ଏହି ଲିଜ ଜମିଗୁଡ଼ିକର ମୂଳ ଲିଜଧାରୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ହୋଇଗଲାଣି। ଏଣୁ ସେହି ଜମିଗୁଡ଼ିକ ମୂଳ ଲିଜଧାରୀମାନଙ୍କର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଆବଣ୍ଟନ ହେବା ସ୍ବାଭାବିକ। କିନ୍ତୁ ସ୍ଥିତିବାନ ହୋଇପାରୁନଥିବାରୁ ଜମିଗୁଡ଼ିକ ଉତ୍ତରାଧିକାରୀଙ୍କ ମାଲିକାନାକୁ ଆସିପାରୁ ନାହିଁ। ଫଳରେ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ଏଭଳି ହିତାଧିକାରୀ ଭୁବନେଶ୍ବରର ଶତକଡ଼ା ୮୦ ଭାଗ ବାସିନ୍ଦା ରହିଛନ୍ତି। ଗୌତମନଗର, ବାପୁଜୀନଗର ଓ ବୁଦ୍ଧେଶ୍ବରୀ ସଂଘର କର୍ମକର୍ତ୍ତାମାନେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏ ସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରିଛନ୍ତି। କିସମ ବଦଳାଇବା ପାଇଁ ଧାର୍ଯ୍ୟଦେୟ ୧୦ ପ୍ରତିଶତରୁ ୩ ପ୍ରତିଶତକୁ ହ୍ରାସ କରିବା ପାଇଁ ଅନୁରୋଧ କରିଛନ୍ତି।

ଏହାଛଡ଼ା ପ୍ରଭେଦ ଅର୍ଥରାଶିର (ଡିଫରେନ୍‌ସିଆଲ୍‌ ପ୍ରିମିୟମ୍‌ ଆମାଉଣ୍ଟ)ର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିଏମ୍‌ସି ସୀମା ଭିତରେ ଗତ ୨୦ ବର୍ଷ ମଧ୍ୟରେ ଜମିର ମୂଲ୍ୟ ଢେର୍‌ ଗୁଣରେ ବୃଦ୍ଧି ପାଇଛି। ଏଣୁ ବର୍ତ୍ତମାନ ଜମି ମୂଲ୍ୟ ଆଧାରରେ କିସମ ପରିବର୍ତ୍ତନ ଦେୟ ପରିମାଣ ମୁଣ୍ଡ ଘୂରାଇଦେବା ଭଳି ହୋଇଛି। ୫ ରୁ ୧୦ ଡସିମିଲ ଜମିକୁ ସ୍ଥିତିବାନ କରିବା ପାଇଁ ୮୦ ରୁ ‌କୋଟିଏ ୨୦ଲକ୍ଷ ଟଙ୍କା ଆବଶ୍ୟକ ହେଉଛି। ଏହି ପରିମାଣର ଅର୍ଥରାଶି ବରିଷ୍ଠ ନାଗରିକ, ସ୍ୱଳ୍ପ ପେନସନଧାରୀ ଓ ସାଧାରଣ ବର୍ଗର ଆବଣ୍ଟନଗ୍ରାହୀଙ୍କ ପାଇଁ ଅସମ୍ଭବ ହୋଇଛି। ଏ ନେଇ ବାପୁଜୀନଗର ନାଗରିକ କମିଟି ସମ୍ପାଦକ ଡ. ଦୁଷ୍ମନ୍ତ ସାହୁ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଡିଏ ଓ ଓଏସ୍‌ଏଚ୍‌ବି ଭଳି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୧୯୫୪ ମସିହାରୁ ୧୯୭୦ ମଧ୍ୟରେ ଆବଣ୍ଟିତ ଜମି ପାଇଁ ଏହି ନୟମ ଲାଗୁ ହେବା ଅତ୍ୟନ୍ତ ଜରୁରୀ। ଆମେ ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛୁ। ଆମର ବିଶ୍ବାସ ଅଛି ଯେ, ସରକାର ଆମ କଥା ଶୁଣିବେ। ତେବେ କେବଳ ବାପୁଜୀନଗର ନାଗରିକ କମିଟି ନୁହେଁ, ବରଂ ଗୌତମନଗର ଓ ବୁଦ୍ଧେଶ୍ବରୀ ସଂଘର କର୍ମକର୍ତ୍ତାମାନେ ମଧ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ‌ଲେଖିଥିବା କହିଛନ୍ତି। କିସମ ବଦଳାଇବା ପାଇଁ ଧାର୍ଯ୍ୟଦେୟ ୧୦ ପ୍ରତିଶତରୁ ୩ ପ୍ରତିଶତକୁ ହ୍ରାସ କରିବା ସହ ପ୍ରଭେଦ ଅର୍ଥରାଶିର (ଡିଫରେନ୍‌ସିଆଲ୍‌ ପ୍ରିମିୟମ୍‌ ଆମାଉଣ୍ଟ)ର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ମଧ୍ୟ ଦାବି କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର