ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗ: ରାଜ୍ୟସଭାରେ ଧର୍ମେନ୍ଦ୍ର ଓ ସସ୍ମିତ କଥା କଟାକଟି

ଦିଲ୍ଲୀରୁ ରାଜ୍ୟକୁ ଚେତାବନୀ ଯିବା ଦରକାର, ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ, ଗଣତନ୍ତ୍ର ପାଇଁ ଦୁଃଖର ଦିନ

ନୂଆଦିଲ୍ଲୀ: ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ବିକ୍ରି ସଂପର୍କିତ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ତଥା ପରବର୍ତ୍ତୀ ସମୟରେ ତାହାକୁ ଫେରାଇନିଆଯିବା ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ପହଞ୍ଚିଛି। ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟସଭାରେ ବିଜେଡିର ନେତା ଡ.ସସ୍ମିତ ପାତ୍ର। ଆଜି ରାଜ୍ୟସଭାରେ ପାରିତ ହୋଇଥିବା ସମ୍ବିଧାନ (ଅନୁସୂଚୀତ ଜାତି ଓ ଜନଜାତି) ଆଦେଶ(ସଂଶୋଧନ) ବିଲ୍‌ ୨୦୨୪ ହୋଇଥିବା ବିତର୍କରେ ଭାଗନେଇ ଧର୍ମେନ୍ଦ୍ର ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ବିକ୍ରି କରିବା ସଂପର୍କରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଲେ। ପରବର୍ତ୍ତୀ ସମୟରେ ଏହାକୁ ଫେରାଇ ନିଆଯାଇଥିଲା। ଓଡ଼ିଶା କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲା ଯେ ଆଦିବାସୀଙ୍କ ଜମିକୁ ବିକ୍ରି କରି ଦିଆଯାଇ ପାରିବ। ଏହି ନିଷ୍ପତ୍ତିକୁ ନେଇ ଆଦିବାସୀ ସମାଜରେ ଆକ୍ରୋଶ ହେଲା, ବିରୋଧ ହେଲା ଓ ଆପତ୍ତି ଉଠିଲା। କ୍ୟାବିନେଟ୍‌ରେ ପ୍ରସ୍ତାବ ଆସିବା ପୂର୍ବରୁ ଏହା ଆଦିବାସୀ ଉପଦେଷ୍ଟା କମିଟିର ଅନୁମୋଦନ ହାସଲ କରିନଥିଲା। ବହୁତ ବିରୋଧ ପରେ ଏହି ନିଷ୍ପତ୍ତିକୁ ସରକାର ଫେରାଇ ନେଲେ। ବିଳମ୍ବରେ ହେଲେ ବି ସରକାର ଏହି ନିଷ୍ପତ୍ତିକୁ ଫେରାଇନେଇଥିବାରୁ ସେ ଧନ୍ୟବାଦ ଦେଉଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ। ଏହିଭଳି ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବା ବ୍ୟକ୍ତିଙ୍କ ପାଇଁ ଦିଲ୍ଲୀରୁ ରାଜ୍ୟକୁ ଚେତାବନୀ ଯିବା ଦରକାର ବୋଲି ଧର୍ମେନ୍ଦ୍ର କହିଥିଲେ। ଏମିତି ହେଲେ ଆଦିବାସୀଙ୍କ ଅଧିକାରକୁ ଦୁର୍ବଳ କରିବାକୁ କେହି ସାହସ କରିବେ ନାହଁ। ଏହା ସମ୍ବିଧାନ ସଭାର ନିର୍ଣ୍ଣୟ ବୋଲି ଧର୍ମେନ୍ଦ୍ର କହିଥିଲେ।

ଗୃହରେ ଉପସ୍ଥିତ ଥିବା ବିଜେଡି ସାଂସଦ ଡ.ସସ୍ମିତ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସସ୍ମିତ କହିଥିଲେ, ଆଦିବାସୀଙ୍କ ଜମି କାହାରିକୁ ବିକ୍ରି କରିବାର କୌଣସି ପ୍ରକାର ପ୍ରସ୍ତାବ ନଥିଲା। ଅନେକ ଆଦିବାସୀ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ସେମାନଙ୍କର ଜମି ବନ୍ଧକ ରଖିବା ପାଇଁ ଚାହୁଛନ୍ତି। କିନ୍ତୁ ସେମାନେ ସେମାନଙ୍କର ଜମିକୁ ବନ୍ଧକ ରଖିପାରିବେ ନାହିଁ। ଉକ୍ତ ଭାବନାକୁ ଦୃଷ୍ଟିରେ ରଖି ଏହା କରାଯାଇଥିଲା। ଏହି ମାମଲାକୁ କ୍ୟାବିନେଟ ଦ୍ବାରା ରଦ୍ଦ କରିଦିଆଯାଇଥିଲା। ମାମଲାକୁ କ୍ୟାବିନେଟ ଦ୍ବାରା ରଦ୍ଦ କରିଦିଆଯିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ଏଠାରେ ଉକ୍ତ ପ୍ରସଙ୍ଗ ଉପସ୍ଥାପନ କରାଯାଇ ଦିଲ୍ଲୀରୁ ଚେତାବନୀ ଜାରି କରାଯିବା ଅନୁରୋଧ ସଂଘୀୟ ବ୍ୟବସ୍ଥା ଉପରେ ବଡ ପ୍ରହାର ବୋଲି ସସ୍ମିତ କହିଥିଲେ। ସସ୍ମିତ କହିଥିଲେ, ମନ୍ତ୍ରୀ ଏଠାରୁ କହୁଛନ୍ତି ଦିଲ୍ଲୀରୁ ଚେତାବନୀ ରାଜ୍ୟକୁ ଯାଉ। ମୋତେ ଲାଗୁଛି ଏହା ଗଣତନ୍ତ୍ର ପାଇଁ ଦୁଃଖର ଦିନ ବୋଲି ସସ୍ମିତ କହିଥିଲେ। ସସ୍ମିତ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରୁ ମାମଲାରେ ରୁଲ୍‌ ଅଫ ଅର୍ଡର ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର