ଦୁବାଇ ଟେଷ୍ଟ୍‌: ୟାସିର୍‌ଙ୍କୁ ୮ ୱି‌କେଟ୍‌; ନ୍ୟୁଜିଲାଣ୍ଡ୍‌ ୯୦ରେ ସଫା

ଦୁବାଇ: ହାରିସ୍‌ ସୋହେଲ୍‌ (୧୪୭) ଓ ବାବର ଆଜମ୍‌ (୧୨୭*)ଙ୍କ ଶତକ ବଳରେ ପାକିସ୍ତାନ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ୪୧୮/୫ରେ ପ୍ରଥମ ପାଳି ଘୋଷଣା କରିବା ପରେ ସ୍ପିନର ୟାସିର୍‌ ଶାହାଙ୍କ ସ୍ପିନ୍‌ ଯାଦୁରେ ଛନ୍ଦି ହୋଇଗଲେ ଭ୍ରମଣକାରୀ ଦଳର ବ୍ୟାଟ୍‌ସମ୍ୟାନ୍‌। ୟାସିର୍‌ ମାତ୍ର ୪୧ ରନ୍‌ ବ୍ୟୟ କରି ୮ ୱିକେଟ୍‌ ଦଖଲ କରିଦେବାରୁ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୯୦ ରନ୍‌ରେ ସଫା ହୋଇଗଲା। ଆଜି ଥିଲା ଦ୍ବିତୀୟ ଟେଷ୍ଟ୍‌ର ତୃତୀୟ ଦିବସ। ଦ୍ବିତୀୟ ଦିବସ ଶେଷରେ କୌଣସି ୱିକେଟ୍‌ ନହରାଇ ୨୪ ରନ୍‌ କରିଥିବା ନ୍ୟୁଜିଲାଣ୍ଡ୍‌ ପ୍ରାରମ୍ଭିକ ଯୋଡ଼ି ଜିତ୍‌ ରାଭାଲ (୩୧) ଓ ଟମ୍‌ ଲାଥାମ୍‌ (୨୨)ଙ୍କ ସହାୟତାରେ ଏକ ସମୟରେ ୫୦ ରନ୍‌ କରିଥିଲା। ହେଲେ ୟାସିର୍‌ଙ୍କ କମାଲ୍‌ ବୋଲିଂ ଯୋଗୁଁ ପରବର୍ତୀ ୪୦ ରନ୍‌ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ ସମସ୍ତ ୧୦ ୱିକେଟ୍‌ ହରାଇଥିଲା। ଯାହା ଫଳରେ ନ୍ୟୁଜିଲାଣ୍ଡ୍‌ର ପ୍ରଥମ ପାଳି ୩୫.୩ ଓଭରରେ ଶେଷ ହୋଇଗଲା। ରାଭାଲ, ଲାଥାମ୍‌ଙ୍କ ପରେ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ (ଅପରାଜିତ ୨୮) କେବଳ ଦୁଇ ଅଙ୍କ ଛୁଇଁଥିଲେ। ବିଜେ ୱାଟ୍‌ଲିଙ୍ଗ୍‌ ରନ୍‌ ଆଉଟ୍‌ ହୋଇଥିଲା ବେଳେ ଅବଶିଷ୍ଟ ୱିକେଟ୍‌ଟି ହାସନ୍‌ ଅଲ୍ଲୀଙ୍କୁ ମିଳିଥିଲା। ନ୍ୟୁଜିଲାଣ୍ଡ୍‌ ଏଥି ସହିତ ପାକିସ୍ତାନ ପ୍ରଥମ ପାଳି ସ୍କୋର୍‌ଠାରୁ ୩୨୮ ରନ୍‌ ପଛରେ ରହିଗଲା। ପାକିସ୍ତାନ ମଧ୍ୟ ନ୍ୟୁଜିଲାଣ୍ଡ୍‌କୁ ଫଲୋଅନ୍‌ ଡାକିଥିଲା। ଫଲୋଅନ୍‌ ଖେଳିଥିବା ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳିରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଛି। ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଭ୍ରମଣକାରୀ ଦଳ ୨ ୱିକେଟ୍‌ ବିନିମୟରେ ୧୩୧ ରନ୍‌ କରିଛି। ତେବେ ପ୍ରଥମ ପାଳିର ଘାତକ ବୋଲର ୟାସିର୍‌ ଦ୍ବିତୀୟ ପାଳି‌ରେ ମଧ୍ୟ ୨ଟିଯାକ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏବେ ୮ ୱିକେଟ୍‌ ହାତରେ ଥାଇ ନ୍ୟୁଜିଲାଣ୍ଡ୍‌ ଏବେ ବି ପାଳି ପରାଜୟଠୁ ୧୯୭ ରନ୍‌ ଦୂରରେ ରହିଛି।
ଭାରତୀୟ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେଙ୍କ ପରେ କୌଣସି ଟେଷ୍ଟ୍‌ର ଗୋଟିଏ ଦିବସରେ ୧୦ ୱିକେଟ୍‌ ନେବାରେ ୟାସିର୍‌ ପ୍ରଥମ ବୋଲର ହେଲେ। କୁମ୍ବଲେଙ୍କ ସଫଳତାର ସମକକ୍ଷ ହେବା ପାଇଁ ଜଣେ ବୋଲର (ୟାସିର୍‌)ଙ୍କୁ ୧୯ ବର୍ଷ ୯ ମାସ ୧୯ ଦିନ ସମୟ ଲାଗିଗଲା।
ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ପ୍ରଥମ ପାଳି: ୧୬୭ ଓଭରରେ ୪୧୮/୫ (ଘୋଷିତ): (ହାରିସ୍‌ ସୋହେଲ-୧୪୭, ବାବର ଆଜମ୍‌-୧୨୭*, ଆଝାର ଅଲ୍ଲୀ-୮୧, ଗ୍ରାଣ୍ଡ୍‌ହୋମେ-୨/୪୪)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୩୫.୩ ଓଭରରେ ୯୦ (ରାଭାଲ-୩୧, ଲାଥାମ୍‌-୨୨, ୱିଲିୟମ୍‌ସନ୍‌-୨୮*, ୟାସିର୍‌ ଶାହା-୮/୪୧) ଏବଂ ଦ୍ବିତୀୟ ପାଳି: ୪୩ ଓଭରରେ ୧୩୧/୨ (ଲାଥାମ୍‌-୪୪*, ୱିଲିୟମ୍‌ସନ୍‌-୩୦, ରସ୍‌ ଟେଲର-୪୯*, ୟାସିର୍‌ ଶାହା-୨/୬୫)।

ସମ୍ବନ୍ଧିତ ଖବର