୧୭ରେ ଓଡ଼ିଶା ଆସି‌ବେ ଅମିତ ଶାହ

ଢେଙ୍କାନାଳରେ ମହାଜନସମ୍ପର୍କ ଯାତ୍ରାରେ ଯୋଗଦେବେ, କଟକରେ ବି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ

ଭୁବନେଶ୍ବର : ଆସନ୍ତା ୧୭ତାରିଖରେ ଢେଙ୍କାନାଳରେ ଆୟୋଜନ ହେବାକୁ ଥିବା ବିଜେପିର ମହାଜନସମ୍ପର୍କ ଯାତ୍ରାରେ କେ‌ନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗେଦେବେ। ଏନେଇ ଆଜି ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। କେନ୍ଦ୍ରରେ ବିଜେପି ସରକାରକୁ ୯ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ମହାଜନସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି। ମେ ୩୧ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବ। ଏଥିରେ ସାରା ଦେଶରେ ୫୧ଟି ମହାରାଲି ଆୟୋଜନ ହେବାକୁ ଥିବାବେଳେ ଓଡ଼ିଶାରେ ୪ଟି ମହାରାଲି ହେବ। ପ୍ରଥମ ମହାରାଲି ଢେଙ୍କାନାଳରେ ଆୟୋଜନ ହେବାକୁ ଥିବା‌ବେଳେ ଏଥିରେ ଅମିତ ଶାହ ଯୋଗଦେବେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସାଧାରଣ ନିର୍ବାଚନରେ ଢେଙ୍କାନାଳରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବାରୁ ଏହି ମହାରାଲି ବିଶେଷ ଗୁରୁତ୍ବ ବହନ କରିବ। ଏହାସହ ବିଜେପି ସାଧାରଣ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ୪ଟି ମହାରାଲି ଆୟୋଜନ କରୁଥିବାରୁ ଅମିତ ଶାହ ରାଜ୍ୟର ବିଜେଡି ସରକାର ପ୍ରତି କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମହାରାଲି ପରେ କଟକରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଶାହ ଯୋଗଦେବେ। ସେହିପରି ଜୁନ୍‌ ୨୨ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ମହାରାଲି କେଉଁଠି ହେବ ସେନେଇ ସ୍ଥାନ ଚୂଡ଼ାନ୍ତ ହୋଇନି। ଏହାବାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଜୁନ୍ ୩୦ ସୁଦ୍ଧା ଓଡ଼ିଶା ଗସ୍ତରେ ଆସିବେ। ଏନେଇ ରାଜ୍ୟ ବିଜେପି ପକ୍ଷରୁ କେଉଁଠି ମହାରାଲି ଆୟୋଜନ କରାଯିବ ସେନେଇ ଏକ ତାଲିକା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ପଠାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର