ଛତିଶଗଡ଼ରେ ଏନ୍‌କାଉଣ୍ଟର : ୯ ନକ୍ସଲ ନିହତ, ୨ ଯବାନ ସହିଦ

ମାଲକାନଗିରି : ସୀମାନ୍ତ ଛତିଶଗଡର ସୁକ୍‌ମାରେ ଆଜି ଏକ ବଡ଼ଧରଣର ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୯ ଜଣ ନକ୍ସଲ ନିହତ ହୋଇଥିବାବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, କିଷ୍ଟରାମ ଅଞ୍ଚଳର ସିଲାପାରୀ ଜଂଗଲରେ ମାଓ ନେତା ଆଜାଦ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଥିଲା। ତେଲେଙ୍ଗାନାରେ ହେବାକୁ ଥିବା ନିର୍ବାଚନକୁ ଭଣ୍ଡୁର କରିବାକୁ ଏହି ବୈଠକରେ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା। ତେବେ, ଗୁଇନ୍ଦା ସୂତ୍ରରୁ ମାଓବାଦୀଙ୍କ ବୈଠକ ସଂପର୍କରେ ଆନ୍ଧ୍ର ପୁଲିସକୁ ସୂଚନା ମିଳିଯାଇଥିଲା। ଏ ସମ୍ପର୍କରେ ଆନ୍ଧ୍ର ଛତିଶଗଡ଼ ପୁଲିସ୍‌କୁ ଅବଗତ କରିଥିଲା। ଏହାପରେ ସୁକ୍‌ମାରେ ଅବସ୍ଥାପିତ ସିଆର୍‌ପିଏଫ୍‌, ଡିଆରଜି, ଏସ୍‌ଟିଏଫ୍‌ ଯବାନ ସଂପୂର୍ଣ୍ଣ ଅଂଚଳକୁ ଘେରି ଯାଇଥିଲେ। ଫଳରେ ନକ୍ସଲଙ୍କୁ ଖସିବା ପାଇଁ ବାଟ ମିଳିନଥିଲା।

ଆଜି ଦିନତମାମ ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା। ପୁଲିସ ଖାନ୍‌ତଲାସ କରିବା ସମୟରେ ଘଟଣାସ୍ଥଳରୁ ୯ଜଣ ନକ୍ସଲଙ୍କ ଶବ ଠାବ କରିଛି। ଏଥିରେ ଅଧିକ ନକ୍ସଲ ମୃତାହତ ହୋଇଥିବା ନେଇ ପୁଲିସ ଅନୁମାନ କରୁଛି। ଅପରପକ୍ଷରେ ନକ୍ସଲଙ୍କ ଗୁଳିରେ ଦୁଇ ଜଣ ଯବାନ ସହିଦ ହେବା ସହ କିଛି ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମୃତ୍ୟୁବରଣ କରିଥିବା ୯ଜଣ ନକ୍ସଲଙ୍କ ମଧ୍ୟରୁ ଡିଭିଜନାଲ କମିଟି ମେମ୍ବର ତାତି ଭୀମା ଏବଂ ମହିଳା ମାଓବାଦୀ ରାଜେର ଅଛନ୍ତି। ଉଭୟଙ୍କ ନାଁରେ ସରକାର ୮ଲକ୍ଷ ଟଙ୍କାର ପୁରସ୍କାର ଘେ‌ାଷଣା କରିଥିଲେ।

ପ୍ରକାଶଥାଉକି, ତାତି ଭୀମା ନୂତନ ଭାବେ ସଂଗଠନରେ ଯୋଗଦାନ କରିଥିବା ନକ୍ସଲଙ୍କୁ ତାଲିମ ଦେଉଥିଲେ। ଏଥିପୂର୍ବରୁ ସେ ଦକ୍ଷିଣ ବସ୍ତର ଦାୟିତ୍ବରେ ରହିଥିଲେ। ସେହିପରି କିଛି ଆହତ ନକ୍ସଲଙ୍କୁ ପୁଲିସ ଗିରଫ କରିଥିବା ନେଇ ଏସ୍‌ପି ଅଭିଷେକ ମୀନା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର