୭ ସହରର ପାଣି ଓ ପବନରେ ବିଷ, ୧୯ଟି ସ୍ଥାନରେ ନଦୀ ଜଳ ପ୍ରଦୂଷଣ ମାତ୍ରାଧିକ

ଭୁବନେଶ୍ବର: ରାଜ୍ୟର ୭ଟି ସହରରେ ବାୟୁ ପ୍ରଦୂଷଣ ଓ ବିଭିନ୍ନ ନଦୀର ୧୯ଟି ସ୍ଥାନରେ ଜଳ ପ୍ରଦୂଷଣର ମାତ୍ରା ଅଧିକ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ ଏଗୁଡ଼ିକ ଚିହ୍ନଟ କରିଛନ୍ତି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଅଧିକ ବାୟୁ ପ୍ରଦୂଷଣ ଥିବା ୭ଟି ସହର ହେଲା ଅନୁଗୁଳ, ବା‌େଲଶ୍ବର, ଭୁବନେଶ୍ବର, କଟକ, କଳିଙ୍ଗ ନଗର-ଯାଜପୁର ରୋଡ୍‌, ତାଳଚେର ଓ ରା‌ଉରକେଲା। ନଦୀରେ ଜଳ ପ୍ରଦୂଷଣ ଅଧିକ ଥିବା ୧୯ଟି ସ୍ଥାନ ହେଲା ଗଙ୍ଗୁଆ (ଭୁବନେଶ୍ବର ପାଖରେ), ଦୟା(ଭୁବନେଶ୍ବରରୁ ବରଗଡ଼, ବ୍ରାହ୍ମଣୀ(ରାଉରକେଲାରୁ ବିରିତୋଳା), କୁରାଢ଼ି ନାଳ(ରାଉରକେଲା). ମଙ୍ଗଳା(ପୁରୀ), ନାଗାବଳୀ(ଜୟକୟପୁରରୁ ରାୟଗଡ଼ା), କାଠଯୋଡ଼ି(କଟକରୁ ଉରାଲି), ସେରୁଆ (ଖଣ୍ଡଏତାରୁ ଶଙ୍ଖତ୍ରାସା), ରତ୍ନଚିରା(ଭୁବନେଶ୍ବର, ପୁରୀ), ନନ୍ଦିରା ‌ଜେର(ତାଳଚେର), କୁଆଖାଇ(ଭୁବନେଶ୍ବର), ମହାନଦୀ(ସମ୍ବଲପୁରରୁ ପାରାଦୀପ), ଋଷିକୂଲ୍ୟା (ପ୍ରତାପପୁରରୁ ଗଞ୍ଜାମ), ବାଙ୍ଗୁରୁ ନାଳ(ତାଳ‌େଚର, ରେଙ୍ଗାଲି), ଭେଡ଼େନ, କୁସୁମି(ତ‌ାଳଚେର), ଲୁଣା (ବିଜିପୁର), ସୁବଳୟା (ଜଗନ୍ନାଥପାଟଣା, ରମ୍ଭା‌) ଏବଂ ବୁଢ଼ାବଳଙ୍ଗ (ମହୁଲିଆରୁ ବାରିପଦା)। ପ୍ରଦୂଷଣର ଆବଶ୍ୟକ ଅନୁସନ୍ଧାନ କରାଯାଇ ଏହାର ପ୍ରତିକାର ନିମନ୍ତେ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏହି ଆକ୍ସନ୍ ପ୍ଲାନ୍ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମୋଦନକ୍ରମେ କାର୍ଯ୍ୟକାରୀ କରିବା ପାଇଁ ସଂପୃକ୍ତ ବିଭାଗକୁ ଜଣାଇ ଦିଆଯାଇଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର