୫-ଟି ସଚିବଙ୍କ କେନ୍ଦୁଝର ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା

ଭୀମକଣ୍ଡକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳ ଭାବେ ପରିଣତ କରାଯିବ, ଯୋଡ଼ା ଫ୍ଲାଏଓଭର କାମ ଡିସେମ୍ବର ସୁଦ୍ଧା ଶେଷ ହେବ

କେନ୍ଦୁଝର : ୫-ଟି ସଚିବ ଭିକେ ପାଣ୍ଡିଆନ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସି ଶନିବାର ଦିନ ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ୍‌ ଓ କେନ୍ଦୁଝର ପୌରପାଳିକାର ବିଭିନ୍ନ ସ୍ଥାନ ଗସ୍ତ କରି ଉନ୍ନୟନ କାମର ତଦାରଖ କରିଛନ୍ତି।

ପ୍ରଥମେ ଭୀମକୁଣ୍ଡ ଯାଇ ଉନ୍ନୟନ କାମର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଭୀମକଣ୍ଡକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳ ଭାବେ ପରିଣତ କରାଯିବ ବୋଲି କହିଥିଲେ। ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ। ଚମ୍ପୁଆ ଯାଇ ଜଳ ବିଶୋଧନାଗାର ପ୍ରକଳ୍ପ ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ଅବସରରେ ୫-ଟି ସଚିବ ‘ଜଳସାଥୀଙ୍କ ସହ ଆଲୋଚନା କରିଥିଲେ। ନେହରୁ ଷ୍ଟାଡିୟମରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରିଥିଲେ ଏଠାରେ ଫ୍ଲଡ୍‌ଲାଇଟ୍‌ ବ୍ୟବସ୍ଥା ସାତଦିନ ମଧ୍ୟରେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ପାନୀୟଜଳ ଓ କୃଷକଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ। ସାତଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ।

୫-ଟି ସଚିବ ବଡ଼ବିଲ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଏନ୍‌ଆର୍‌ସି, ଡାଏଲେସିସ୍ ସେଣ୍ଟର ପରିଦର୍ଶନ କରିଥିଲେ। ଏଠାରେ ଉପଲବ୍ଧ ହେଉଥିବା ସୁବିଧା ସମ୍ପର୍କରେ ରୋଗୀଙ୍କ ସହ ଆଲୋଚନା କରିଥିଲେ। ସେରେଣ୍ଡା ଯାଇ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ଆଦିବାସୀ ବିକାଶ ସମିତିର ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ଏଣିକି ଆଦିବାସୀ ବିକାଶ ସମିତିର ୯୦୦ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି କହିଥିଲେ। ଯୋଡ଼ା ଫ୍ଲାଏଓଭର କାମର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଡିସେମ୍ବର ସୁଦ୍ଧା କାମ ଶେଷ ହେବ ବୋଲି ଓବିସିସିର ଅଧିକାରୀମାନେ ୫-ଟି ସଚିବଙ୍କୁ ଅବଗତ କରିଥିଲେ। ପରେ ବୃଦ୍ଧାଶ୍ରମକୁ ଯାଇ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ସେମାନଙ୍କ ସହ ମଧ୍ୟାନ୍ନଭୋଜନ ମଧ୍ୟ କରିଥିଲେ। ପରେ ୫ଟି ସଚିବ କାନପୁର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବର୍ଷ ଶେଷ ସୁଦ୍ଧା କାମ ସାରିବା ଉପରେ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।

ସେଠାରୁ କେନ୍ଦୁଝର ସହରସ୍ଥିତ ଓଏସ୍‌ଏମ୍‌ଇ କମ୍ପ୍ଲେକ୍ସକୁ ଯାଇ ମିସନ ଶକ୍ତିର ମହିଳାଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ ଧରଣୀଧର ବିଶ୍ୱବିଦ୍ୟାଳୟ ନିକଟରେ ସ୍ଥାନୀୟ ବାସିନ୍ଦା, ବିଭିନ୍ନ ସଂଗଠନର ସଦସ୍ୟଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ୫-ଟି ସଚିବ ବଳଦେବଜିଉ ମନ୍ଦିରକୁ ଯାଇଥିଲେ। ସେଠାରେ ପ୍ରଭୁ ବଳଦେବଜିଉଙ୍କୁ ଦର୍ଶନ କରିବା ସହ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ। ସେଠାରେ ଥିବା ହାଡ଼ବନ୍ଧ ପୋଖରୀ ବୁଲି ଦେଖିଥିଲେ। ଏହି ଗସ୍ତ ସମୟରେ କ୍ରୀଡ଼ା ସଚିବ ଆର ଭିନୀଲ କ୍ରିଷ୍ଣା, ଜିଲ୍ଲାପାଳ ଆଶିଷ ଠାକ୍‌ରେ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର